ସମ୍ବଲପୁରରେ ସିଟି ସ୍କାନ ଓ ଡାଇଲେସିସ୍ ୟୁନିଟ୍‌ କେବେ? ଦାବିପତ୍ର ଦେଲା ସ୍ବାଭିମାନ ସମ୍ବଲପୁର

ସମ୍ବଲପୁରରେ ସିଟି ସ୍କାନ ଓ ଡାଇଲେସିସ୍ ୟୁନିଟ୍‌ କେବେ? ଦାବିପତ୍ର ଦେଲା ସ୍ବାଭିମାନ ସମ୍ବଲପୁର

ସମ୍ବଲପୁର : ରାଜ୍ୟର ବିଭିନ୍ନ ଡାକ୍ତରଖାନାଗୁଡ଼ିକରେ ସରକାର ମାଗଣାରେ ସିଟି ସ୍କାନ ଓ ଡାଇଲେସିସ୍ ସେବା ଯୋଗାଇ ଦେଉଛନ୍ତି। ଅନୁଗୁଳ ଭଳି ଜିଲ୍ଲାରେ ତ ମାଗଣା ଏମ୍‌ଆର୍‌ଆଇ ସେବା ବି ମିଳିପାରୁଛି। କିନ୍ତୁ, ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁରରେ ସିଟି ସ୍କାନ, ଡାଇଲେସିସ୍ ଆଦି ପାଇଁ ରୋଗୀମାନଙ୍କୁ ଘରୋଇ ଡାକ୍ତରଖାନା/ନର୍ସିଂହୋମଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ୁଛି। ରୋଗୀମାନଙ୍କୁ ହଜାର ହଜାର ଟଙ୍କା ଏଥିପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି। ଗରିବ‌ ରୋଗୀମାନଙ୍କୁ କିନ୍ତୁ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ଜନସେବା ପାଇଁ ସମର୍ପିତ ସ୍ବାଭିମାନ ସମ୍ବଲପୁର ସଂଗଠନ। ଗୁରୁବାର ଦିନ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଗୁରୁବାର ଦିନ ଜିଲ୍ଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ରରେ ଦର୍ଶାଯାଇଛି ଯେ, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ସମଗ୍ର ସମ୍ବଲପୁର ଜିଲ୍ଲାବାସୀଙ୍କ ସହିତ ପଡ଼ୋଶୀ ଜିଲ୍ଲାଗୁଡ଼ିକର ସୀମାନ୍ତ ଅଂଚଳର ରୋଗୀମାନେ ନିର୍ଭର କରିଥାନ୍ତି। ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀ ଏଠାରେ ଭର୍ତ୍ତି ହେଉଛନ୍ତି। ରାଜ୍ୟ ସରକାର ଏକ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଉଛନ୍ତି। ଏହା ସତ୍ତ୍ବେ ସମ୍ବଲପୁର ଭଳି ରାଜ୍ୟର ପ୍ରମୁଖ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ସିଟି ସ୍କାନ ଓ ଡାଇଲେସିସ ସେବା ମିଳିପାରୁନାହିଁ। ରୋଗ ଚିହ୍ନଟ କ୍ଷେତ୍ରରେ ସିଟି ସ୍କାନ ରିପୋର୍ଟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଡାକ୍ତର ସିଟି ସ୍କାନ ପାଇଁ ରୋଗୀମାନଙ୍କୁ ପରାମର୍ଶ ଦେଉଥାନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ସେବା ମିଳୁନଥିବାରୁ ବାଧ୍ୟ ହୋଇ ଘରୋଇ ହସ୍ପିଟାଲକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଅପରପକ୍ଷରେ ଏବେ ସମ୍ବଲପୁର ଜିଲ୍ଲାରେ କିଡ୍‌ନି ରୋଗୀ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ରାଜ୍ୟର ଅନ୍ୟ ଜିଲ୍ଲା ଭଳି ସମ୍ବଲପୁରରେ ବି ପିପିପି ମୋଡ୍‌ରେ ଡାଇଲେସିସ୍ ସେବା ଯୋଗାଇବା ନିମନ୍ତେ ସରକାର ପଦକ୍ଷେପ ନେଇଛନ୍ତି। ଡାଇଲେସିସ୍ ମେସିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବା ସତ୍ତ୍ବେ ଏହି ସେବା ଆରମ୍ଭ ହୋଇପାରି ନାହିଁ। ଏଭଳି ସ୍ଥିତି‌ରେ ସମ୍ବଲପୁରର ରୋଗୀମାନଙ୍କୁ ଡାଇଲେସିସ୍ ପାଇଁ ବୁର୍ଲା, ଭୁବନେଶ୍ବର, କଟକ ଆଦି ସ୍ଥାନକୁ ଦୌଡ଼ିବାକୁ ପଡ଼ୁଛି।

ଅପରପକ୍ଷରେ ଡାକ୍ତର, କର୍ମଚାରୀମାନେ ଠିକ୍ ସମୟରେ ଡ୍ୟୁଟିକୁ ଆସୁନାହାନ୍ତି। ବିଳମ୍ବରେ ଆସିବା ଅନେକ କର୍ମଚାରୀଙ୍କ ଅଭ୍ୟାସ ହୋଇଗଲାଣି। ସମ୍ବଲପୁର ଜିଲ୍ଲବାସୀଙ୍କ ବହୃତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ବାଭିମାନ ସମ୍ବଲପୁର ପକ୍ଷରୁ ଦାବି କରାଯାଇଛି। ସ୍ବାଭିମାନ ସମ୍ବଲପର ସଂଗଠନର ସଂପାଦକ ଶିଶିର ବହିଦାର, ସଂଜୀବ କଂସାରି, ସମୀର ହୋତା, କୁନ୍ଦନ ପ୍ରଧାନ, ଦେବନ୍ତ ବେହେରା, ଆକାଶ ସାହୁ, ସୁରେଶ ସାନବଡ଼, ବିଦ୍ୟାଧର ସୁନା, ସ୍ବୟଂଜିତ ପଟ୍ଟନାୟକ, ମାନସ ରଂଜନ ବକ୍ସି, ଆକାଶ ସେନାପତି, ଅପୂର୍ବ ରଂଜନ ନାୟକ, ଆଦିତ୍ୟ ପୁରୋହିତ, ସ୍ବାଧୀନ ଭୋଇ, ରଶ୍ମୀରଂଜନ ବେହେରା ପ୍ରମୁଖ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଦେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe