ବିଷ ବଳୟରେ ଆର୍ଦ୍ରଭୂମି ! ୮ଟି ଆର୍ଦ୍ରଭୂମି ଅଧ୍ୟୟନରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

କିଡ୍‌ନି ରୋଗର କାରଣ ଭାରୀଧାତୁ, ଚିନ୍ତା ବଢ଼ାଇଲା ୩ ବିଶ୍ବବିଦ୍ୟାଳୟର ଗବେଷଣା ରିପୋର୍ଟ

ବିଷ ବଳୟରେ ଆର୍ଦ୍ରଭୂମି ! ୮ଟି ଆର୍ଦ୍ରଭୂମି ଅଧ୍ୟୟନରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

Earth Journalism Network

ଭୁବନେଶ୍ବର: ହୀରାକୁଦ ସମେତ ଓଡ଼ିଶାର ଅନ୍ୟ ୮ ଟି ଆର୍ଦ୍ରଭୂମିରେ ଅଧିକ ମାତ୍ରାରେ କ୍ୟାନସର୍‌ ସୃଷ୍ଟିକାରୀ ଭାରୀଧାତୁର ବିଷ ଭରି ହୋଇରହିଛି। ଉଭୟ ବୟସ୍କ ଓ ଶିଶୁଙ୍କ ପାଇଁ ଏହା ବିପଦ ଏବଂ କ୍ୟାନସର୍‌ ସୃଷ୍ଟିର ଭୟ ରଖେ। କେବଳ ସେତିକି ନୁହେଁ, ଏସବୁ ବିଷାକ୍ତ ଭାରୀଧାତୁ ମୃତ୍ତିକା ମାଧ୍ୟମରେ ଫସଲରେ ପ୍ରବେଶ କରିବା ସହିତ ପରବର୍ତ୍ତୀ ସମୟରେ ଏହା ଖାଦ୍ୟ, ପାନୀୟ ଏବଂ ଅନ୍ୟାନ୍ୟ ଉପାୟରେ ମଣିଷ ଶରୀରକୁ ପ୍ରବେଶ କରିଥାଏ। ଭାରୀଧାତୁର ‘ମୃଦୁ ବିଷ’ ମଧ୍ୟରେ ସୀସା, କ୍ରୋମିୟମ୍, ପାରଦ, ଜିଙ୍କ୍‌, ତମ୍ବା, ନିକେଲ୍‌, ମାଙ୍ଗାନିଜ୍‌, ଆର୍ସେନିକ୍‌ ଆଦି ରହିଛି। ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଗତ ସେପ୍ଟେମ୍ବର ମାସରେ “ସାଇଣ୍ଟିଫିକ୍‌ ରିପୋର୍ଟ” ପତ୍ରିକାରେ ପ୍ରକାଶ ପାଇଛି।

ଗବେଷକମାନେ ଦର୍ଶାଇଛନ୍ତି ଯେ ସହରୀକରଣ, ଶିଳ୍ପାୟନ ଏବଂ ରାସାୟନିକ କୃଷି ପଦ୍ଧତି ଭଳି ମାନବୀୟ କାର୍ଯ୍ୟକଳାପ ଓଡ଼ିଶାର ଆର୍ଦ୍ରଭୂମିକୁ ଭାରୀଧାତୁର ମୃଦୁ ବିଷ ବଳୟ ମୁହଁକୁ ନେଇଗଲାଣି। ଏସବୁ ଭାରୀଧାତୁ ସମୂହ ଆର୍ଦ୍ରଭୂମିର ମାଟି ଓ ପଙ୍କରେ ବୁଡି ରହିଥାଏ। ଖାଦ୍ୟ ଶୃଙ୍ଖଳା ମାଧ୍ୟମରେ
ଏସବୁର ବିଷ ପ୍ରକ୍ରିୟା ପ୍ରତ୍ୟକ୍ଷ ଓ ପରୋକ୍ଷରେ ପରିବେଶ ଓ ପରିସଂସ୍ଥାନକୁ ପ୍ରବେଶ କରିଥାଏ ଏବଂ ଧୀରେ ଧୀରେ ପ୍ରାଣୀମାନଙ୍କ ମୃତ୍ୟୁର କାରଣ ପାଲଟିଥାଏ। ଆର୍ଦ୍ରଭୂମିର ଜଳକୁ ଯଦିଓ ମଣିଷ ସିଧାସଳଖ ଭାବେ ଅଧିକାଂଶ ସମୟରେ ବ୍ୟବହାର କରିନଥାଏ ବୋଲି ଦେଖାଯାଇଥାଏ, ମାତ୍ର ଅନେକ କ୍ଷେତ୍ରରେ କେତେକ ସ୍ଥାନୀୟ ଜନସାଧାରଣ ଏହାକୁ ପ୍ରତ୍ୟକ୍ଷ ଭାବେ ବ୍ୟବହାର କରିଥାନ୍ତି। ଏହାସହିତ ଆଖପାଖ ଅଞ୍ଚଳର ସମସ୍ତ ବାସିନ୍ଦାମାନେ ଆର୍ଦ୍ରଭୂମିରୁ ଉତ୍ପନ୍ନ ଖାଦ୍ୟ ଶସ୍ୟକୁ ସେବନ କରିଥାନ୍ତି।

ଚନ୍ଦନେଶ୍ୱର, ଭଦ୍ରକ, ଚିଲିକା, ଦାରିଙ୍ଗିବାଡ଼ି, ହୀରାକୁଦ, କୋରାପୁଟ, ତାଳଚେର ଓ ଟିଟିଲାଗଡ଼ ବିପଦରେ
ଭାରୀଧାତୁ ବିଷ କ୍ୟାନସର ରୋଗ ସୃଷ୍ଟି କରୁଛି
ଜଙ୍ଗଲ, ପରିବେଶ ବିଭାଗ ପାଇଁ ନୂଆ ଆହ୍ବାନ

ଗବେଷକମାନେ ଓଡ଼ିଶାର ୮ଟି ଆର୍ଦ୍ରଭୂମି ଅଧ୍ୟୟନ କରି ଜାଣିପାରିଛନ୍ତି ଯେ ଏହା ସଂଲଗ୍ନ ଚାଷ ଜମିରେ ପରିବେଶଗତ ବିପଦ ଏବଂ ଭାରୀଧାତୁର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ଉପରେ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଛି। ମୁଖ୍ୟତଃ ସୀସା ଓ କ୍ରୋମିୟମ୍‌ ଭଳି ଭାରୀଧାତୁର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ଗୁରୁତର ବୋଲି ଦର୍ଶାଇ ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗବେଷକମାନେ ଓଡ଼ିଶାର ଚନ୍ଦନେଶ୍ୱର, ଚିଲିକା, ଦାରିଙ୍ଗିବାଡ଼ି, କୋରାପୁଟ, ଭଦ୍ରକ, ହୀରାକୁଦ, ତାଳଚେର ଓ ଟିଟିଲାଗଡ଼ ଭଳି ସ୍ଥାନରେ ରହିଥିବା ଆର୍ଦ୍ରଭୂମି ଉପରେ ଅନୁଧ୍ୟାନକରି ନିଜର ଗବେଷଣାତ୍ମକ ନିବନ୍ଧ ପ୍ରସ୍ତୁତ କରିଛନ୍ତି। ଗବେଷକମାନେ ଅନୁଧ୍ୟାନ ପାଇଁ ଉପରୋକ୍ତ ଆର୍ଦ୍ରଭୂମିରୁ ୧୪୪ ପ୍ରକାର ନମୁନା ସଂଗ୍ରହ କରିଥିଲେ। ହୀରାକୁଦରେ ସର୍ବାଧିକ ସୀସା (ଗ୍ରାମ୍‌ ପିଛା ୫୧.୨୫ ମାଇକ୍ରୋଗ୍ରାମ୍‌) ଓ କ୍ରୋମିୟମ୍ (ଗ୍ରାମ ପିଛା ୨୬୬ ମାଇକ୍ରୋଗ୍ରାମ୍‌)ର ମାତ୍ରା ରହିଥିବା ପ୍ରମାଣ ମିଳିଛି। ଭଦ୍ରକସ୍ଥିତ ଆର୍ଦ୍ରଭୂମିରେ ସର୍ବାଧିକ ତମ୍ବା (ଗ୍ରାମ୍‌ ପିଛା ୩୪.୨୭ ମାଇକ୍ରୋଗ୍ରାମ)ର ମାତ୍ରା ରହିଛି। ସେହିପରି କୋରାପୁଟ ଆର୍ଦ୍ରଭୂମିରେ ଜିଙ୍କ୍‌ ମାତ୍ରା ସର୍ବାଧିକ ଥିବା ଏହି ରିପୋର୍ଟ କହୁଛି। ଅନ୍ୟଠାରେ କ୍ରୋମିୟମ୍ ମାତ୍ରା ଅତ୍ୟଧିକ ଅଟେ ବୋଲି ଅନୁଧ୍ୟାନରୁ ଜଣାପଡିଛି।

ଉଲ୍ଲେଖଥାଉକି, ଅତୀତରେ ଚିଲିକାରେ ପାରଦର ଅତ୍ୟଧିକ ମାତ୍ରାକୁ ନେଇ ପକ୍ଷୀ ବିଶାରଦ ଓ ଗବେଷକମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାର ନିରାକରଣ ପାଇଁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ସାଇଣ୍ଟିଫିକ୍‌ ରିପୋର୍ଟ ପତ୍ରିକାର ଅନୁଧ୍ୟାନକାରୀ ଗବେଷକମାନେ ଉପରୋକ୍ତ ଭାରୀଧାତୁ ସମୂହ କିପରି ଆମର ଆର୍ଦ୍ରଭୂମୀ ପରିସଂସ୍ଥାନ ଉପରେ କୁପ୍ରଭାବ ପକାଇ ଏହାକୁ କ୍ରମାଗତଭାବେ ନଷ୍ଟ କରୁଛି ତା’ର ଆକଳନ କରିଛନ୍ତି। ବିପଦ ତାଲିକାରେ ହୀରାକୁଦ ସବୁଠାରୁ ଉପରେ ରହିଛି। ତାଳଚେର, ଭଦ୍ରକ, ଟିଟିଲାଗଡ଼, ଚିଲିକା, ଚନ୍ଦନେଶ୍ୱର, କୋରାପୁଟ ଓ ଦାରିଙ୍ଗିବାଡି ଯଥାକ୍ରମେ ପଛକୁ ପଛ ରହିଛନ୍ତି। ଓଡ଼ିଶାର ଉପରୋକ୍ତ ୮ ଟି ଆର୍ଦ୍ରଭୂମିକୁ ଅନୁଧ୍ୟାନ କରିଥିବା ଗବେଷକମାନେ ଆହୁରି କହିଛନ୍ତି, “ମାନବୀୟ ବ୍ୟବହାର ଜନିତ କାର୍ଯ୍ୟକଳାପ ଆର୍ଦ୍ରଭୂମିର ମୃଦୁ ବିଷକୁ ଅଧିକ ମାତ୍ରାରେ ବିଷାକ୍ତ କରୁଛି। ଆର୍ଦ୍ରଭୂମି ନିକଟସ୍ଥ ଚାଷ ଜମିରେ ରାସାୟନିକ କୀଟନାଶକର ବହୁଳ ପ୍ରୟୋଗ ସ୍ଥିତିକୁ ଅଧିକମାତ୍ରାରେ ସଙ୍ଗିନ୍ କରିଦେଉଛି। ବିଷାକ୍ତ ଭାରୀଧାତୁ ପ୍ରଭାବିତ ଆର୍ଦ୍ରଭୂମି ଅଞ୍ଚଳର ପନିପରିବା, ଅନ୍ୟ ଖାଦ୍ୟଶସ୍ୟ ତଥା ମାଛ ଓ କଙ୍କଡା ପ୍ରଭୃତିକୁ ଖାଦ୍ୟ ଭାବେ ଗ୍ରହଣ କରିବା ଦ୍ୱାରା କ୍ୟାନସର୍‌ ଭଳି ରୋଗ ବୃଦ୍ଧି ପାଇଚାଲିବ ବୋଲି ସେମାନେ ସତର୍କ କରାଇଦେଇଛନ୍ତି।

ସାଇଣ୍ଟିଫିକ୍‌ ରିପୋର୍ଟ ପତ୍ରିକା ଆହୁରି ଆଶଙ୍କା ବ୍ୟକ୍ତ କରିଛି ଯେ ଖୁବ୍‌ଶୀଘ୍ର ତାମ୍ପରା ଭଳି ଅନ୍ୟ ରାମସାଟ୍‌ ଆର୍ଦ୍ରଭୂମି ସମେତ ରାଜ୍ୟର କଳିଙ୍ଗନଗରସ୍ଥିତ ସୁକିନ୍ଦା ପାଟ ଭଳି ଦୃଷ୍ଟିର ଆଢୁଆଳରେ ରହିଥିବା ଅଞ୍ଚଳ ପ୍ରତି ବିପଦ ମାଡ଼ିଆସୁଛି। ବିଶିଷ୍ଟ ପରିବେଶବିତ୍ ତଥା ଆଇନ ବିଶେଷଜ୍ଞ ଶଙ୍କର ପ୍ରସାଦ ପାଣି କହିଛନ୍ତି, ଏସବୁର ଅନୁଧ୍ୟାନ ପାଇଁ ଯଥାଶୀଘ୍ର ରାଜ୍ୟ ଜଙ୍ଗଲ, ପରିବେଶ, ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଅନୁଧ୍ୟାନ ଆରମ୍ଭ କରନ୍ତୁ। ଏବେ ଠାରୁ ସତର୍କ ନ ହେଲେ କ୍ୟାନସର୍‌ ଭଳି ରୋଗର ମୂଳ କାରଣ ଓଡ଼ିଶାର ଆର୍ଦ୍ରଭୂମି ପାଲଟିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ଚିନ୍ତା ବଢ଼ାଇଲା ୩ ବିଶ୍ବବିଦ୍ୟାଳୟର ଗବେଷଣା ରିପୋର୍ଟ

ଗବେଷଣାରୁ ଜଣାପଡ଼ିଥିଲା ଯେ ସ୍ଥାନୀୟ ଖାଦ୍ୟଶସ୍ୟ ଲିଡ୍‌(ସିସା) ଦ୍ବାରା ବିଷାକ୍ତ ହୋଇଯାଇଛି। ସମସ୍ତ ସଂଗୃହୀତ ନମୁନାରେ ଲିଡ୍‌ର ଉପସ୍ଥିତି ଅଧିକ ରହିଛି। ଯାହାକି ୦.୧ ଏମ୍‌ଜି/କେଜିର ଧାର୍ଯ୍ୟ ମାନଦଣ୍ଡଠାରୁ ଯଥେଷ୍ଟ ଅଧିକ। ଲିଡ୍‌ ଓ କ୍ୟାଡମିୟମ ଶରୀରକୁ ଯିବାପରେ କିଡ୍‌ନି ଓ ହାଡ଼ରେ ଜମା ହୋଇଥାଏ। ଯେଉଁମାନେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ଆକ୍ରାନ୍ତ ସେମାନଙ୍କ ଖାଦ୍ୟରେ ଯଦି କ୍ୟାଡମିୟମ୍‌ ଶରୀରକୁ ଯାଇଥାଏ ତାହାଲେ ଧୀରେ ଧୀରେ ସେମାନଙ୍କଠାରେ କିଡ୍‌ନି ରୋଗ ଦେଖା ଦେଇଥାଏ। ଏ ଦୃଷ୍ଟିରୁ ସ୍ଥାନୀୟ ଲୋକମାନେ ଭାତ ଖାଇବା ଅସୁରକ୍ଷିତ ବୋଲି ଗବେଷକମାନେ ଦର୍ଶାଇଛନ୍ତି। ମହାନଦୀ ଅବବାହିକାରେ ଦୀର୍ଘଦିନ ଧରି ରସାୟନିକ ସାରର ପ୍ରୟୋଗ ଓ ଶିଳ୍ପ ସଂସ୍ଥାରୁ ନିର୍ଗର ବର୍ଜ୍ୟବସ୍ତୁ କାରଣରୁ ଖାଦ୍ୟଶସ୍ୟରେ ଭାରୀ ଧାତୁ ଦେଖିବାକୁ ମିଳିଥାଇପାରେ ବୋଲି ଗବେଷଣାରେ କୁହାଯାଇଛି। ଏପରିକି ଭାରୀ ଧାତୁ ଦୀର୍ଘଦିନ ଧରି ମଣିଷ ଶରୀରକୁ ଯିବା ଫଳରେ ଏହା କର୍କଟ ରୋଗର ଆଶଙ୍କାକୁ ବଢ଼ାଇ ଦେଇଥାଏ ବୋଲି ଗବେଷକମାନେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe