ତାତିଲେ ପଶ୍ଚିମ ଓଡ଼ିଶାର ଓକିଲ : ଫେବ୍ରୁଆରି ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

Advertisment

୨୩ଟି ବାର୍‌ ଏସୋସିଏସନ୍‌ ଏକଜୁଟ, ରାଜ୍ୟ ବାର୍‌ କାଉନସିଲ୍‌କୁ ବିରୋଧ

୨୩ଟି ବାର୍‌ ଏସୋସିଏସନ୍‌ ଏକଜୁଟ, ରାଜ୍ୟ ବାର୍‌ କାଉନସିଲ୍‌କୁ ବିରୋଧ

ତାତିଲେ ପଶ୍ଚିମ ଓଡ଼ିଶାର ଓକିଲ : ଫେବ୍ରୁଆରି ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

Photo-Odisha news times

ବଲାଙ୍ଗୀର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ୧୭ଟି ବାର୍‌ ଏସୋସିଏସନ ସହିତ ସିଏସି କର୍ମକର୍ତ୍ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ରହିଛି ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଘୋଷଣା କରାଯିବା ପରେ ତାତିଛନ୍ତି ପଶ୍ଚିମ ଓଡ଼ିଶାର ଓକିଲ। ରାଜ୍ୟ ପରିଷଦର ଏହି ଆଭିମୁ୍‌ଖ୍ୟ ବିରୋଧରେ ବିଭିନ୍ନ ଜିଲ୍ଲାର ଓକିଲ ସଂଘ କର୍ମକର୍ତ୍ତା ଆଜି ଏକଜୁଟ ହୋଇ ରାଜ୍ୟ ଆଇନଜୀବୀ ପରିଷଦର କାର୍ଯ୍ୟକୁ ନିନ୍ଦା କରିଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଏହା ଏକ ଉଦ୍ୟମ ବୋଲି କହିଛନ୍ତି। ଏହା ବିରୋଧରେ ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଆସନ୍ତା ଫେବ୍ରୁଆରି ୫ ତାରିଖ ଦିନ ୧୨ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

ବଲାଙ୍ଗୀର ଓକିଲ ସଂଘର ସଭାପତି ପ୍ରମୋଦ ତ୍ରିପାଠୀ ଓ ସମ୍ବଲପୁର ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନଙ୍କ ଆବାହକତ୍ୱରେ ସ୍ଥାନୀୟ ସିଭିଲ କୋର୍ଟ ବାର୍‌ ହଲଠାରେ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ‘ଫାଇଟ୍ ଫର୍ ଲୟରସ୍ ରାଇଟ୍’ ବ୍ୟାନର୍‌ରେ ଅନୁଷ୍ଠିତ ଏହି ବୈଠକରେ ପଶ୍ଚିମ ଓଡ଼ିଶାର ପ୍ରାୟ ୨୩ଟି ବାର୍ ଏସୋସିଏସନର ସଭାପତିମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସେମାନେ ଶପଥ ନେଇଥିଲେ। ଓକିଲମାନଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବା ପାଇଁ ଦରକାର ପଡ଼ିଲେ ସୁପ୍ରିମ କୋର୍ଟକୁ ଯିବା ପାଇଁ ମଧ୍ୟ ସେମାନେ ପ୍ରସ୍ତୁତ ଅଛନ୍ତି ବୋଲି ଚେତାବନୀ ଦେଇଥିଲେ। ପଶ୍ଚିମ ଓଡ଼ିଶାର ଜନସାଧାରଣ ତଥା ଓକିଲମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଥିବାରୁ ଏହା ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବିକୁ ମଜବୁତ କରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି କ୍ରମରେ ବାର୍‌ କାଉନସିଲ ଅଫ୍ ଇଣ୍ଡିଆର ମନମୁଖୀ କାରବାର ଓ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୋଧରେ ଆସନ୍ତା ଫେବ୍ରୁଆରି ୫ ତାରିଖ ଦିନ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଦିନ ସମଗ୍ର ପଶ୍ଚିମ ଓଡ଼ିଶାର ସମସ୍ତ ଦୋକାନ, ବଜାର, ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବୀମା ପ୍ରତିଷ୍ଠାନ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଖୁବ୍‌ଶୀଘ୍ର ପଶ୍ଚିମ ଓଡ଼ିଶାର ଓକିଲମାନଙ୍କ ଏକ ପ୍ରତିନିଧିଦଳ ରାଜ୍ୟ ସରକାରଙ୍କ ଗୃହ ସଚିବ ଓ ଆଇନ ସଚିବଙ୍କୁ ସାକ୍ଷାତ କରିବେ। ଓକିଲମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଦୁଇ ସଚିବ ଏଟର୍ଣ୍ଣି ଜେନେରାଲଙ୍କୁ ସଠିକ ନିର୍ଦେଶ ଦେବାକୁ ଦାବି କରାଯିବ ବୋଲି ନିଷ୍ପତ୍ତି ଗୃହୀତ ହୋଇଥିଲା।

ବୈଠକରେ ପୂର୍ବ ଓଡ଼ିଶାର ଓକିଲମାନେ ପଶ୍ଚିମ ଓଡ଼ିଶାର ଲୋକଙ୍କୁ ନ୍ୟାୟ ମିଳିବାରେ ବାଧକ ସାଜିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା ଏବଂ ରାଜ୍ୟ ବାର୍‌ କାଉନସିଲର କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରାଯାଇଥିଲା। ସେହିପରି ମାନ୍ୟବର ସୁପ୍ରିମକୋର୍ଟ ଓକିଲଙ୍କ ପକ୍ଷ କିମ୍ବା ଆନ୍ଦୋଳନରତ ସିଭିଲ ସୋସାଇଟି କର୍ମକର୍ତ୍ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେଇନଥିବାରୁ ଆଗାମୀ ଦିନରେ ଏହି ମାମଲାରେ ଇଣ୍ଟଭେନର ହୋଇ ପକ୍ଷଭୁକ୍ତ ହେବାକୁ ଆବେଦନ କରାଯିବ। ଓକିଲଙ୍କ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ପାଇଁ କ୍ୟାପଟେନ ହରିଶ ପାଲ ଭର୍ସେସ କେନ୍ଦ୍ର ସରକାର ମାମଲାରେ ହୋଇଥିବା ନିର୍ଦେଶକୁ ପୁନଃବିଚାର କରିବାକୁ ଆବେଦନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe