ପଶ୍ଚିମ ଓଡ଼ିଶା ବିକାଶ ପରିଷଦ: ହୋଇପାରିଲାନି ୭୦୦୦ ପ୍ରକଳ୍ପ, ଫେରିଲା ୪୫ କୋଟି

Advertisment
୩୬ ହଜାର ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ କରିଛି ଡବ୍ଲୁଓଡିସି

ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଟଙ୍କା ଦେଲା କିନ୍ତୁ ଜିଲ୍ଲା ପ୍ରଶାସନଗୁଡ଼ିକ ନିର୍ମାଣ କରିପାରିଲେନି ୭୦୦୦ ପ୍ରକଳ୍ପ। ଏଥିଯୋଗୁଁ ପରିଷଦ ପାଖକୁ ଫେରି ଆସିଛି ପ୍ରାୟ ୪୫ କୋଟି ଟଙ୍କା। ଭୌଗୋଳିକ ସ୍ଥିତି ଯାଞ୍ଚ(ଫିଜିବିଲିଟି ରିପୋର୍ଟ) କରାନଯାଇ ଟଙ୍କା ଅନୁମୋଦିତ କରାଯାଉଥିବାରୁ ଏତେ ସଂଖ୍ୟକ ପ୍ରକଳ୍ପ ଅଧୁରା ରହିଛି। ତେଣୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବରେ ଅସିତ ତ୍ରିପାଠୀଙ୍କ ଦାୟିତ୍ବ ଗ୍ରହଣ ପରଠାରୁ ପ୍ରସ୍ତାବିତ ପ୍ରକଳ୍ପର ଜମି ଚିହ୍ନଟ, ଏହାର ସ୍ଥିତି ଅର୍ଥାତ ଜମିଟି ସରକାରୀ, ଘରୋଇ କି ବିବାଦୀୟ ଏଥିସମ୍ପର୍କରେ ଯାଞ୍ଚ ଏବଂ ପ୍ରକଳ୍ପ ପରିଚାଳନା ଦାୟିତ୍ବ କାହାକୁ ଦିଆଯିବ ଏହି ନିଷ୍ପତ୍ତି ନିଆଯିବା ପରେ ପ୍ରକଳ୍ପ ପାଇଁ ଟଙ୍କା ଅନୁମୋଦନ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଥିବା କହିଛନ୍ତି ସିଇଓ ଅଜିତ ମିଶ୍ର।

୧୯୯୮ ମସିହା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେବା ପରଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଅନୁମୋଦିତ ୩୯ ହଜାର ପ୍ରକଳ୍ପ ମଧ୍ୟରୁ ୩୨ ହଜାର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଏଥିମଧ୍ୟରୁ ଅଧିକାଂଶ ଗାଁ କି ପଡ଼ା ରାସ୍ତା ନିର୍ମାଣ, ପୋଖରୀ ପୁନରୁଦ୍ଧାର, ଛୋଟ କଲ୍ୟାଣ ମଣ୍ଡପ ଆଦି ୨ରୁ ୨୫ ଲକ୍ଷ ପର୍ଯ୍ୟନ୍ତର ଛୋଟ ପ୍ରକଳ୍ପ ଅଟେ। ସିଇଓ କହିଛନ୍ତି, ପରିଷଦ ପାଣ୍ଠି ୧୦୦ରୁ ୨୦୦ କୋଟିକୁ ବୃଦ୍ଧି ପରେ ବଡ଼ ପ୍ରକଳ୍ପଗୁଡ଼ିକୁ ଗୁରୁତ୍ବ ଦିଆଯାଉଛି। ବର୍ଷାଧିକ ସମୟ ହେଲା ପଡ଼ି ରହିଥିବା ଅଧୁରା ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରାଯାଇଛି। ଉଦାହରଣସ୍ବରୂପ,୮ ବର୍ଷ ପରେ ଭବାନୀପାଟନା ଟାଉନହଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏଥିସହିତ ୧୦-୧୦ କୋଟି ଟଙ୍କାର ଅନୁଦାନରେ ନୁଆପଡ଼ା, ବରଗଡ଼ ଏବଂ ଖରିୟାର ଅଡିଟୋରିୟମ, ୧.୭ କୋଟିରେ ନୁଆପଡ଼ାରେ ମିଲେଟ ପ୍ରୋସେସିଂ ୟୁନିଟ,୨ କୋଟିରେ ବଲାଙ୍ଗୀର ମିଲ୍କ ଚିଲିଂର ନିର୍ମାଣ କାର୍ଯ୍ୟ କରାଯାଉଛି। ବଡ଼ ପ୍ରକଳ୍ପ ପାଇଁ ପରିଷଦ ବିଭିନ୍ନ ବିଭାଗ ସହିତ ମିଳିତ ଭାବରେ ଟଙ୍କା ଖର୍ଚ୍ଚକୁ ଗୁରୁତ୍ବ ଦେଇଛି। ଏଥି ଅନ୍ତର୍ଗତରେ ଉଚ୍ଚଶିକ୍ଷା ବିଭାଗ ସହିତ ମିଳିତ ଭାବରେ ୪ କୋଟି ଟଙ୍କାରେ ବିଜୁ ପଟ୍ଟନାୟକ ମହିଳା ମହିଳା କଲେଜର ନିର୍ମାଣ ହେଉଛି। ବନ ବିଭାଗ ସହିତ ମିଳିତ ଭାବରେ ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ବନ୍ୟଜନ୍ତୁ ଆଶ୍ରୟସ୍ଥଳ ପାଇଁ ଇକୋ ପାର୍କ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ କରାଯାଉଛି। ବିଭିନ୍ନ ସ୍ଥାନରୁ ଉଦ୍ଧାର ବନ୍ୟଜନ୍ତୁକୁ ନନ୍ଦନକାନନ ପଠାନଯାଇ ଏଠାରେ ସୁରକ୍ଷିତ ରଖାଯିବା ସହିତ ପର୍ଯ୍ୟଟନ କେନ୍ଦ୍ର ହୋଇପାରିବ ଏହି ଲକ୍ଷ୍ୟ ରହିଛି।

ପୂର୍ବରୁ ଡବ୍ଲୁଓଡିସି ପ୍ରକଳ୍ପ ପାଇଁ ଜିଲ୍ଲାପାଳମାନଙ୍କ ଭାଗିଦାରୀ ରହୁନଥିଲା। ଏଥିଯୋଗୁଁ ଅନୁଦାନ ଅର୍ଥ ଉପଯୋଗ ପତ୍ର ଦାଖଲରେ ବିଳମ୍ବିତ ହେଉଛି। ତେଣୁ ଡବ୍ଲୁଓଡିସି ପ୍ରତ୍ୟେକ ପ୍ରକଳ୍ପ ନିର୍ମାଣରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ଦାୟିତ୍ବ ଛଡ଼ାନଯାଇ ଜିଲ୍ଲାପାଳମାନେ ଏହାକୁ ଗୁରୁତ୍ବ ଦେବାକୁ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଛନ୍ତି। କେତେଦିନରେ ୨୦୨୧-୨୨ର ନୂତନ ପ୍ରକଳ୍ପ ସମାପ୍ତ ହେଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe