ନବ-ଗୋପାଳ ଶତ୍ରୁତାର ମଞ୍ଜି କ’ଣ ? ଏ ପ୍ରଶ୍ନର ଉତ୍ତର ଏବେ ବି ଅସ୍ପଷ୍ଟ

Advertisment
ନବ-ଗୋପାଳ ଶତ୍ରୁତାର ମଞ୍ଜି କ’ଣ ? ଏ ପ୍ରଶ୍ନର ଉତ୍ତର ଏବେ ବି ଅସ୍ପଷ୍ଟ

ଝାରସୁଗୁଡ଼ା : କ୍ରାଇମ୍‌ବ୍ରାଞ୍ଚ ଶୁକ୍ରବାର ଝାରସୁଗୁଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍‌ ଦାଖଲ କରିଛି। କୌଣସି ରାଜନୈତିକ କି ବ୍ୟବସାୟିକ ଶତ୍ରୁତା ନୁହେଁ, ବରଂ ବ୍ୟକ୍ତିଗତ ଆକ୍ରୋଶରୁ ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିବା କ୍ରାଇମ୍‌ବ୍ରାଞ୍ଚ ସ୍ପଷ୍ଟ କରିଛି। ତେବେ କ୍ରାଇମ୍‌ବ୍ରାଞ୍ଚର ଏହି ବିବୃତି ପରେ ନବ ଦାସ ଓ ଗୋପାଳ ଦାସ ମଧ୍ୟରେ କ’ଣ ଶତ୍ରୁତା ରହିଥିଲା ଓ ଏ ଶତ୍ରୁତାର ମଞ୍ଜି କେଉଁଠି ତାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋପାଳକୁ ନବ ଦାସ ଓ ତାଙ୍କ ସମର୍ଥକଙ୍କ ପକ୍ଷରୁ କାହିଁକି ଭୟ ରହୁଥିଲା, କାହିଁକି ଗୋପାଳକୁ ଧମକ ମିଳିଥିଲା, କିଏ ଧମକ ଦେଇଥିଲା ଓ ଏହା ପଛରେ ବି କିଛି ଷଡ଼୍‌ଯନ୍ତ୍ର ରହିଥିଲା କି ସେନେଇ ଚା ଖଟିରୁ ସରକାରୀ କାର୍ଯ୍ୟାଳୟ ଯାଏ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅଭିଯୁକ୍ତ ଗୋପାଳ ଦାସ ୨୦୧୨ ମସିହାରେ ଏଏସ୍‌ଆଇ ଭାବେ ପଦୋନ୍ନତି ପାଇ ଝାରସୁଗୁଡ଼ା ଜିଲ୍ଲାରେ ଯୋଗ ଦେଇଥିଲା। ଏହାପରେ ସେ ଝାରସୁଗୁଡ଼ାର ବଡ଼ମାଳ, ଝାରସୁଗୁଡ଼ା, କୋଲାବିରା ଥାନାରେ କାର୍ଯ୍ୟ କରିଥିଲା। ୨୦୨୧ ମସିହାରେ ବ୍ରଜରାଜନଗର ଥାନା ଗାନ୍ଧୀ ଛକର ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲା। ୨୦୨୧ ପୂର୍ବରୁ ଯଦିଓ ଗୋପାଳ ଦାସ ବିଭିନ୍ନ ସମୟରେ ନବ ଦାସଙ୍କ ସଂସ୍ପର୍ଶରେ ଆସିଥିଲା, ସେବେ ଯାଏ ଉଭୟଙ୍କ ମଧ୍ୟରେ କୌଣସି ତିକ୍ତତା ନଥିଲା। ଏପରିକି ନବ ଦାସଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ବି ଗୋପାଳ ଉପସ୍ଥିତ ରହୁଥିଲା। ୨୦୨୨ ମସିହାରେ ପାଉଁଶ ପରିବହନକୁ ନେଇ ଗାନ୍ଧୀ ଛକରେ ଆନ୍ଦୋଳନ ହୋଇଥିଲା। ସେହି ସମୟରେ ନବ ଦାସଙ୍କ ଜନୈକ ସମର୍ଥକ ପାଉଁଶ ପରିବହନ ଠିକା ନେଇଥିଲେ। ଆନ୍ଦୋଳନ ପରେ ଗୋପାଳ ଦାସ ଗାନ୍ଧୀ ଛକ ଦେଇ ପାଉଁଶ ଗାଡ଼ି ଯିବାକୁ ଦେଇ ନଥିଲା। ଯାହାକୁ ନେଇ ନବ ଦାସଙ୍କ କିଛି ସମର୍ଥକଙ୍କ ଆକ୍ରୋଶର ଶିକାର ହୋଇଥିଲା ଗୋପାଳ। ଏହା ପରଠାରୁ ନବ ଦାସଙ୍କୁ ନେଇ ଗୋପାଳର ମାନସିକତାରେ ପରିବର୍ତ୍ତନ ଆସିଥିବା ତାକୁ ନିକଟରୁ ଦେଖିଥିବା ଲୋକେ ମତ ଦେଉଛନ୍ତି। ଏହାକୁ ଆୟୁଧ କରି କେହି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଗୋପାଳକୁ ନବ ଦାସଙ୍କ ସମ୍ପର୍କ‌ରେ ଉସୁକାଇଥିବା ବି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe