ବିଜେଡି ସଂଗଠନର ଭବିଷ୍ୟତ କେଉଁ ଦିଗରେ?

Advertisment

ଅଚ୍ୟୁତଙ୍କ ସନ୍ନ୍ୟାସ ପରେ କନ୍ଧମାଳ ରାଜନୀତି ସମୀକରଣ

ଅଚ୍ୟୁତଙ୍କ ସନ୍ନ୍ୟାସ ପରେ କନ୍ଧମାଳ ରାଜନୀତି ସମୀକରଣ

ଅଚ୍ୟୁତଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୧ଲକ୍ଷ ୨୮ ହଜାର ଟଙ୍କା: ନାହିଁ ଘର, ଜମି, ସୁନା କି ଗାଡ଼ି

The Logical Indian

ଫୁଲବାଣୀ: ନିର୍ବାଚନରେ ବିଜେଡିର ବହୁ ‌‌ହେଭିୱେଟ୍ ନେତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏଥିରୁ ପୂର୍ବତନ କନ୍ଧମାଳ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ବି ବାଦ୍ ପଡ଼ିନାହାନ୍ତି। ଚଳିତ ନିର୍ବାଚନରେ ଅଚ୍ୟୁତଙ୍କୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ପରାସ୍ତ କରିଛନ୍ତି। ଏହି ପରାଜୟ ପରେ ଅଚ୍ୟୁତ ରାଜନୀତିରୁ ସନ୍ୟାସ ନେଇଛନ୍ତି। ଅଚ୍ୟୁତଙ୍କ ଏହି ନିଷ୍ପତ୍ତି ପରେ କନ୍ଧମାଳ ଜିଲ୍ଲାରେ ରାଜନୀତି ସମୀକରଣରେ ପରିବର୍ତ୍ତିତ ଚିତ୍ର ଦେଖିବାକୁ ମିଳିବ। ବିଜେଡିର ସାଂଗଠନିକ ସ୍ଥିତି କେଉଁ ଦିଗରେ ପରିଚାଳିତ ହେବ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ୨୦୧୯ ନିର୍ବାଚନରେ ଅଚ୍ୟୁତ ଏହି ଲୋକସଭା ଆସନରୁ ବିଜୟୀ ହେବା କନ୍ଧମାଳ ଜିଲ୍ଲା ବିଜେଡି ରାଜନୀତିରେ ତାଙ୍କର ଅଖଣ୍ଡ ପ୍ରଭାବ ବିସ୍ତାର ହୋଇଥିଲା। ତାଙ୍କ ସୁପାରିସରେ ହିଁ ଜିଲ୍ଲା ବିଜେଡି ସଭାପତି ଓ ମହିଳା ବିଜେଡି ସଭାପତି ମନୋନୟନ ଠାରୁ ଆରମ୍ଭ କରି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ, ପୌର ନିର୍ବାଚନରେ ଉଭୟ କାଉନ୍‌ସିଲର ଏବଂ ପୌର ଅଧ୍ୟକ୍ଷ ପଦ ପାଇଁ ଟିକେଟ୍ ବଣ୍ଟନ ସବୁକିଛି ହୋଇଥିଲା। ସମସ୍ତ ବ୍ଲକ୍ ବିଜେଡି ସଭାପତିଙ୍କ କାର୍ଯ୍ୟଧାରାକୁ ବି ତଦାରଖ କରି ଆସୁଥିଲେ। ଆଜି ବି ଅନେକ ବ୍ଲକ୍‌ର ବିଜେଡି ସଭାପତି ଅଚ୍ୟୁତଙ୍କ ଜଣେ ଜଣେ ଦୃଢ଼ ସମର୍ଥକ।

ତେବେ ଚଳିତ ନିର୍ବାଚନ ଆଗରୁ କନ୍ଧମାଳ ରାଜନୀତିରେ ନୂଆ ସମୀକରଣ ଆରମ୍ଭ ହୋଇଯାଇଥିଲା। ଅଚ୍ୟୁତଙ୍କ ପ୍ରଭାବକୁ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ସହଜରେ ଗ୍ରହଣ କରିପାରି ନଥିଲେ। ଫଳରେ ଦୁଇ ନେତାଙ୍କ ଗୋଷ୍ଠୀ ଭିତରେ ଛକାପଞ୍ଝା ଆରମ୍ଭ ହୋଇଥିଲା। ଯାହାର ଫଳସ୍ବରୂପ ୨୦୨୨ ପୌର ନିର୍ବାଚନରେ ଅଚ୍ୟୁତଙ୍କ ସମର୍ଥିତ ଫୁଲବାଣୀ ପୌରାଧ୍ୟକ୍ଷା ପ୍ରାର୍ଥୀ ପୁନମ୍‌ କହଁରଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ବିଜେପି ପୌରାଧ୍ୟକ୍ଷା ପ୍ରାର୍ଥୀ ସ୍ମିତାରାଣୀ ମହାନ୍ତି ବିଜୟୀ ହୋଇଥିଲେ। ଅଚ୍ୟୁତଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ହରାଇବାକୁ ପଦ୍ମନାଭଙ୍କ ଗୋଷ୍ଠୀ ଦିନରାତି ଏକ କରି ଏଥିରେ ସଫଳ ହୋଇଥିଲେ। ଏହି ପରାଜୟରୁ ହିଁ ଅଚ୍ୟୁତଙ୍କ ପତିଆରା ସାମାନ୍ୟ ପ୍ରଭାବିତ ହୋଇଥିଲା। ତଥାପି ସାଧାରଣ ନିର୍ବାଚନ ଆଗରୁ ସେ ବିଜେଡି ରାଜନୀତିରେ ପ୍ରଭାବ ବିସ୍ତାର ଜାରି ରଖିଥିଲେ। ସେହିପରି ସମାଜସେବା, ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ କ୍ରୀଡ଼ା, ଯୁବସେବା, ସ୍ବାସ୍ଥ୍ୟ ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକପ୍ରିୟତାକୁ ବଢ଼ାଇଥିଲେ। ନିଜର 'କିଟ୍‌-କିସ୍‌' ଅନୁଷ୍ଠାନ ଜରିଆରେ କନ୍ଧମାଳରୁ ଅନେକ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନର ବ୍ୟବସ୍ଥା କରିଥି‌ଲେ। ଅନେକ ପ୍ରତିଭାବାନ୍ ଆଦିବାସୀ କ୍ରୀଡ଼ାବିତ୍‌ଙ୍କ ମାଗଣା ପ୍ରଶିକ୍ଷଣ ବ୍ୟବସ୍ଥା କରାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବିଜେତା କରାଇ ପାରିଥିଲେ। ସେହିପରି ନିଜସ୍ବ ଉଦ୍ୟମରେ ନିଯୁକ୍ତି ମେଳାର ଆୟୋଜନ କରି ଆସୁଥିଲେ। କିନ୍ତୁ ଏତେ ଲୋକପ୍ରିୟତା ସତ୍ତ୍ବେ ଅଚ୍ୟୁତଙ୍କ ପରାଜୟ ରାଜନୈତିକ ସମୀକ୍ଷକଙ୍କୁ ଚକିତ କରିଛି। ପରାଜୟ ପରେ ସେ ରାଜନୀତିରୁ ସେ ସନ୍ୟାସ ନେବା ପରେ ବିଜେଡିର ସଂଗଠନ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଚର୍ଚ୍ଚା ଜୋର୍ ଧରିଛି। କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଅଙ୍ଗଦ କହଁର କହିଛନ୍ତି, ଜିଲ୍ଲା ରାଜନୀତିରେ ଅଚ୍ୟୁତଙ୍କ ଦବ୍‌ଦବା ରହିଥିଲା। ଏଥିରେ କୌଣସ ଦ୍ବିମତ ନାହିଁ। ତେବେ ପରାଜୟର କାରଣ ନେଇ ଦଳ ପକ୍ଷରୁ ମାନସମନ୍ଥନ ହେବ। ଆଗାମୀ ଦିନର ଦଳର ସଂଗଠନକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe