ଦଶମ ପରେ କ’ଣ ପଢ଼ିବେ? ପାଠ୍ୟକ୍ରମ ଅନେକ, ଦ୍ବନ୍ଦ୍ବରେ ପିଲା

Advertisment
ଦଶମ ପରେ କ’ଣ ପଢ଼ିବେ? ପାଠ୍ୟକ୍ରମ ଅନେକ, ଦ୍ବନ୍ଦ୍ବରେ ପିଲା

ଭୁବନେଶ୍ବର: ବାହାରୁଛି ଦଶମ ପରୀକ୍ଷା ଫଳ। ସିବିଏସଇ ଫଳ ଦୁଇ ଦିନ ତଳେ ପ୍ରକାଶ ପାଇଥିଲା। ଆଜି ଆଇସିଏସ୍‌ଇ ଫଳ ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏବେ ପରୀକ୍ଷା ଫଳ ଅପେକ୍ଷାରେ। କେବେ ବାହାରିବ ପରୀକ୍ଷା ଫଳ? ପାସ କରିବା ପରେ କ’ଣ ପଢ଼ିବେ? କେଉଁ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା କଲେ ନିଯୁକ୍ତି ସୁଯୋଗ ରହିଛି? କେଉଁଟା ଭବିଷ୍ୟତ ପାଇଁ ଭଲ? ଛାତ୍ରଛାତ୍ରୀଙ୍କଠାରୁ ଅଭିଭାବକଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି।

ସେପଟେ ପରୀକ୍ଷା ଶେଷ ହେବା କ୍ଷଣି କଲେଜରୁ କଲେଜକୁ ବୁଲି ଅଭିଭାବକମାନେ ପଚାରି ବୁଝୁଛନ୍ତି, କେଉଁ ପାଠ୍ୟକ୍ରମ ଭଲ? କେତେକ ଘରୋଇ କଲେଜ କର୍ତ୍ତୃପକ୍ଷ ବି ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ଫୋନ ପରେ ଫୋନ କରି ଚାଲିଛନ୍ତି। ଏପରିକି ଗ୍ରୀଷ୍ମକାଳୀନ ଶିବିର ଆଳରେ ଛାତ୍ରଛାତ୍ରୀଙ୍କୁ କଲେଜ ହଷ୍ଟଲରେ ରଖି ମାଗଣା ଶିକ୍ଷା ପ୍ରଦାନ ଆରମ୍ଭ କରିଛନ୍ତି। ନାମକରା କଲେଜଗୁଡ଼ିକ ତ ଏବେଠାରୁ ପିଲାଙ୍କ କ୍ଲାସ ନେବା ଆରମ୍ଭ କରିଦେଲେଣି। କୋଚିଂ ସେଣ୍ଟରରେ ବି ପିଲାମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଏକାଦଶ ଶ୍ରେଣୀରେ ପଢ଼ିବା ସହ ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଭବିଷ୍ୟତ କରିବାକୁ ଚାହୁଥିବା ପିଲାମାନେ ଏବେଠାରୁ ପ୍ରବେଶିକା ପରୀକ୍ଷା ଲାଗି କୋଚିଂ ନେବା ଆରମ୍ଭ କରିଛନ୍ତି। ଏଭଳି ସମୟରେ ମାଟ୍ରିକ୍‌ ପରେ ଛାତ୍ରଛାତ୍ରୀଙ୍କ ପାଇଁ କ’ଣ ରହିଛି ସୁଯୋଗ ସେନେଇ ‘ସମ୍ବାଦ’ର ସ୍ୱତନ୍ତ୍ର ଉପସ୍ଥାପନା।

