‘ମୁଖ୍ୟମନ୍ତ୍ରୀ କ’ଣ ବାର୍ତ୍ତା ଦେବାକୁ ଚାହିଁଲେ?’ ଦିବ୍ୟଶଙ୍କରଙ୍କୁ ମଞ୍ଚରେ ବସାଇବା ଦୁର୍ଭାଗ୍ୟଜନକ: ସମୀର

‘ମୁଖ୍ୟମନ୍ତ୍ରୀ କ’ଣ ବାର୍ତ୍ତା ଦେବାକୁ ଚାହିଁଲେ?’ ଦିବ୍ୟଶଙ୍କରଙ୍କୁ ମଞ୍ଚରେ ବସାଇବା ଦୁର୍ଭାଗ୍ୟଜନକ: ସମୀର

ଝାରସୁଗୁଡ଼ା: ମମିତା ହତ୍ୟାକାଣ୍ଡ ଘଟଣାରେ ସନ୍ଦେହଘେରରେ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପାଖରେ ବସାଇ ମୁଖ୍ୟମନ୍ତ୍ରୀ କ’ଣ ବାର୍ତ୍ତା ରଖିବାପାଇଁ ଚାହିଁଲେ? ମଙ୍ଗଳବାର ଦିନ ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହିଭଳି ପ୍ରଶ୍ନ କରିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି। ଏଥିସହିତ କାର୍ଯ୍ୟାନୁଷ୍ଠାନ ବଦଳରେ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜ ସହ ମଞ୍ଚରେ ବସାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ବିଜେପି ସଭାପତି ଶ୍ରୀ ମହାନ୍ତି । ସେ କହିଥିଲେ ଯେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ପାଖରେ ବସାଇବା ଦ୍ବାରା ଜନଆନ୍ଦୋଳନ ପ୍ରଶମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଯଦି ଭାବୁଥା’ନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ୍‌ ଅଟେ।

ଓଡ଼ିଶାର ସାଢ଼େ ଚାରିକୋଟି ଲୋକ ଭଲକରି ଏହା ବୁଝି ସାରିଛନ୍ତି। ସେମ‌ାନେ ଆଦୌ ବୋକା ନୁହନ୍ତି। ଏଥିସହିତ ‌ସେ ଅଭିଯୋଗ କରିଥିଲେ; କେବଳ ଦିବ୍ୟଶଙ୍କର ନୁହନ୍ତି, ମମିତା ହତ୍ୟାକାଣ୍ଡରେ ତାଙ୍କ ମନ୍ତ୍ରିମଣ୍ଡଳର ଆହୁରି ବହୁ ସଦସ୍ୟ ସମ୍ପୃକ୍ତ। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।   ଏହି ଅବସରରେ ଶ୍ରୀ ମହାନ୍ତି ଅଞ୍ଜନା ମିଶ୍ର ଘଟଣାକୁ ମନେପକାଇ ଦେଇଥିଲେ। ସେ କହିଥିଲେ, ଅଞ୍ଜନ ମିଶ୍ରଙ୍କ ଘଟଣା ପରେ ଯେଉଁ ବିରୋଧୀ ଦଳର ନେତାମାନେ ତତ୍‌କାଳୀନ ଜାନକୀବଲ୍ଲଭ ପଟ୍ଟନାୟକ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ, ସେମାନେ ଏବେ ମନ୍ତ୍ରୀ ଆସନରେ ବସିଛନ୍ତି। ସେତେବେଳର ସ୍ଳୋଗାନ୍‌ ଏବେ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଥିଲେ। ଜନଆକ୍ରୋଶର ଶିକାର ହୋଇ ଯେଉଁଭଳି ଭାବେ କଂଗ୍ରେସ ସରକାରର ପତନ ହୋଇଥିଲା, ଠିକ୍‌ ସେହିଭଳି ବର୍ତ୍ତମାନ ବିଜେଡି ସରକାରର ପତନ ଘଟିବ ବୋଲି ସେ ଜୋର୍‌ଦେଇ କହିଥିଲେ।

ବିଜେପି ସଭାପତି ଶ୍ରୀ ମହାନ୍ତି ବିଜେଡି ସରକାର ସମୟରେ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ଅଭିଯୋଗ କରିଥିଲେ। ସେ କହିଥିଲେ, ଏନ୍‌ସିବି ରିପୋର୍ଟ ଅନୁଯାୟୀ ଅପରାଧରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ରାଜ୍ୟରେ ପ୍ରତିଦିନ ୬ ଜଣ ଅପହରଣ ଓ ୪ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ସେହିପରି ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି। ରାଜ୍ୟରେ ଇତିଶ୍ରୀ, ବେବିନା, ପରୀ ଭଳି ଅନେକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି; ଯେଉଁଥିରେ ବିଜେଡି ନେତାମାନଙ୍କ ସମ୍ପୃକ୍ତି ରହିଛି। ଯେଉଁଥିପାଇଁ ଦୋଷୀଙ୍କୁ ଦଣ୍ଡ ମିଳି ପାରୁନାହିଁ। ସେହଭିଳି, ମମିତା ହତ୍ୟାକାଣ୍ଡ ସହିତ ଦିବ୍ୟଶଙ୍କରଙ୍କ ସଂପୃକ୍ତି ନେଇ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଏ ଯାଏଁ ମିଳିନାହିଁ ବୋଲି ସେ ଅଭିଯୋଗ କରିଥିଲେ। ମନ୍ତ୍ରୀ ମିଶ୍ର ଏହାଉପରେ କୌଣସି ଉତ୍ତର ଦେଇନାହାନ୍ତି। କଂଗ୍ରେସ ନେତା ନରସିଂହ ମିଶ୍ର, ଭକ୍ତ ଦାସ, ସନ୍ତୋଷ ସିଂ ସାଲୁଜା ମଧ୍ୟ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ନଦେଇ ଓଲଟା ବିରୋଧୀ ଦଳ ପ୍ରମାଣ ଦେଇ ଫାଶୀ ଦେବାକୁ କହିବା ଦୁଃଖଦାୟକ ଘଟଣା। ବିରୋଧୀ ଦଳ ପ୍ରମାଣ ଯୋଗାଡ଼ କରି ଫାଶୀ ଦିଏନାହିଁ। ଦଣ୍ଡବିଧାନ ପାଇଁ ଦେଶରେ ଆଇନ ବ୍ୟବସ୍ଥା ଅଛି। ବିରୋଧୀ ଦଳ ତାର ଦୟିତ୍ବ ନିର୍ବାହ କରୁଛି ବୋଲି ସେ କହିଥିଲେ। ଏଥିସହିତ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ମହାନ୍ତି ଦାବି କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ବରଗଡ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବ ମନ୍ତ୍ରୀ ମନମୋହନ ସାମଲ, ପୂର୍ବ ବିଧାୟକ ରବି ନାରାୟଣ ନାୟକ, ପୂର୍ବ ବିଧାୟିକା ରାଧାରାଣୀ ପଣ୍ଡା, ଝାରସୁଗୁଡା ଜିଲ୍ଲା ସଭାପତି ମଙ୍ଗଳ ସାହୁ ପ୍ରମୁଖଙ୍କ ସହ ଜିଲ୍ଲା ବିଜେପିର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe