ସୀମା ସିଲ୍‌କୁ ମାନିଲେନି ବଙ୍ଗୀୟ ଅଧିବାସୀ, ଆନ୍ତଃରାଜ୍ୟ ବାଡ଼କୁ ଉପାଡ଼ି ଫିଙ୍ଗିଦେଲେ

ସୀମା ସିଲ୍‌କୁ ମାନିଲେନି ବଙ୍ଗୀୟ ଅଧିବାସୀ, ଆନ୍ତଃରାଜ୍ୟ ବାଡ଼କୁ ଉପାଡ଼ି ଫିଙ୍ଗିଦେଲେ

ଜଳେଶ୍ବର : ଜଳେଶ୍ବର ଜିଲ୍ଲା ଜଳେଶ୍ବର ଶଙ୍ଖାଭଙ୍ଗା ମୌଜାରେ ପଶ୍ଚିମବଙ୍ଗ ଅଧିବାସୀଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଶନିବାର ସକାଳ ପ୍ରାୟ ୭ଟା ସମୟରେ ପଶ୍ଚିମବଙ୍ଗର ୧୫ରୁ ଅଧିକ ଲୋକ ଓଡ଼ିଶା ସୀମା ଭିତରେ ପଶି କରୋନା ପାଇଁ ସିଲ୍‌ ହୋଇଥିବା ଆନ୍ତଃରାଜ୍ୟ ବାଡକୁ ବଳପୂର୍ବକ ଉପାଡ଼ି ଦେଇଛନ୍ତି। ଓଡ଼ିଆ ଲୋକମାନେ ଏହାର ବିରୋଧ କରିଥିଲେ ମଧ୍ୟ ପଶ୍ଚିମବଙ୍ଗର ଲୋକେ ନାଲି ଆଖି ଦେଖାଇବା ସହ ସମସ୍ତଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଓଡ଼ିଶା ସୀମାନ୍ତ ଶଙ୍ଖାଭଙ୍ଗା ମୌଜାର ରଜାବନ୍ଧ ନିକଟରେ ଆଜି ଭୋର୍‌ ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ପହଞ୍ଚିଥିଲା। ପରେ ସେଠାରେ ପ୍ରାୟ ୧୫ରୁ ଅଧିକ ବଙ୍ଗୀୟ ଲୋକ ପହଞ୍ଚି ଉକ୍ତ ଗାଡ଼ିକୁ ଓଡ଼ିଶା ସୀମା ଭିତରକୁ ପ୍ରବେଶ କରାଇବାକୁ ଉଦ୍ୟମ କରିବା ସହ ସେଠାରେ ଥିବା ଆନ୍ତଃରାଜ୍ୟ ବାଡ଼କୁ ଉପାଡ଼ି ଦେଇଥିଲେ। ଏହି ସମୟରେ କେତେକ ଓଡ଼ିଆ ଗ୍ରାମବାସୀ ବିରୋଧ କରିଥିଲେ ମଧ୍ୟ ସେମାନଙ୍କକୁ ବଙ୍ଗୀୟ ଲୋକେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ମାରିବାକୁ ଧମକ ଦେଇଥିଲେ। ଏତିକିରେ ସରିନଥିଲା ସେମାନଙ୍କର ଦାଦାଗିରି। ନିକଟସ୍ଥ ଚୁଡ଼ାମଣିପୁରରେ ଥିବା ଅନ୍ୟ ଏକ ବାଡ଼କୁ ମଧ୍ୟ ସେମାନେ ଉପାଡି ଫିଙ୍ଗି ଦେଇଥିଲେ। ଏ ସମ୍ପର୍କରେ ସର୍ଦ୍ଦାରବନ୍ଧ ସରପଞ୍ଚ ଦିଲ୍ଲୀପ ସାମଲଙ୍କଠାରୁ ଖବର ପାଇବା ପରେ ଜଳେଶ୍ବର ବିଡିଓ ଦିପ୍ତୀରଞ୍ଜନ ସେଠୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମୁଣ୍ଡ, ମୁଖ୍ୟ କିରାଣି ଅଧିର କୁମାର ପରମାଣିକ, ରୁର୍ବାନ୍‌ ଅଧିକାରୀ ମନୋହର ଠାକୁର, ରାଇବଣିଆ ଥାନା ଆଇଆଇସି ଅଜୟ କୁମାର ମୁର୍ମୁ ପ୍ରମୁଖ ସେଠାରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଓଡ଼ିଶା ସୀମାରେ ତୁରନ୍ତ ଅନ୍ୟ ଏକ ବାଡ଼ ବସାଇବା ପାଇଁ ବିଡିଓ ଶ୍ରୀ ସେଠୀ ସ୍ଥାନୀୟ ସରପଞ୍ଚଙ୍କୁ ଦାୟିତ୍ବ ଦେଇଥିବାବେଳେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଛି।

ପଶ୍ଚିମବଙ୍ଗରେ ପେଟ୍ରୋଲ ଦର ଓଡ଼ିଶାଠାରୁ ଅଧିକ ଥିବାରୁ ଏଠାରୁ ପେଟ୍ରୋଲ, ପନିପରିବା ଚାଲାଣ ସହିତ ପଶ୍ଚିମବଙ୍ଗରୁ ମାଛମାଂସ ଜାତୀୟ ଖାଦ୍ୟ ଓଡ଼ିଶା ଭିତରକୁ ଆଣି ଚଢାଦରରେ ବିକ୍ରି କରିବାକୁ ସୀମାବାଡ଼ ଭଙ୍ଗାଯାଇଛି ବୋଲି ଯତୀନ୍ଦ୍ର ଜେନା, ହରିହର ସିଂ ପ୍ରମୁଖ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe