ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ସ୍ୱୟଂଶାସିତ କରାଯାଉ: ବିଜେପି

ରାଜ୍ୟ ସରକାର ଓ ବୀମା କମ୍ପାନିଙ୍କ ମଧୁଚନ୍ଦ୍ରିକା ଯୋଗୁ ଚାଷୀକୁଳ ହଇରାଣ: ପ୍ରଦୀପ ପୁରୋହିତ

Twitter

ବାର୍ଷିକ ହଜାରେ କୋଟିର ଅନୁଦାନ ଦିଅନ୍ତୁ ସରକାର
ମୁଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡ଼ିଶା ସ୍ଥାନାନ୍ତର କରାଯାଉ

ଭୁବନେଶ୍ୱର : ଦୀର୍ଘ ୨୦ ବର୍ଷ ଧରି ଶାସକ ବିଜେଡି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠିକୁ ଦଳୀୟ ପାଣ୍ଠି ଭାବେ ବ୍ୟବହାର କରି ଆସୁଛି। ଅନ୍ୟପଟେ ଦଳୀୟ ଲୋକଙ୍କୁ ଥଇଥାନ କରିବା ପାଇଁ ପରିଷଦର ଅଧ୍ୟକ୍ଷ ତଥା ସଦସ୍ୟମାନଙ୍କୁ ନିଯୁକ୍ତ କରାଯାଉଛି। ସିଏଜି ରିପୋର୍ଟ ଅନୁଯାୟୀ ପଶ୍ଚିମ ଓଡ଼ିଶାର ବିକାଶ ଯେଭଳି ହେବା କଥା ସେପରି ହୋଇ ନାହିଁ। ଏହି ରିପୋର୍ଟ ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଇଛି। ସରକାର ଜାଣିଶୁଣି ପଶ୍ଚିମ ଓଡ଼ିଶା ବିକାଶରେ ବାଧକ ସାଜିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଜେପୁର ଉପନିର୍ବାଚନ ସମୟରେ ଖୋଦ୍ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାର ଦାୟିତ୍ବ ନେବେ ବୋଲି କହିବା ସହ ଗଙ୍ଗାଧର ମେହେର ଜଳସେଚନର ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ନିର୍ବାଚନ ଜିତିବା ପରେ ଏହି ପ୍ରକଳ୍ପ କାର୍ଯ୍ୟକୁ ଆରମ୍ଭ ନ କରି ପଶ୍ଚିମ ଓଡ଼ିଶାବାସୀଙ୍କୁ ସେ ଧୋକ୍କା ଦେଇଛନ୍ତି। ୨୦୧୩ରେ ପଶ୍ଚିମ ଓଡ଼ିଶାରେ ଜଳସେଚନ କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ୨୦୧୫-୧୮ ଭିତରେ ମାତ୍ର ୧୧.୮୦ ପ୍ରତିଶତ ଅର୍ଥ ଜଳସେଚନ କ୍ଷେତ୍ରରେ ଖର୍ଚ୍ଚ ହୋଇଛି। ୧୯୩ଟି ଘରୋଇ ଶିକ୍ଷାନୁଷ୍ଠାନକୁ ୨୦୧୪-୧୮ ମଧ୍ୟରେ ବିକାଶ ପରିଷଦ ବେନିୟମ ଭାବେ ୯.୧୧ କୋଟି ଟଙ୍କା ପ୍ରଦାନ କରିଛି । ୧୯୯୧ ମସିହା ଘଡ଼େଇ କମିଟି ରିପୋର୍ଟ ଆନୁଯାୟୀ ପଶ୍ଚିମ ଓଡିଶା ବିକାଶ ପରିଷଦ ଅନ୍ତର୍ଗତ ୮୯ଟି ବ୍ଲକ ମଧ୍ୟରୁ ୩୪ଟି ବ୍ଲକ ଅତ୍ୟନ୍ତ ପଛୁଆ ଓ ୨୫ଟି ବ୍ଲକ ପଛୁଆ ରହିଥିଲା। ଏହି ବ୍ଲକ୍‌ଗୁଡ଼ିକର ବିକାଶ ପାଇଁ ୨୦୧୩ରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଗୁଡ଼ିକର ବିକାଶ ହୋଇ ପାରିଲା ନାହିଁ। ଗଙ୍ଗାଧର ମେହେର ସ୍ମାରକ ପ୍ରେକ୍ଷାଳୟ ଓ ଗବେଷଣା କେନ୍ଦ୍ର, ପାଠଗାର ନିର୍ମାଣ କାର୍ଯ୍ୟ ୨୦୧୫ରୁ ଶେଷ ହୋଇଥିଲେ ବି ଆସବାବପତ୍ର ଅଭାବ ଯୋଗୁ ଏହା ବ୍ୟବହାର ଉପଯୋଗୀ ହୋଇପାରି ନାହିଁ । ଭେଷଜ ମହାବିଦ୍ୟାଳୟ ପରିଚାଳନାରେ ଅଭିଜ୍ଞତା ଅଭାବ ଯୋଗୁ କଳାହାଣ୍ଡି ଜାରିଙ୍ଗଠାରେ ଥିବା ଭେଷଜ ହସ୍ପିଟାଲ ଓ କଲେଜ ବନ୍ଦ ହୋଇ ରହିଛି । ରାଉଲକେଲା ଓ ବଲାଙ୍ଗୀର ଭେଷଜ ମହାବିଦ୍ୟାଳୟ କ୍ଷେତ୍ରରେ ପରିଷଦର ଦାୟିତ୍ୱହୀନତା ଯୋଗୁ ପଶ୍ଚିମାଞ୍ଚଳବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ମିଳିପାରୁ ନାହିଁ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟ ଠିକ୍ ଭାବେ ହୋଇପାରୁ ନ ଥିବା ଯୋଗୁ ରାଜ୍ୟ ସରକାର ଏହାକୁ ନିଜ ନିୟନ୍ତ୍ରଣରେ ନ ରଖି ସ୍ୱୟଂଶାସିତ ମାନ୍ୟତା ଦେବା ସହ ଅନୁଦାନକୁ ପ୍ରତି ବର୍ଷ ୧ ହଜାର କୋଟିକୁ ବୃଦ୍ଧି କରିବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି। ପରିଷଦକୁ ଥଇଥାନର କେନ୍ଦ୍ର ନ କରି ଯେଉଁମାନେ ପଶ୍ଚିମ ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେଇପାରିବେ ସେଭଳି ବ୍ୟକ୍ତିବିଶେଷଙ୍କୁ ଅଧ୍ୟକ୍ଷ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ପରିଷଦର ମୁଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡ଼ିଶାର ଯେ କୌଣସି ସ୍ଥାନରେ କରିବା ପାଇଁ ସେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe