ଟିକା ନେଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କେତେ?

Advertisment

ଧରାଛୁଆଁ ଦେଉ ନାହାନ୍ତି ଟିକାକରଣ ନୋଡାଲ ଅଧିକାରୀ

ଧରାଛୁଆଁ ଦେଉ ନାହାନ୍ତି ଟିକାକରଣ ନୋଡାଲ ଅଧିକାରୀ

ସମସ୍ତଙ୍କୁ ଟିକା ଦେବାରେ ଭୁବନେଶ୍ବର ହେବ ପ୍ରଥମ ସହର!

ValuePenguin

ଭୁବନେଶ୍ବର : ରାଜ୍ୟରେ କରୋନା ଟିକା ନେବା ପରେ କେତେଜଣ ସଂକ୍ରମିତ (ବ୍ରେକ୍ ଥ୍ରୁ ଇନଫେକସନ୍‌) ହୋଇଛନ୍ତି, ତାହାର ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଏଭଳି ଅନେକ ଲୋକ ଟିକା ପ୍ରଥମ କିମ୍ବା ଦ୍ବିତୀୟ ଡୋଜ୍ ନେବା ପରେ ମଧ୍ୟ ସଂକ୍ରମିତ ହେଉଥିବା ଖବର ସାମ୍ନାକୁ ଆସୁଛି। ହେଲେ ସେଭଳି ଲୋକଙ୍କ ସଂଖ୍ୟା କେତେ? ତାହାର ତାଲିକା ରାଜ୍ୟ ସରକାରଙ୍କ ନାହିଁ। ଏପରିକି ଏହି ଲୋକଙ୍କୁ ଚିହ୍ନଟ କରିବା ଲାଗି କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ତେଣୁ ଟିକା ନେବା ପରେ କେତେ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି, ତାହା ଜଣା ପଡ଼ୁନାହିଁ।

ରାଜ୍ୟରେ ଟିକାକରଣକୁ ୫ ମାସରୁ ଅଧିକ ସମୟ ହୋଇଥିବା ବେଳେ ଏବେ ସୁଦ୍ଧା ୭୦ ଲକ୍ଷରୁ ଅଧିକ ଲୋକ ଟିକା ନେଇସାରିଲେଣି। ଏଥିରେ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା, ୪୫ବର୍ଷରୁ ଅଧିକ ଓ ୧୮-୪୪ବର୍ଗରୁ ଅଧିକ ଲୋକ ରହିଛନ୍ତି। ଏବେ ଦୈନିକ ସଂକ୍ରମଣ ୧୧ରୁ୧୨ହଜାର ରହିଛି। ଏଥିରେ ଅନେକ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ସଂକ୍ରମିତ ହେଉଛନ୍ତି। ହେଲେ ଏଭଳି ସଂକ୍ରମିତଙ୍କ ସଂଖ୍ୟା କେତେ? ଶହେ କି ହଜାରେ କିମ୍ବା ଦୁଇ ହଜାର? ଟିକା ନେଇଥିବା କେତେଜଣ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହେଲାଣି? ଏସବୁ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ। ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଟିକା ନେଇଛନ୍ତି କି ନାହିଁ, ସେ ସଂପର୍କରେ ପଚରା ଯାଉନାହିଁ। ଏପରିକି ଟିକା ନେଇ ଯେଉଁମାନେ ହସ୍ପିଟାଲରେ ଆଡମିଟ୍‌ ହେଉଛନ୍ତି, ସେଠାରେ ମଧ୍ୟ ହସ୍ପିଟାଲରେ ଏହାର ରେକର୍ଡ ରହୁନାହିଁ। ରାଜ୍ୟ ସରକାର ମଧ୍ୟ ଏଭଳି ଲୋକଙ୍କ ସଂପର୍କରେ ତଥ୍ୟ ହାସଲ କରିବା ଲାଗି ନିଜସ୍ବ କୌଣସି ଆପ୍ ପ୍ରସ୍ତୁତ କରି ନାହାନ୍ତି। କେନ୍ଦ୍ର ସରକାରଙ୍କ କୋ-ୱିନ୍ ଆପ୍‌ରେ ଟିକାକରଣ ସଂପର୍କିତ ତଥ୍ୟ ରହୁଥିବା ବେଳେ ସେଥିରେ ମଧ୍ୟ ଏହାର ତଥ୍ୟ ରଖିବା ଲାଗି କୌଣସି ନିର୍ଦ୍ଦିଷ୍ଟ କଲମ୍‌ ବା ସ୍ତମ୍ଭ ନାହିଁ। ଫଳରେ ଟିକା ନେଇ ସଂକ୍ରମିତଙ୍କ ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟର ଅନୁଶୀଳନ କରାଯାଇ ପାରୁନାହିଁ।

ଟିକାକରଣ ବିଶେଷଜ୍ଞ ଡା. କ୍ଷୀରୋଦ ରାଉତଙ୍କ ମତରେ, ଆଣ୍ଟିଜେନ୍ କିଟ୍‌ କିମ୍ବା ଆର୍‌ଟି-ପିସିଆର୍‌ରେ ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତି ପୂର୍ବରୁ କରୋନା ଟିକା ନେଇଛନ୍ତି କି ନାହିଁ, ତାହାର ତଥ୍ୟ ରହିବା ଦରକାର। ଏ ପ୍ରକାର ତଥ୍ୟ ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ ଫୋନ୍ ଜରିଆରେ ସୂଚନା ଦିଆଯିବା ସମୟରେ ସଂଗ୍ରହ କରାଯାଇ ପାରିବ। ଯଦି ସଂକ୍ରମିତ ବ୍ୟକ୍ତିଜଣକ ପ୍ରଥମ କିମ୍ବା ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି, ସେ ସଂପର୍କରେ ଜଣାଇବେ। ଏହାସହ ଟିକା ନେଇଥିବା ପଜିଟିଭ୍ ବ୍ୟକ୍ତି ଯଦି ହସ୍ପିଟାଲରେ ଆଡମିଟ୍‌ ହୁଅନ୍ତି, ତାହାଲେ ସେଠାରେ ମଧ୍ୟ ହସ୍ପିଟାଲରେ ଏ ସଂପର୍କିତ ତଥ୍ୟ ସଂଗ୍ରହ କରାଯିବା ଉଚିତ। ଏଭଳି ତଥ୍ୟ ସଂଗ୍ରହ ଦ୍ବାରା ପ୍ରକୃତରେ ଲୋକମାନଙ୍କ ଶରୀରରେ କେତେ ପରିମାଣର ଆଣ୍ଟିବଡି ସୃଷ୍ଟି ହେଉଛି, ତାହା ପରବର୍ତ୍ତୀ ଅନୁଶୀଳନ ସମୟରେ ସ୍ପଷ୍ଟ ହୋଇପାରିବ। କୋ-ୱିନ୍‌ ଆପ୍‌ରେ ଏଭଳି ବ୍ୟବସ୍ଥା ନ ଥିବା ବେଳେ ରାଜ୍ୟ ସରକାର ମଧ୍ୟ ନିଜସ୍ବ ଢଙ୍ଗରେ ଏଭଳି କୌଣସି ଆପ୍ ପ୍ରସ୍ତୁତ କରି ନାହାନ୍ତି। ଟିକା କମ୍ପାନିମାନେ ଆଣ୍ଟିବଡି ସୃଷ୍ଟି ହେଉଥିବା ସଂପର୍କରେ ଯେଉଁ ଦାବି ରଖିଛନ୍ତି, ତାହା ଏଭଳି ତଥ୍ୟ ସଂଗ୍ରହ ଦ୍ବାରା ମେଳ ଖାଇପାରିବ ବୋଲି ଡା. ରାଉତ କହିଛନ୍ତି।

ରାଜ୍ୟ ‌ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀଙ୍କୁ ରାଜ୍ୟରେ କେତେ ଜଣ ଟିକା ନେଇ ସଂକ୍ରମିତ ହୋଇଛନ୍ତି, ସେ ସଂପର୍କରେ ତଥ୍ୟ ମଗାଯାଇଥିଲା। ଏକାଧିକଥର ଓ ଏକାଧିକ ଦିନ ପରେ ମଧ୍ୟ ଡା. ପାଣିଗ୍ରାହୀ କୌଣସି ପ୍ରକାର ସୂଚନା ଦେଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe