ଆବାସ ଯୋଜନାରେ ଯଦୁମଣିଙ୍କୁ ଘର କେବେ?

ଆବାସ ଯୋଜନାରେ ଯଦୁମଣିଙ୍କୁ ଘର କେବେ?

ତିଗିରିଆ : ଆର୍ଥିକ ଅନଗ୍ରସର ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘରଟିଏର ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାର ସଂକଳ୍ପ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା କରିଥିବା ବେଳେ ଅନେକ ସମୟରେ ଏହି ଯୋଜନା ସଠିକ ହିତାଧିକାରୀଙ୍କ ନିକଟରେ ନ ପହଞ୍ଚି ମଝିରେ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଯାହାର ସଦ୍ୟ ଉଦାହରଣ ହେଉଛି ତିଗିରିଆ ବ୍ଲକ ଅନ୍ତର୍ଗତ ହାଟମାଳ ପଞ୍ଚାୟତସ୍ଥିତ ସୁଣ୍ଠିପାଳ ଉପରସାହିର ବାସିନ୍ଦା ଯଦୁମଣି ପଣ୍ଡା (୪୭)ଙ୍କ କ୍ଷେତ୍ରରେ।

ଯଦୁମଣିଙ୍କ ପରିବାର କହିଲେ ସେ ଓ ତାଙ୍କ ଧର୍ମପତ୍ନୀ ଟୁନି ପଣ୍ଡା (୪୫)। ପୂର୍ବରୁ ନିଜର ଏକମାତ୍ର ଝିଅର ବାହାଘର ଧାରକରଜ କରି ସମ୍ପନ୍ନ କରିଥିବା ଯଦୁମଣି ନିଜର ୧୪ ଗୁଣ୍ଠ ଜମି ଓ କିଛି ଅନ୍ୟଲୋକଙ୍କ ଜମିକୁ ଭାଗଚାଷ କରି ନିଜ ପରିବାର ପ୍ରତିପୋଷଣ କରନ୍ତି। ବର୍ତ୍ତମାନ ଯଦୁମଣି ଓ ତାଙ୍କ ପତ୍ନୀ ନିଜର ଏକ ବଖରା ଚାଳଘରେ ଅତ୍ୟନ୍ତ କଷ୍ଟରେ କାଳାତିପାତ କରୁଥିବା ବେଳେ ପକ୍କାଘର ଖଣ୍ଡିଏ କରିବାର ସାହସ ଜୁଟାଇ ପାରୁ ନାହାନ୍ତି। ତେଣୁ ଆବାସ ଯୋଜନାରେ ଘର ଖଣ୍ଡିଏ ପ୍ରଦାନ କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ପ୍ରାଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ନିବେଦନ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା ପୂରଣ ହୋଇ ପାରି ନାହିଁ। ଆବାସ ଯୋଜନାରେ ସାମିଲ ହେବା ପାଇଁ ସରକାରଙ୍କ ସମସ୍ତ ମାନଦଣ୍ଡ ସେ ପୂରଣ କରି ମଧ୍ୟ ଆଜି ପର୍ଯ୍ୟନ୍ତ ଯଦି ସୁଫଳ ପାଇ ପାରୁ ନାହାନ୍ତି ତେବେ ଏହି ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠିଛି। ତେଣୁ ଯଥାଶୀଘ୍ର ଯଦୁମଣିଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଘର ଖଣ୍ଡିଏ ପ୍ରଦାନ କରାଯିବାର ବ୍ୟବସ୍ଥା ସ୍ଥାନୀୟ ଜନପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀମାନେ କରିବା ପାଇଁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe