Education Bytes
୨୦୧୯ର ଚୟନ ପ୍ରକ୍ରିୟା ଅଧାରୁ ବନ୍ଦ
ନୂତନ ଆବେଦନପତ୍ର ଆହ୍ବାନ ପାଇଁ ବିଜ୍ଞପ୍ତି
ଭୁବନେଶ୍ବର : ମାସେ କି ବର୍ଷେ ନୁହେଁ, ଦେଢ଼ବର୍ଷ ହେଲା ଭୁବନେଶ୍ବର ଆଇଆଇଟିରେ ନାହାନ୍ତି ସ୍ଥାୟୀ ନିର୍ଦ୍ଦେଶକ। ଯେଉଁଥିପାଇଁ କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ଆଇଆଇଟି ନିର୍ଦ୍ଦେଶକ ଆର୍.ଭି ରାଜାକୁମାରଙ୍କ କାର୍ଯ୍ୟକାଳ ବାରମ୍ବାର ବୃଦ୍ଧି କରାଯାଉଛି। ଏନେଇ ବିଭିନ୍ନ ମହଲରେ ବାରମ୍ବାର ଅଭିଯୋଗ ଉଠିଛି। ଏମିତିକି ନାମଲେଖାଠାରୁ ଆରମ୍ଭ କରି ପ୍ରଫେସର୍ ନିଯୁକ୍ତି ପର୍ଯ୍ୟନ୍ତ ପ୍ରକ୍ରିୟା ଠିକ୍ ଢଙ୍ଗରେ ହେଉ ନଥିବା ନେଇ ଏକାଧିକ ଛାତ୍ର ସଙ୍ଗଠନ କିଛି ମାସ ତଳେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଥିଲେ। ଯେଉଁଥିପାଇଁ ଏବେ ମନ୍ତ୍ରାଳୟ ପକ୍ଷରୁ ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ଆବେଦନପତ୍ର ଆହ୍ବାନ କରାଯାଇଛି। ଆଗ୍ରହୀ ଯୋଗ୍ୟ ପ୍ରଫେସର୍ମାନେ ଡିସେମ୍ବର ୧୦ ସୁଦ୍ଧା ଆବେଦନ କରିପାରିବେ ବୋଲି କୁହାଯାଇଛି।
୨୦୧୯ ନଭେମ୍ବରରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ବାରା ଭୁବନେଶ୍ବର ସମେତ ରୋପାର ଓ ପାଟନା ଆଇଆଇଟିର ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ନେଇ ଆବେଦନପତ୍ର ଆହ୍ବାନ କରାଯାଇଥିଲା। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ସେଗୁଡ଼ିକୁ ଯାଞ୍ଚ କରାଯାଇ ସଂକ୍ଷିପ୍ତ ତାଲିକା ପ୍ରକାଶ ପାଇଥିଲା। କରୋନା କଟକଣା ଯୋଗୁଁ ଉକ୍ତ ୩ଟି ଆଇଆଇଟିର ନିୟମିତ ନିର୍ଦ୍ଦେଶକ ପଦ ପାଇଁ ସଂକ୍ଷିପ୍ତ ତାଲିକାରେ ଥିବା ଆଶାୟୀଙ୍କର ଭର୍ଚୁଆଲ୍ ମାଧ୍ୟମରେ ସାକ୍ଷାତକାର ନିଆଯାଇଥିଲା। ୨୦୨୦ ଜୁଲାଇ ୧୪ରେ ସେତେବେଳର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଶାୟୀଙ୍କ ସାକ୍ଷାତକାର ନେଇଥିଲେ। ଏହାର ୬ ମାସ ପରେ ଅର୍ଥାତ୍ ୨୦୨୧ ଜାନୁଆରିରେ ରୋପାର ଆଇଆଇଟିର ନିର୍ଦ୍ଦେଶକ ଓ ୨୦୨୧ ଅଗଷ୍ଟରେ ପାଟନା ଆଇଆଇଟି ନିର୍ଦ୍ଦେଶକ ନିଯୁକ୍ତି ହୋଇଥିଲା। ମାତ୍ର ଭୁବନେଶ୍ବର ଆଇଆଇଟିର ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ଦିଗରେ କୌଣସି ବି ପଦକ୍ଷେପ ନିଆଯାଇ ନଥିଲା। କେଉଁଥିପାଇଁ ନିଯୁକ୍ତି ପ୍ରକ୍ରିୟା ଅଧାରେ ରହିଲା, ସେନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କିମ୍ବା ମନ୍ତ୍ରୀ କୌଣସି ପ୍ରକାର ଉତ୍ତର ଦେଇ ନଥିଲେ। ବରଂ ଗତ ୨୭ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପୁଣିଥରେ ଭୁବନେଶ୍ବର ଆଇଆଇଟି ନିର୍ଦ୍ଦେଶକ ପଦ ପାଇଁ ଆବେଦନ ଆହ୍ବାନ କରାଯାଇଛି।
ଏହି ବିଜ୍ଞପ୍ତିକୁ ନେଇ ଏବେ ପ୍ରଶ୍ନ ଉଠିଛି। ପୂର୍ବଥର ପରି ଏଥର ମଧ୍ୟ ଶିକ୍ଷା ମନ୍ତ୍ରଣାଳୟ ଆବେଦନ କରିବାକୁ ଥିବା ଆଶାୟୀଙ୍କ ସହ ଖେଳିବ ନାହିଁ ତ? କାରଣ ୨୦୧୯ରେ ଓଡ଼ିଶା ସମେତ ରାଜ୍ୟ ବାହାରୁ ୫୦ରୁ ଅଧିକ ପ୍ରଫେସର୍ ଏହି ସମ୍ମାନଜନକ ଶିକ୍ଷାନୁଷ୍ଠାନର ମୁଖ୍ୟ ହେବା ପାଇଁ ଆଶାୟୀ ଥିଲେ। ମାତ୍ର ଅଧାରୁ ଚୟନ ପ୍ରକ୍ରିୟାକୁ ବନ୍ଦ କରି ଦେଇ ପୁଣିଥରେ ବିଜ୍ଞପ୍ତି ପ୍ରକାଶ କରାଯିବା ପଛରେ କ’ଣ କାରଣ ରହିଛି? ମନ୍ତ୍ରାଳୟ ତାହା ସ୍ପଷ୍ଟ କରିବା ଆବଶ୍ୟକ। ସେପଟେ ଆଇଆଇଟି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ବର୍ଷ ହୋଇଥିବା ବେଳେ ଭୁବନେଶ୍ବରର ଆଇଆଇଟି ନିର୍ଦ୍ଦେଶକ ଆର୍.ଭି. ରାଜାକୁମାର ସାଢ଼େ ୬ ବର୍ଷ ହେଲା ଦାୟିତ୍ବରେ ରହିଛନ୍ତି। ୨୦୨୦ ଏପ୍ରିଲ ୨୬ରେ ତାଙ୍କ ୫ବର୍ଷିଆ କାର୍ଯ୍ୟକାଳ ଶେଷ ହୋଇଯାଇଛି। ଏହାପରେ ନୂତନ ନିଯୁକ୍ତି ହେବା କଥା। ମାତ୍ର ଶିକ୍ଷା ମନ୍ତ୍ରଣାଳୟ ନୂତନ ନିଯୁକ୍ତି ବଦଳରେ ଶ୍ରୀ ରାଜାକୁମାରଙ୍କ କାର୍ଯ୍ୟକାଳ ବାରମ୍ବାର ବୃଦ୍ଧି କରିଛି। ୧୮ ମାସ ହେଲା ସେ ଆଇଆଇଟିର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଛନ୍ତି। ଆଇଆଇଟି ନିର୍ଦ୍ଦେଶକ ଚୟନ ପାଇଁ ପାଖାପାଖି ୬ ମାସ ସମୟ ଲାଗିଥାଏ। ସେହି ଦୃଷ୍ଟିରୁ ଭୁବନେଶ୍ବର ଆଇଆଇଟି ନିର୍ଦେଶକ ନିଯୁକ୍ତି ହେବା ବେଳକୁ ୨୦୨୨ ମାର୍ଚ୍ଚ ହୋଇଯାଇଥିବ।
Follow Us