ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: ସାତକୋଶିଆକୁ କ’ଣ ଫେରିବ ମହାବଳ?

Advertisment
ସାତକୋଶିଆରେ ରୋପଣ ହେବ ହେନ୍ତାଳ ବୃକ୍ଷ

ଅନୁଗୁଳ : ଆଜି ସାରାବିଶ୍ବ ପାଳିବ ବ୍ୟାଘ୍ର ଦିବସ। ଜଙ୍ଗଲରୁ ହଜିଯାଉଥିବା ଏହି ପ୍ରାଣୀଟିର ବଂଶ କେମିତି ସୁରକ୍ଷିତ ରହିବ, ବାଘ ସଂଖ୍ୟା ବହୁଗୁଣିତ ହେବ ସେଥିପାଇଁ ଚାଲିବ ଯୋଜନା ଏବଂ ସଚେତନତା। କିନ୍ତୁ, ସାତକୋଶିଆରେ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ମହାବଳ ବଂଶ କଣ ହେବ? ଏତେ ବଡ଼ ଅଭୟାରଣ୍ୟରୁ ଗୋଟିଏ ପ୍ରଜାତି ପୂରା ନିଶ୍ଚିହ୍ନ ହୋଇଗଲେ। ତାହା ପୁଣି କେବେ ସଜଡ଼ା ହେବ। ଆସନ୍ତାକାଲି ବିଶ୍ବ ବ୍ୟାଘ୍ର ଦିବସ ପାଳନ ହେବାକୁ ଯାଉଥିବା ବେଳେ ଗଲାବର୍ଷ ମହାବଳ ଶୂନ୍ୟ ହୋଇ ପଡ଼ିଥିବା ସାତକୋଶିଆର ସୁବିସ୍ତୀର୍ଣ୍ଣ ଜଙ୍ଗଲରେ ମହାବଳ ପୁନରାଗମନକୁ ନେଇ ପରିବେଶବିତ୍‌ ମହଲରେ ଏ ପ୍ରଶ୍ନ ଉଠିଛି।

ସୂଚନା ମୁତାବକ, ଦେଶର ପ୍ରଥମ ଯେଉଁ ଅନ୍ତଃରାଜ୍ୟ ମହାବଳ ବାଘ ସ୍ଥାନାନ୍ତର ପ୍ରକଳ୍ପ ଯୋଜନା ହୋଇଥିଲା, ସେଥିରେ ମୋଟ୍ ୬ଟି ମହାବଳ ବାଘ ସାତକୋଶିଆକୁ ଆଣିବାକୁ ଯୋଜନା ହୋଇଥିଲା। ଏହି ପ୍ରକଳ୍ପରେ ଭାରତ ସରକାର ସମେତ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ସରକାର ସାମିଲ୍ ହେବେ। ମଧ୍ୟପ୍ରଦେଶ ସରକାର ମହାବଳ ବାଘ ଦେବେ, ଓଡ଼ିଶା ସରକାର ତାକୁ ଆଣି ସାତକୋଶିଆରେ ପାଳିବେ। ଭାରତ ସରକାର ଏଥିପାଇଁ ଅନୁଦାନ ବ୍ୟବସ୍ଥା କରିବାକୁ ଯୋଜନା ହୋଇଥିଲା। ମୋଟ୍ ୬ଟି ମହାବଳ ପାଇଁ ୧୪କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ସେଥିରୁ ୬୦ ପ୍ରତିଶତ ଟଙ୍କା କେନ୍ଦ୍ର ସରକାର ବହନ କରିବେ ଓ ଅବଶିଷ୍ଟ ୪୦ ପ୍ରତିଶତ ଓଡ଼ିଶା ସରକାର ଯୋଗାଇ ଦେବାକୁ ଆକ୍ସନ ପ୍ଲାନ୍‌ ହୋଇଥିଲା। ମୋଟ୍‌ ତିନି ଯୋଡ଼ା ମହାବଳ ବାଘ ମଧ୍ୟରୁ ପ୍ରଥମ ଦୁଇଟିକୁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ରାଇଗୁଡ଼ାରେ, ଦ୍ବିତୀୟ ପର୍ଯ୍ୟାୟରେ ଆସିବାକୁ ଥିବା ବାଘ-ବାଘୁଣୀ ସାତକୋଶିଆ ଅଭୟାରଣ୍ୟର ମହାନଦୀ ବନଖଣ୍ଡରେ ଏବଂ ତୃତୀୟ ଯୋଡ଼ାଙ୍କୁ ପୁଣି ସାତକୋଶିଆରେ ଛାଡ଼ିବାକୁ ଜାଗା ଚିହ୍ନଟ ହୋଇଥିଲା।
ଉଦ୍ଦେଶ୍ୟ ଥିଲା, ମହାନଦୀ ଗଣ୍ଡର ଏପାଖ ଅବବାହିକାରେ ଥିବା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଜଙ୍ଗଲରେ ଦୁଇଟି ବାଘ-ବାଘୁଣୀ ଏବଂ ଆରପାଖ ଅବବାହିକାରେ ଥିବା ମହାନଦୀ ବନପ୍ରାଣୀ ବନଖଣ୍ଡରେ ଦୁଇଟି ବାଘ-ବାଘୁଣୀ ରହିବେ। ଅତୀତରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନିଜ ନିଜ ରାଜ୍ୟ ମଧ୍ୟରେ ବ୍ୟାଘ୍ର ସ୍ଥାନାନ୍ତର କରି ଯେମିତି ମହାବଳ ବଂଶ ବୃଦ୍ଧି କରାଇଥିଲେ, ସାତକୋଶିଆରେ ବି ସେହି ସ୍ବପ୍ନ ସାକାର ହେବ।

publive-image Smithsonian Magazine

କିନ୍ତୁ, ପ୍ରଥମ ପର୍ଯ୍ୟାୟରୁ ହିଁ ସ୍ବପ୍ନ ଚୂରମାର୍‌ ହେଲା। ମଧ୍ୟପ୍ରଦେଶ ମାଟିରୁ ଆସିଥିବା ଅଣ୍ଡିରା ମହାବଳ ସିନା ଓଡ଼ିଶା ଜଙ୍ଗଲ ଭିତରେ ରହିଗଲା, କିନ୍ତୁ ବାଘୁଣୀ ସୁନ୍ଦରୀ ନିଜର ଅସଲ ରୂପ ଦେଖାଇଲା। ବାଘୁଣୀ ଜଙ୍ଗଲରେ ରହିବା ବଦଳରେ ଜନ ବସତି ଆଡ଼କୁ ମୁହାଁଇଲା। ମଧ୍ୟପ୍ରଦେଶ ଦେଇଥିବା ଏ ପ୍ରକାର ବାଘୁଣୀ ପାଇଁ ସାତକୋଶିଆରେ କେବଳ ଜଳାପୋଡ଼ା, ଭଙ୍ଗାରୁଜା ସହିତ ପ୍ରବଳ ଜନ ଆକ୍ରୋଶ ତିଆରି ହେଲା ନାହିଁ, ବରଂ ସାତକୋଶିଆରେ ୧୪କୋଟିର ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପକୁ ଅଧାରୁ ସ୍ଥଗିତ କରି ଦିଆଗଲା। ମହାବଳବିହୀନ ସାତକୋଶିଆର ଭବିଷ୍ୟତ ଏବେ ପୂରା ଅନ୍ଧାକାର ଭିତରକୁ ଠେଲି ହୋଇଗଲା। କୁହାଯାଏ, ଖାଦ୍ୟ ଶୃଙ୍ଖଳରେ ମହାବଳର ଭୂମିକା ଗୁରୁତ୍ବପୂର୍ଣ୍ଣ। ତେଣୁ, ମହାବଳ ବିନା ସାତକୋଶିଆର ଅସ୍ଥିତ୍ବ ହଜିବାକୁ ଯାଉଛି। ତେଣୁ, ଅଧାରେ ସ୍ଥଗିତ କରାଯାଇଥିବା ମହାବଳ ସ୍ଥାନାନ୍ତର ପ୍ରକ୍ରିୟାକୁ ପୁଣି ତ୍ବରାନ୍ବିତ କରିବାକୁ ପରିବେଶବିତ୍‌ ମହଲରେ ଦାବି ଉଠିଛି।

ଏ ସମ୍ପର୍କରେ ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା କହିଛନ୍ତି, ମହାବଳଶୂନ୍ୟ ସାତକୋଶିଆକୁ ନେଇ ଆମେ ମଧ୍ୟ ବ୍ୟଥିତ। ଯେଉଁ କାରଣ ପାଇଁ ସାତକୋଶିଆରେ ମହାବଳ ବିପଦର ସାମ୍ନା କଲା, ସେହି କାରଣଗୁଡ଼ିକ ଚିହ୍ନଟ କରାଯାଇଛି। ସାତକୋଶିଆରେ ମହାବଳଙ୍କୁ ଛାଡ଼ିବା ପୂର୍ବରୁ ଜଙ୍ଗଲ ପାଶ୍ବବର୍ତ୍ତୀ ଲୋକଙ୍କର ସହଯୋଗ ଏବଂ ସଚେତନତା ଲୋଡ଼ା। ତା ସହିତ ଜଙ୍ଗଲ ଭିତରେ ଥିବା ଗାଁକୁ ସ୍ଥାନାନ୍ତର ନ କଲେ ମହାବଳ ପାଇଁ ପୁଣି ବିପଦ ହୋଇପାରେ। ଏମିତି ବିଭିନ୍ନ କାରଣକୁ ନେଇ ଆମେ ଏକ ସ୍ବତନ୍ତ୍ର ରୋଡ୍‌ମ୍ୟାପ୍ ତିଆରି କରିଛୁ ବୋଲି ଡିଏଫ୍‌ଓ ଶ୍ରୀ ପଣ୍ଡା ‘ସମ୍ବାଦକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe