ରାୟଗଡ଼ : ରାୟଗଡ଼ ବ୍ଲକ୍ର ଦୁର୍ଗମ ଅଞ୍ଚଳ ଗଙ୍ଗାବାଡ଼ ଗ୍ରାମପଂଚାୟତକୁ ଭଲ ରାସ୍ତାଟିଏ ନାହିଁ। ଏହି ପଂଚାୟତରୁ ବର୍ତ୍ତମାନ ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷ ପ୍ରତିନିଧିତ୍ୱ କରୁଥିବା ବେଳେ ଦୁଇ ଦୁଇଟି ସଡ଼କ ନିର୍ମାଣ କାମ ବନ୍ଦ ହୋଇ ରହିଛି। ତିନିବର୍ଷ ପୂର୍ବେ ୨୦୧୫ ଜୁନ ୧୮ରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ପ୍ରଥମ କାମ ଆରମ୍ଭ ହୋଇଥିଲ। କଇଁପୁର ଠାରୁ ବଡ଼ଦେଉଳା ଦ୍ୱିତୀୟ ରାସ୍ତାକାମ ୨୦୧୭ ଫେବ୍ରୁ୍ଆରି ୨୦ ଆରମ୍ଭ ହୋଇ ପାଚେଡ଼ିଆ ପଂଚାୟତ କାର୍ଯ୍ୟାଳୟ ନିକଟ ପର୍ଯ୍ୟନ୍ତ ଚାଲିଥିଲା। ହେଲେ ମାଟିକାମ ଶେଷ ହୋଇ ମେଟାଲ ଓ ମୋରମ୍ ପକାଇବା ଚାଲିଥିବା ବେଳେ ତିତ୍ଲି ମହାବାତ୍ୟାରେ ସବୁ ଧୋଇ ହୋଇଯାଇଥିଲା। ଏଥିରେ ଅନେକ ସ୍ଥାନରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଯାଇଥିଲା। ଏବେ ଏହି ରାସ୍ତା ସେମିତି ପଡ଼ି ରହିଥିବା ବେଳେ ଗମନାଗମନ କ୍ଷେତ୍ରରେ ଗ୍ରାମବାସୀଙ୍କୁ ବହୁ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି।
ଗଙ୍ଗାବାଡ଼ ପଞ୍ଚାୟତ ମୋଟ ୨୨ ଗ୍ରାମକୁ ନେଇ ଗଠନ ହୋଇଥିବା ବେଳେ ସରକାରୀ କାର୍ଯ୍ୟରେ ରାୟଗଡ଼କୁ ଯିବାପାଇଁ ହେଲେ ପଡୋଶୀ ଆନ୍ଧ୍ରପ୍ରଦେଶର ଗୋପିଲି ଠାରୁ ମଞ୍ଜୁଷା ଦେଇ ପ୍ରାୟତଃ ୯୦ କି.ମି. ବାଟ ବୁଲି ଯିବାକୁ ପଡିଥାଏ । ରାୟଗଡ଼ ଠାରୁ କଇଁପୁର ଦେଇ ବଡ଼ଦେଉଳା ଓ ପାଚେଡ଼ିଆ ହୋଇ ଗଙ୍ଗାବାଡ଼ ପଂଚାୟତ ନିକଟରେ ପହଞ୍ଚିବା ପାଇଁ ମାତ୍ର ୪୦ କି.ମି. ରାସ୍ତା ଅତିକ୍ରମ ସ୍ଥଳେ ଖରାପ ରାସ୍ତା କାରଣରୁ ରାୟଗଡ଼ ଆସି ପୁଣି କାମସାରି ଘରକୁ ପହଞ୍ଚିଲା ବେଳକୁ ୨୪ ଘଣ୍ଟା ଲାଗିଯାଉଛି। ଏସବୁ ଗ୍ରାମରେ କାହାକୁ ଜର, ଝାଡା କିମ୍ବା ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ରାୟଗଡ଼ ଓ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ଯିବାର ନଜିର ନାହିଁ। କାରଣ ସମୟ ଓ ଦୂରତା କାରଣରୁ ଅଧିକାଂଶ ନିକଟ ମଞ୍ଜୁଷା ଡାକ୍ତରଖାନାକୁ ଚାଲିଯାଇଥାନ୍ତି। ଆଉ କିଛି ସ୍ଥାନୀୟ କ୍ବାକଙ୍କ ଶୋଷଣର ଶିକାର ହେଉଛନ୍ତି। ତେଣୁ ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବା ସହ ତୁରନ୍ତ ରାସ୍ତା ନିର୍ମାଣ କରି ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
Follow Us