ଯୁକ୍ତ୨ ପାଠ୍ୟକ୍ରମ

ଦଶମ ପରେ ଛାତ୍ରଛାତ୍ରୀ ମୁଖ୍ୟତଃ ଯୁକ୍ତ୨ ଶିକ୍ଷା ଗ୍ରହଣ କରିଥାନ୍ତି। ଏଥିପାଇଁ ଓଡ଼ିଶାରେ ବ୍ୟାପକ ଭିତ୍ତିଭୂମି ରହିଛି। ଛାତ୍ରଛାତ୍ରୀ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ କିମ୍ବା ଧନ୍ଦାମୂଳକ ପାଠ୍ୟକ୍ରମରେ କ୍ୟାରିୟର୍‌ କରିପାରିବେ। ଶିକ୍ଷାବିତ୍‌ ପ୍ରଫେସର ବାସୁଦେବ ଛାଟୋଇଙ୍କ ମତରେ ବର୍ତ୍ତମାନ ସମୟରେ ଯେଉଁ ଢାଞ୍ଚାରେ ଦଶମ ପରୀକ୍ଷା ଅନୁଷ୍ଠିତ ହେଉଛି, ଛାତ୍ରଛାତ୍ରୀ ଅଧିକରୁ ଅଧିକ ମାର୍କ ରଖୁଛନ୍ତି। ବିଶେଷକରି ସିବିଏସ୍‌ଇ ଓ ଆଇଏସ୍‌ସି ବୋର୍ଡର ଛାତ୍ରଛାତ୍ରୀ ଓଡ଼ିଶା ବୋର୍ଡ ପିଲାମାନଙ୍କ ଅପେକ୍ଷା ଭଲ କରୁଛନ୍ତି। ତେଣୁ ସେମାନଙ୍କ ଲାଗି ବିଜ୍ଞାନ ପାଠ୍ୟକ୍ରମରେ କ୍ୟାରିୟର୍‌ କରିବାକୁ ଭଲ ସୁଯୋଗ ‌ରହିଛି। ଯଦି ଜଣେ ପିଲା ସିବିଏସ୍‌ଇ ବୋର୍ଡରେ ଦଶମ ପରୀକ୍ଷା ଦେଇଛି ତେବେ ସେ ସମ୍ପୃକ୍ତ ବୋର୍ଡ ଅଧୀନରେ ଦ୍ବାଦଶ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିବା ଉଚିତ। ବୋର୍ଡ ବଦଳାଇବା ଦ୍ବାରା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏପରିକି ରେଜଲ୍ଟ ଖରାପ ହେବାର ସମ୍ଭାବନା ଅଧିକ ରହିଛି। କାରଣ କେନ୍ଦ୍ରୀୟ ବୋର୍ଡ ପାଠ୍ୟଖସଡ଼ା ଭଳି ଓଡ଼ିଶା ବୋର୍ଡର ପାଠ୍ୟଖସଡ଼ା ନୁହେଁ। ତେଣୁ ପିଲାମାନେ ଭାବିଚିନ୍ତି ପାଠ୍ୟକ୍ରମ ଚୟନ କରିବା ଆବଶ୍ୟକ। ଯେଉଁ ଛାତ୍ରଛାତ୍ରୀଙ୍କର ୮୦%ରୁ ଅଧିକ ନମ୍ବର ରହିଥିବ, ଗଣିତ ଓ ବିଜ୍ଞାନ ବିଷୟରେ ଭଲ କରୁଥିବେ ସେମାନେ ବିନା ଦ୍ବିଧାରେ ଯୁକ୍ତ୨ ବିଜ୍ଞାନରେ ନାମ ଲେଖାଇ ପାରିବେ। ମାତ୍ର ଅର୍ଥନୀତି ଓ ଗଣିତ ପାଠ୍ୟକ୍ରମରେ ଭଲ କରୁଥିବା ଛାତ୍ରଛାତ୍ରୀ ବାଣିଜ୍ୟ ନେଇ ପଢ଼ିପାରିବେ। ନହେଲେ କଳା ବିଭାଗରେ ନାମ ଲେଖାଇବେ। ଯୁକ୍ତ୨ ପରେ ସେମାନଙ୍କ ଲାଗି ଅଧିକାଂଶ କ୍ଷେତ୍ରକୁ ଯିବାର ସୁଯୋଗ ରହିବ।

ଯୁକ୍ତ୨ ପାଠ୍ୟକ୍ରମରେ ନାମଲେଖା ପାଇଁ ରାଜ୍ୟରେ ୨ହଜାରରୁ ଅଧିକ କଲେଜ ରହିଛି। ଏପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ପକ୍ଷରୁ ଚୂଡ଼ାନ୍ତ ସିଟ୍‌ ତାଲିକା ପ୍ରକାଶ ପାଇ ନ ଥିଲେ ମଧ୍ୟ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ କିମ୍ବା ଧନ୍ଦାମୂଳକ ପାଠ୍ୟକ୍ରମରେ ୫ ଲକ୍ଷରୁ ଅଧିକ ସିଟ୍‌ ରହିବ। ଛାତ୍ରଛାତ୍ରୀ ଯେଉଁ କ୍ଷେତ୍ରରେ କ୍ୟାରିୟର୍‌ କରିବାକୁ ଚାହୁଛନ୍ତି, ଏବେଠାରୁ ତାହାକୁ ବାଛି ପାଠ ପଢ଼ାପଢ଼ି କରିପାରିବେ। ଯୁକ୍ତ୨ ନାମଲେଖା ପାଇଁ ଖୁବ୍‌ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ତେଣୁ ଛାତ୍ରଛାତ୍ରୀ ତାହାର ସୁଯୋଗ ନେଇପାରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଡିପ୍ଲୋମା (ପଲିଟେକ୍‌ନିକ)

ଆଇଟିଆଇ ପରି ଡିପ୍ଲୋମା(ପଲିଟେକ୍‌ନିକ) ପାଠ୍ୟକ୍ରମରେ ବି ନିଯୁକ୍ତି ସୁଯୋଗ ରହିଛି। ଯେଉଁମାନେ ବି.ଟେକ୍‌ରେ କ୍ୟାରିୟର୍‌ କରିବାକୁ ଇଚ୍ଛୁକ ଥିବେ, ସେମାନେ ଦୁଇ ବାର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ପରେ ବି.ଟେକ୍‌ କରିପାରିବେ। କେବଳ ଡିପ୍ଲୋମା କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ବି ନିଯୁକ୍ତି ସୁଯୋଗ ଅଛି। ପାଠପଢ଼ା ଶେଷ ପରେ ଛାତ୍ରଛାତ୍ରୀ ରାଜ୍ୟ ଭିତରେ ଓ ବାହାରେ ଥିବା ନାମକରା କମ୍ପାନିରେ ଚାକିର ପାଉଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ ସ୍କୁଲ/ପଲିଟେକ୍‌ନିକ୍ସରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଚାଲିଛି। ସାମସ୍‌ ପୋର୍ଟାଲ www.samsodisha.gov.in ମାଧ୍ୟମରେ ଆଗ୍ରହୀ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିବା ସହ ଆବେଦନ କରିପାରିବେ। ଡିପ୍ଲୋମା ପାଠ୍ୟକ୍ରମ ମଧ୍ୟରେ ପ୍ରଥମ ସେମିଷ୍ଟର୍‌ ଡିପ୍ଲୋମା ଇନ୍‌ ଇଞ୍ଜିନିୟରିଂ/ଟେକ୍ନୋଲୋଜି ଓ ତୃତୀୟ ସେମିଷ୍ଟର୍‌ ଇଞ୍ଜିନିୟରିଂ/ଟେକ୍ନୋଲୋଜି(ଲାଟେରାଲ ଏଣ୍ଟ୍ରି) ରହିଛି। ଏବର୍ଷ ଲାଗି ରାଜ୍ୟରେ ୧୫୯ଟି ଡିପ୍ଲୋମା ପାଠ୍ୟକ୍ରମରେ ୭୫ ହଜାର ୬୮୭ ସିଟ୍‌ ରହିଛି। ଏବେ ସୁଦ୍ଧା ୬୪୦୩ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିସାରିଛନ୍ତି।

ଆଇଟିଆଇ

ଶୀଘ୍ର ନିଯୁକ୍ତି ସୁଯୋଗ ପାଇବାକୁ ଚାହୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଆଇଟିଆଇରେ ଶିକ୍ଷା ଗ୍ରହଣ ଉପଯୁକ୍ତ ହେବ ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି। ଆଇଟିଆଇ ପରେ ଛାତ୍ରଛାତ୍ରୀ ଯେକୌଣସି କମ୍ପାନିରେ ଇଲେକ୍ଟ୍ରିସିଆନ, ଫିଟର ମେକାନିକ ଭାବେ ନିଯୁକ୍ତି ପାଇପାରିବେ। ନୂତନ ପାଠ୍ୟକ୍ରମ ଆରମ୍ଭ ହେଉଥିବାରୁ ତାହା ଦ୍ବାରା ଛାତ୍ରଛାତ୍ରୀ ଆତ୍ମନିର୍ଭରଶୀଳ ହେବାର ସମ୍ଭାବନା ରହିଛି। ତେବେ ଏଥିପାଇଁ ପ୍ରାକ୍ଟିକାଲକୁ ବି ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଆଇଟିଆଇରେ ଶିକ୍ଷା ଗ୍ରହଣ ଲାଗି ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୬୦ଟି ନୂତନ ସରକାରୀ ଆଇଟିଆଇ ରହିଛି। ଏବର୍ଷ ବାଲୁଗାଁ, ଭଞ୍ଜନଗର, କରଞ୍ଜିଆ, କପ୍ତିପଦା, ରୁଆ, ଓଳାଭର, ଆଠମଲ୍ଲିକ, ଜୁନାଗଡ଼, ପାଟଣାଗଡ଼ ଓ ବଂଶପାଳଠାରେ ନୂତନ ଆଇଟିଆଇ ଖୋଲିଛି। ମୋଟ ୪୭୫ଟି ଶିକ୍ଷାନୁଷ୍ଠାନର ୮୦ ହଜାର ୨୫୬ ସିଟ୍‌ରେ ଚଳିତ ଶିକ୍ଷାବର୍ଷରେ ନାମଲେଖା ହେବ। ସେଥିମଧ୍ୟରୁ ୬୦ଟି ସରକାରୀ ଆଇଟିଆଇରେ ୧୫ ହଜାରରୁ ଅଧିକ ସିଟ୍‌ ରହିଛି। ଏହାବ୍ୟତୀତ ୪୧୫ଟି ବେସରକାରୀ ଆଇଟିଆଇରେ ପ୍ରାୟ ୬୫ ହଜାର ସିଟ୍‌ ରହିଛି। ଯେଉଁ ଛାତ୍ରଛାତ୍ରୀ ମାଟ୍ରିକ୍‌ରେ ଧନ୍ଦାମୂଳକ ପାଠ୍ୟକ୍ରମକୁ ତୃତୀୟ ଅପ୍‌ସନ୍‌ ଭାବେ ରଖି ଶିକ୍ଷା ଗ୍ରହଣ କରିଛନ୍ତି ସେମାନେ ଆଇଟିଆଇକୁ ଚୟନ କରି କ୍ୟାରିୟର୍‌ ଗଢ଼ିପାରିବେ।

ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଥର ଆଉ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପର୍ଯ୍ୟନ୍ତ ଅପେକ୍ଷା କରାଯାଇ ନାହିଁ। ପରୀକ୍ଷା ସରିବା କ୍ଷଣି ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ସରକାରୀ ଓ ବେସରକାରୀ ଆଇଟିଆଇରେ ସାମ୍‌ସ ମାଧ୍ୟମରେ କେନ୍ଦ୍ରୀୟ ଅନ୍‌ଲାଇନ୍‌ ପଦ୍ଧତିରେ ନାମଲେଖା ହେଉଛି। ୧୪ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର କୌଣସି ବି ଛାତ୍ରଛାତ୍ରୀ ନାମଲେଖା ଲାଗି ଆବେଦନ କରିପାରିବେ। ବିଭିନ୍ନ ଇଞ୍ଜିନିୟରିଂ ଓ ଇଞ୍ଜିନିୟରିଂ ଟ୍ରେଡ୍‌ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯଥାକ୍ରମେ ଦଶମ ଶ୍ରେଣୀ କିମ୍ବା ୮ମ ଶ୍ରେଣୀ ପାସ୍‌ ଧାର୍ଯ୍ୟ ହୋଇଛି।

ଦକ୍ଷତା ବିକାଶ ତାଲିମ

publive-image KNN India

ଯେଉଁ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରେ ଉଚ୍ଚଶିକ୍ଷା ବଦଳରେ ରୋଜଗାର ବାଟ ଆପଣାଇବାକୁ ଚାହିଁବେ ସେମାନଙ୍କ ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମରେ ଦକ୍ଷତା ବିକାଶରେ ତାଲିମ ଦିଆଯାଉଛି। ମାଟ୍ରିକ୍‌ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ୩୦ଟି ପାଠ୍ୟକ୍ରମରେ ତାଲିମ ଦିଆଯାଉଥିବା ବେଳେ ଅଣ-ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ଲାଗି ୭୦ ପାଠ୍ୟକ୍ରମ ରହିଛି। ୩ରୁ ଆରମ୍ଭ କରି ୩ବର୍ଷିଆ ପାଠ୍ୟକ୍ରମରେ ତାଲିମ ବ୍ୟବସ୍ଥା ଉପଲବ୍ଧ ରହିଛି। ଯେଉଁଥିରେ ଥ୍ରୀ-ଡି ଭିଜୁଆଲାଇଜେସନ, ଅଟୋମୋବାଇଲ ଇଞ୍ଜିନିୟରିଂ, ବିପିଓ ନନ୍-ଭଏସ୍, ବିପିଓ ଭଏସ୍, ବିପିଓ ଆସୋସିଏଟ୍ ନନ୍ ଭଏସ୍, ସିଭିଲ୍ ଇଞ୍ଜିନିୟରିଂ, ପ୍ଲାଷ୍ଟିକ ଉଦ୍ୟୋଗ ପାଇଁ ସିଏନସି ମିଲିଙ୍ଗ ପ୍ରୋଗ୍ରାମିଂ ଏବଂ ଅପରେସନ, ସିଏନ୍‌ସି ମିଲ୍ଲିଙ୍ଗ, ସିଓ୨, ଏଆରସି, ଗ୍ୟାସ ଝଳେଇ ମିସ୍ତ୍ରୀ, କମ୍ପ୍ୟୁଟର ହାର୍ଡୱୟାର ଆଣ୍ଡ ନେଟୱର୍କିଙ୍ଗ, କମ୍ପ୍ୟୁଟର ହାର୍ଡୱୟାର ସହାୟକ, ଘରୋଇ ଡାଟା ଏଣ୍ଟ୍ରି ଅପରେଟର, ଡ୍ରାଫ୍ଟିଙ୍ଗ (ମେକାନିକାଲ), ପର୍ଯ୍ୟଟନ ଓ ଅତିଥି ସତ୍କାର, ଲେଦ୍ ଅପରେଟର, ଅଟୋମୋଟିଭ୍, ଚମଡା ଜିନିଷ ବିକ୍ରେତା, ଲାଇନ୍ ସୁପରଭାଇଜର ଷ୍ଟିଚିଙ୍ଗ, ପୋଷାକ ଓ ପରିଧାନ, ଫାର୍ମାସି ସହାୟକ, ପାଣି ପାଇପ ମିସ୍ତ୍ରୀ, ବରିଷ୍ଠ ବିକ୍ରୟ ଅଧିକାରୀ, ସୋରୁମ ପରିଚାରିକା ପରି ପାଠ୍ୟକ୍ରମରେ ତାଲିମ ଦିଆଯାଉଛି। ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରୁ ନ ଥିବା ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ସ୍ବଳ୍ପ ସମୟ ଅବଧିର ପାଠ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe