Photograph: (The Hans India)
ବାରିପଦା: ବାରିପଦାରେ କଳାବାଘ ସଫାରୀ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ(ସିଜେଡ୍ଏ)ଠାରୁ ଅନୁମତି ମିଳିସାରିଥିଲେ ବି ସୁପ୍ରିମକୋର୍ଟଙ୍କ ନିକଟରୁ ଅନୁମୋଦନ ମିଳିନି। ବର୍ଷେରୁ ଅଧିକ ହେବ ସୁପ୍ରିମକୋର୍ଟଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। କଳାବାଘ ସଫାରୀ ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥାକୁ ପରିବର୍ତ୍ତିତ କରାଯାଇଥିବା ବେଳେ ସିଜେଡ୍ଏଙ୍କ ନିକଟରୁ ଫାଇଲ୍ ଯାଇ ଏବେ ସୁପ୍ରିମକୋର୍ଟରେ ରହିଛି। ସେଠାରୁ ଅନୁମତି ମିଳିବା ପରେ ସଫାରୀ ପ୍ରତିଷ୍ଠା ହେବ ବୋଲି ଆରସିସିଏଫ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଏହି କଳାବାଘ ସଫାରୀ ନିର୍ମାଣ କରିବାକୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିକଟରେ ୨୦୦ ହେକ୍ଟର ଅଞ୍ଚଳ ଚିହ୍ନଟ କରାଯାଇଛି। ଜାତୀୟ ରାଜପଥ-୧୮ ନିକଟରେ ଚିହ୍ନଟ ହୋଇଥିବା ୨୦୦ ହେକ୍ଟର ମଧ୍ୟରୁ ୧୦୦ ହେକ୍ଟର ଅଞ୍ଚଳରେ ବାଘଙ୍କୁ ରଖାଯିବ। ବାକି ଅଞ୍ଚଳକୁ ପ୍ରାଣୀ ଚିକିତ୍ସା ସୁବିଧା କେନ୍ଦ୍ର ଭାବେ ବ୍ୟବହାର କରାଯିବ। ଯେଉଁଥିରେ ଉଦ୍ଧାର କେନ୍ଦ୍ର, କର୍ମଚାରୀଙ୍କ ଭିତ୍ତିଭୂମି ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହେବ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଠାରୁ ୧୫ କିଲୋମିଟର ଦୂରରେ ଏହି ଅଞ୍ଚଳ ରହିଛି। ଏଠାରେ ଖୋଲା ଏନ୍କ୍ଲୋଜର ମଧ୍ୟରେ ବାଘଗୁଡ଼ିକୁ ରଖାଯିବ। ପ୍ରାରମ୍ଭିକ ଭାବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୩ଟି କଳା ଓ ଧଳାବାଘଙ୍କୁ ସେଠାକୁ ନିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ମେଲାନିଷ୍ଟିକ୍ ଟାଇଗର(କଳା ବାଘ) ସଫାରୀ ପ୍ରତିଷ୍ଠା କରାଯିବାକୁ ଯୋଜନା ହୋଇଥିଲା। ୨୦୨୪ ଅକ୍ଟୋବରରୁ ପର୍ଯ୍ୟଟକଙ୍କ ଲାଗି କଳାବାଘ ସଫାରୀ ଖୋଲାଯିବ ନେଇ ଯୋଜନା ହୋଇଥିବାବେଳେ ଏଯାଏଁ ସେପରି କୌଣସି କାମ ଆରମ୍ଭ ହୋଇନି। ଜାତୀୟ ରାଜପଥ ପାର୍ଶ୍ବରେ ସଫାରୀ ପ୍ରତିଷ୍ଠା ହେବାକୁ ଥିବାରୁ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିବ।
Follow Us