ଟ୍ରେନ୍‌କୁ ନମସ୍କାର, ବସ୍‌କୁ ତିରସ୍କାର ! ଷ୍ଟେସନରେ କର୍ଫ୍ୟୁ, ସହରରେ ଟ୍ରାଫିକ୍ ଜାମ୍‌

ଆଜି ଗୋଆରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଭବାନୀପାଟଣାରେ ପହଞ୍ଚିବ: ୨୪ଟି ବଗିରେ ୧୬୦୦ରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ଆସିବେ

Image Source: Hindustan Times

ବଲାଙ୍ଗୀର: କରୋନା ମ୍ୟାଚ୍‌ର ପ୍ରଥମ ସିରିଜରେ ବିଜୟୀ ହୋଇଥିଲା ବଲାଙ୍ଗୀର। ହେଲେ ଦ୍ବିତୀୟ ଦଫା ଲକ୍‌ଡାଉନ୍‌ର ଶେଷ ଓଭରରେ ଦୁଇଟି ପଜିଟିଭ ସହ ନଟ୍ଆଉଟ୍‌ରୁ ବାଦ୍‌ ପଡ଼ିଥିଲା ବଲାଙ୍ଗୀର। ଆଉ ଠିକ୍‌ ତୃତୀୟ ପର୍ଯ୍ୟାୟରେ ବଲାଙ୍ଗୀରରେ ଚିହ୍ନଟ ହୋଇଥିଲା ପୁଣି ୪ ପଜିଟିଭ। ବାସ୍‌ ତା’ପରେ ବଲାଙ୍ଗୀରରେ ଆରମ୍ଭ ହୋଇଥିଲା ଅସଲି ଖେଳ। ଜିଲ୍ଲାରୁ ଦାଦନ ଯାଇଥିବା ଲକ୍ଷାଧିକ ଶ୍ରମିକ ଘରମୁହାଁ ହୋଇଥିଲେ। ପ୍ରବାସୀ ଓଡ଼ିଆଙ୍କୁ ନେଇ ପ୍ରତିଦିନ ଟ୍ରେନ୍‌ ଆସୁଛି। ଟ୍ରେନରେ ଆସୁଥିବା ଶ୍ରମିକମାନଙ୍କୁ ଖୁବ୍‌ ସମ୍ମାନ ଦିଆଯାଉଛି। ହେଲେ ପ୍ରତିଦିନ ସହର ଭିତରକୁ ପଶୁଛି ମାଳମାଳ ବସ୍‌। ଅଧିକାଂଶ ତାମିଲନାଡୁରୁ ଆସୁଛି। ଘଣ୍ଟା ଘଣ୍ଟା ଧରି ସହର ଭିତରେ ରହୁଛି। ଅବାଧରେ ବୁଲି କିଣାକିଣି କରୁଛନ୍ତି ଫେରନ୍ତା ପ୍ରବାସୀ। ଖାଲି ସେତିକି ନୁହେଁ, ଏଠି ଗୋଳମାଳ ହୋଇଛି ପ୍ରଶାସନର ସବୁ ଗଣିତ। ଶ୍ରମ ବିଭାଗର ହିସାବ ସହ ମେଳ ଖାଉନି ଫେରନ୍ତା ପ୍ରବାସୀଙ୍କ ତାଲିକା। ପୂରା ଜିଲ୍ଲାରେ ପଞ୍ଚାୟତ ସ୍ତରରେ ପ୍ରାୟ ୨୫ ହଜାର ଶଯ୍ୟାର କ୍ବାରାଣ୍ଟିନ ବ୍ୟବସ୍ଥା ଥିବା ବେଳେ ପଶି ଆସୁଛନ୍ତି ଲକ୍ଷ ଲକ୍ଷ। ତେଣୁ ଫାଇନାଲ ଖେଳ ଆରମ୍ଭରୁ ପ୍ରଶାସନ ପାଇଁ ମ୍ୟାଚ୍‌ ହାରିବାର ଭୟ। ତେଣୁ ଏଠି ସବୁ ଗୋଳମାଳ ‘ମୁଡଦୁଖା’।

ବଲାଙ୍ଗୀର ଜିଲ୍ଲାକୁ ଉଭୟ ଟ୍ରେନ୍‌ ଓ ବସ୍‌ରେ ପ୍ରବାସୀ ଶ୍ରମିକ ଫେରୁଛନ୍ତି। ସେମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବାର ଦାୟିତ୍ବ ପ୍ରଶାସନର ରହିଛି। ଟ୍ରେନ୍‌ରେ ଫେରୁଥିବା ଶ୍ରମିକମାନଙ୍କୁ ଠିକ୍‌ରେ ବସ୍‌ ଜରିଆରେ ସେମାନଙ୍କ ପଞ୍ଚାୟତ ପର୍ଯ୍ୟନ୍ତ ପହଞ୍ଚାଯାଉଛି। କିନ୍ତୁ ବସ୍‌ ଭଡ଼ା କରି ସିଧାସଳଖ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କୁ ପ୍ରଶାସନ କ୍ବାରାଣ୍ଟିନରେ ରଖିବାରେ ଫେଲ୍‌ ମାରୁଛି। ବସ୍‌ରେ ଯେଉଁମାନେ ଫେରୁଛନ୍ତି ତାଙ୍କ ସୂଚନା ପ୍ରଶାସନ ଠିକ୍‌ରେ ପାଉନି। ଯଦି ବି ସୂଚନା ମିଳେ ତା’ହେଲେ ବି ବହୁ ସ୍ଥାନରେ ନିରବ ରହୁଛି।

ଅନ୍ୟପକ୍ଷରେ, ବଲାଙ୍ଗୀର ରେଳଷ୍ଟେସନରେ ଲାଗୁଥିବା ଶ୍ରମିକ ସ୍ପେସାଲ ଟ୍ରେନ୍‌ଗୁଡ଼ିକରୁ ସାରା ରାଜ୍ୟର ପ୍ରବାସୀମାନେ ଓହ୍ଲାଉଛନ୍ତି। ଏଥିପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନର ମୁଣ୍ଡବଥା ବଢ଼ିଛି। ଶ୍ରମିକମାନେ ଯେଭଳି ବାହାରେ ବୁଲାବୁଲି ନକରିବେ ସେ ଦିଗପ୍ରତି ପ୍ରଶାସନ ସଚେତନ ରହୁଛି। ପ୍ରଶାସନ ସହରର କିଛି ଅଞ୍ଚଳରେ କର୍ଫ୍ୟୁ ଲଗାଉଛି। ଷ୍ଟେସନରେ ପୁଲିସ କର୍ମଚାରୀମାନେ ମୁତୟନ ରହୁଥିବା ବେଳେ ସାରା ସହରରେ ଏବେ ଗହଳି ଜମୁଛି। ଟ୍ରାଫିକ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ବହୁ ବସ୍‌ ଶହଶହ ଶ୍ରମିକଙ୍କୁ ନେଇ ବଲାଙ୍ଗୀର ଦେଇ ବାହାର ରାଜ୍ୟକୁ ଯାଉଛି। ଠିକ୍‌ ସେହିପରି ଟ୍ରେନ୍‌ ବଲାଙ୍ଗୀରରେ ଅଟକୁଛି। ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ଓହ୍ଲାଉଛନ୍ତି। ବଲାଙ୍ଗୀର ଜିଲ୍ଲାର ଶ୍ରମିକମାନଙ୍କୁ ନିଜ ପଂଚାୟତ ଓ ବାହାର ଜିଲ୍ଲାର ଶ୍ରମିକମାନଙ୍କୁ ତାଙ୍କ ଜିଲ୍ଲାମାନଙ୍କୁ ବସ୍‌ରେ ପଠାଯାଉଛି। ବସ୍‌ ଯିବା ଆସିବା ସହରର ବିଭିନ୍ନ ରାସ୍ତାମାନଙ୍କରେ କରୁଛି। ବସ୍‌ ଯିବା ସମୟରେ କିଏ ଛେପ ପକାଉଛନ୍ତି, କିଏ ରାସ୍ତାରେ ବସ୍‌ ଛିଡ଼ା‌ କରି କିଣାକିଣି କରୁଥିବା ଲକ୍ଷ୍ୟ କରାଯାଉଛି। ପୂର୍ବଭଳି ଆଉ ପ୍ରଶାସନ ରାସ୍ତାଘାଟକୁ ବିଶୋଧନ ବି କରୁନି। ପ୍ରଶାସନର ଶ୍ରମିକ ପରିଚାଳନାଗତ ତ୍ରୁଟି ଯୋଗୁଁ ବଲାଙ୍ଗୀରକୁ ଆଗାମୀ ଦିନରେ ରେଡ୍‌ ଜୋନକୁ ଜାଣିଶୁଣି ଠେଲି ଦିଆନଯାଉ ବୋଲି ବଲାଙ୍ଗୀର ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe