୮ ବର୍ଷରେ ୩ୟ ଘଟଣା : ଗଞ୍ଜାମ ଉପକୂଳରେ ବିରଳ ହେ୍ଵଲ୍‌ ସାର୍କ!

Advertisment
୮ ବର୍ଷରେ ୩ୟ ଘଟଣା : ଗଞ୍ଜାମ ଉପକୂଳରେ ବିରଳ ହେ୍ଵଲ୍‌ ସାର୍କ!

ବ୍ରହ୍ମପୁର/ଚିକିଟି : ଅତି ବିରଳ ରିହିନୋକୋଡନ୍‌ ଟିପସ୍‌ ପ୍ରଜାତିର ସାର୍କ, ବିଲୁପ୍ତପ୍ରାୟ ତାଲିକାରେ ସ୍ଥାନପାଇଥିବା ତଥା ପୃଥିବୀର ସବୁ ଠାରୁ ବଡ଼ ମାଛ ‘ହେ୍ଵଲ୍‌ ସାର୍କ’ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତର ସମୁଦ୍ରରେ ଦେଖାଦେଇଛି। ୨୦୧୦ ଠାରୁ ୨୦୧୮ ମଧ୍ୟରେ ଗଞ୍ଜାମ ଉପକୂଳରେ ଏହି ମାଛର ଦୃଶ୍ୟମାନ ହେବା ତୃତୀୟ ଘଟଣା। ସମୁଦ୍ର ପଠାରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଏହି ହେ୍ଵଲ୍‌ ସାର୍କ ମାଛକୁ କିଛି ଯୁବକ ଉଦ୍ଧାର କରି ପୁଣି ସମୁଦ୍ର ମଧ୍ୟକୁ ଛାଡ଼ି ଦେଇଥିଲେ।

ମିଳିଥିବା ସୂଚନାନୁସାରେ, ଆଜି ସକାଳ ପ୍ରାୟ ୬ଟା ବେଳେ ପାଟି ସୁନାପୁର ଉପକୂଳରେ ଏକ ବିଚିତ୍ର ପ୍ରଜାତିର ବିରାଟକାୟ ମାଛ ସମୁଦ୍ର ପଠାରେ ଓଲଟି ପଡ଼ିଥିବା ଦେଖିବାକୁ ମିଳିଥିଲା। ମାଛଟିର ଲମ୍ବ ୯-୧୦ ଫୁଟ୍‌ ହୋଇଥିବାବେଳେ ଓଜନ ପ୍ରାୟ ୪୦୦ କିଲୋଗ୍ରାମ। ସ୍ଥାନୀୟ ଯୁବକମାନେ ଏହାକୁ ଦେଖି ୪୦ ମିନିଟ୍‌ର ଅକ୍ଲାନ୍ତ ପରିଶ୍ରମ ପରେ ମାଛଟିକୁ ନେଇ ସମୁଦ୍ରରେ ଛାଡ଼ିଥିଲେ।

ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରାଙ୍କ କହିବାନୁସାରେ, ‘ପାଟୁ ସୁନାପୁର, ଗୋପାଳପୁର ଆଦି ଇଲାକାରେ ଏହି ହେ୍ଵଲ୍‌ ସାର୍କ ଦେଖାଯାଉଥିବା ସୂଚନା ରହିଛି। ତେବେ ସେମାନଙ୍କ ସୁରକ୍ଷା କିମ୍ବା ତଥ୍ୟ ସଂଗ୍ରହ ପାଇଁ ବନ ବିଭାଗ ନିକଟରେ ସେଭଳି କିଛି ଠୋସ୍‌ ବ୍ୟବସ୍ଥା ନାହିଁ।’

ଅନ୍ୟପକ୍ଷରେ, ପରିବେଶବିତ୍‌ କହିଛନ୍ତି ଯେ, ୨୦୧୦ରେ ଓଡ଼ିଶାର ଗୋପାଳପୁର ଠାରେ ପ୍ରଥମେ ଦେଖାଦେଇଥିବା ବେଳେ ୧୩ ମାର୍ଚ୍ଚ ୨୦୧୬ରେ ଗୋପାଳପୁର ପୋର୍ଟ ନିକଟରେ ଏହି ସାର୍କ ଦ୍ୱତୀୟଥର ଦେଖାଦେଇଥିଲା। ଏହି ସାର୍କ ସାଧାରଣତଃ ୫ରୁ ୧୦ମିଟର ଲମ୍ବା ଓ ପୂର୍ଣ୍ଣ ବିକାଶରେ ୨୦ଟନ୍‌ ଯାଏଁ ଓଜନ ହୋଇଥାନ୍ତି। ଏହି ଦୃଷ୍ଟିରୁ ଆଜି ଦେଖାଦେଇଥିବା ସାର୍କଟି ଶିଶୁ ହେ୍ଵଲ୍‌ ସାର୍କ ବୋଲି ସେମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe