ବେଜ୍‌ବରୁଆ ସାଧନା ପୀଠର ଲୋକାର୍ପଣ କେବେ?

Advertisment
ବେଜ୍‌ବରୁଆ ସାଧନା ପୀଠର ଲୋକାର୍ପଣ କେବେ?

ସମ୍ୱଲପୁର : ଦୀର୍ଘ ଏକ ଦଶନ୍ଧିରୁ ବେଶୀ ସମୟର ନିରନ୍ତର ପ୍ରୟାସ ଫଳରେ ଆଧୁନିକ ଅହମିୟା ସାହିତ୍ୟର ଜନକ ଲକ୍ଷ୍ମୀନାଥ ବେଜ୍‌ବରୁଆଙ୍କ ସାଧନା ଗୃହର ନବୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବାପରେ ଲୋକାର୍ପଣ ହୋଇପାରୁନାହିଁ। ଓଡ଼ିଶା ଓ ଆସାମ ରାଜ୍ୟ ସରକାରଙ୍କ ୧ କୋଟି ୫ ଲକ୍ଷ ଟଙ୍କାର ଅନୁଦାନ ବଳରେ ସମ୍ବଲପୁର ନେଲ୍‌ସନ୍ ମଣ୍ଡେଲା ଛକରେ ଥିବା ବେଜ୍‌ବରୁଆଙ୍କ ସାଧନାଗୃହର ପରିଚାଳନା ଦାୟିତ୍ବକୁ ନେଇ ଏବେ ସମସ୍ୟା ସୃଷ୍ଟି ହୋଇଛି। ଯାହାକି, ଉଭୟ ଓଡ଼ିଶା ଓ ଆସାମର ସାହିତ୍ୟପ୍ରେମୀଙ୍କୁ ବ୍ୟଥିତ କରିଛି।

୨୦୧୦ ମସିହାରେ ଆସାମର ତତ୍କାଳୀନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କ ସମ୍ୱଲପୁର ଗସ୍ତ ସମୟରେ ବେଜ୍‌ବରୁଆଙ୍କ ସ୍ମୃତିରକ୍ଷା ପାଇଁ ତାଙ୍କ ସାଧନାପୀଠକୁ ଏକ ଐତିହ୍ୟପୀଠରେ ବିକଶିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାପରେ ଆସାମ ସରକାରଙ୍କ ସଂସ୍କୃତି ବିଭାଗର ଏକ ଅଧିକାରୀ ଦଳ ବେଜ୍‍ବରୁଆଙ୍କ ସ୍ମୃତିଜଡ଼ିତ ଏହି ପୀଠ ପରିଦର୍ଶନ କରିଥିଲେ। ବେଜ୍‌ବରୁଆ ସ୍ମୃତିରକ୍ଷା କମିଟି ବି ଏ ଦିଗରେ କାମ କରିଥିଲା। ୨୦୧୨ମସିହା ତାରିଖରେ ଆସାମର ତତ୍କାଳୀନ ରାଜ୍ୟପାଳ ଶ୍ରୀ ପଟ୍ଟନାୟକ ପୁଣିଥରେ ତାଙ୍କର ସମ୍ବଲପୁର ଗସ୍ତ ସମୟରେ ବେଜ୍‍ବରୁଆଙ୍କ ସାଧନା ଗୃହ ପରିଦର୍ଶନ କରି ଜାତୀୟ ହିତ ପାଇଁ ଜମି ଦାନ ଉପରେ ଗୁରୁତ୍ବାରୋପ କରିଥିଲେ। ତେବେ, ବିଳମ୍ବରେ ହେଲେ ଓଡ଼ିଶା ସରକାର ବେଜ୍‌ବରୁଆଙ୍କ ସ୍ମୃତିରକ୍ଷା ନିମନ୍ତେ ପଦକ୍ଷେପ ନେବାଫଳରେ ନବୀକରଣ କାର୍ଯ୍ୟ ଆଗେଇ ପାରିଥିଲା।

ପରିଚାଳନା ଦାୟିତ୍ବକୁ ନେଇ ଅଟକିଛି ଲୋକାର୍ପଣ
ଆଗ୍ରହ ଦେଖାଇଥିଲେ ଆସାମର ତତ୍‌କାଳୀନ ରାଜ୍ୟପାଳ ‌ଜାନକୀବଲ୍ଲଭ ପଟ୍ଟନାୟକ
ଆସାମ ଓ ଓଡ଼ିଶା ସରକାର ସହାୟତା ଦେଇଛନ୍ତି

publive-image The Samikhsya

୨୦୧୮ ମସିହାରେ ଆସାମ ସରକାର ୫୦ ଲକ୍ଷ ଟଙ୍କା ଦେଇଥିବାବ‌େଳେ ଓଡ଼ିଶା ସରକାର ମଧ୍ୟ ୫୫ ଲକ୍ଷ ଟଙ୍କା ଦେଇଥିଲେ। ୨୦୧୯ ମସିହାରେ ସାଧନା ପୀଠ ନବୀକରଣ କାର୍ଯ୍ୟ ଇନ୍‌ଟାକ୍‌, ଓଡ଼ିଶା ଶାଖା ଆରମ୍ଭ କରିଥିଲା। ବିଳମ୍ବରେ ହେଲେ ମଧ୍ୟ କିଛି ମାସ ତଳେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଏପଟେ ଆସାମ ସରକାର ପୁଣି ନିକଟରେ ରାଜ୍ୟ ବିଧାନସଭାରେ ଆଗତ ରାଜ୍ୟ ବଜେଟ୍‌ରେ ବେଜ୍‌ବରୁଆଙ୍କ ବାସଭବନର ନବୀକରଣ କାର୍ଯ୍ୟ ନିମନ୍ତେ ୮୦ ଲକ୍ଷ ଟଙ୍କା ବ୍ୟବସ୍ଥା କରିଛନ୍ତି। ସାଧନା ପୀଠରେ ପାଇଁ ‌ବେଜ୍‌ବରୁଆ ସ୍ମୃତିରକ୍ଷା କମିଟି ସହିତ ସେଠାକାର ସାହିତ୍ୟିକ ଓ ସାହିତ୍ୟପ୍ରେମୀମାନେ ଶତାଧିକ ପୁସ୍ତକ ବି ପଠାଇଛନ୍ତି। ଆସାମର ଶୀର୍ଷସ୍ତରୀୟ ମହାପୁରୁଷଙ୍କ ମଧ୍ୟରେ ପରିଗଣିତ ବେଜ୍‌ବରୁଆଙ୍କ କାଳଜୟୀ ରଚନାବଳୀର ସୃଷ୍ଟି ସ୍ଥଳଭାବରେ ଆସାମ ରାଜ୍ୟବାସୀ ସମ୍ବଲପୁରକୁ ଖୁବ୍ ଶ୍ରଦ୍ଧା ଓ ସମ୍ମାନ କରିଥା’ନ୍ତି। ତାଙ୍କ ସାଧାନ ଗୃହ ଓ ବାସଭବନ ଦେଖିବା ପାଇଁ ଆସାମରୁ ବହୁସମୟରେ ସାହିତ୍ୟିକ, ପ୍ରଶାସନିକ ଅଧିକାରୀ, ରାଜନୀତିଜ୍ଞଙ୍କ ସହିତ ଅନ୍ୟାନ୍ୟ ଲୋକେ ସମ୍ବଲପୁରକୁ ଆସୁଥିବାରୁ ପର୍ଯ୍ୟଟନର ବିକାଶରେ ଏହା ସହାୟକ ହୋଇପାରିବ ବୋଲି କୁହାଯାଉଛି।

ମାତ୍ର, ଏହାର ପରିଚାଳନା ପ୍ରସଙ୍ଗକୁ ନେଇ ଏବେ ସମସ୍ୟା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବେଜ୍‌ବରୁଆ ସ୍ମୃତିରକ୍ଷା କମିଟିର ଆବାହକ ଦୀପକ କୁମାର ପଣ୍ଡା କହିଛନ୍ତି, ସାଧାନାପୀଠ ପରିଚାଳନା ସଂପର୍କରେ ଆମେ ଜିଲ୍ଲାପାଳଙ୍କୁ ସାକ୍ଷାତ କରୁ୍‌ଥିଲୁ। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏହାର ପରିଚାଳନା ଦାୟିତ୍ବ ନେଲେ ସବୁ ଦୃଷ୍ଟିରୁ ସୁବିଧା ହେବ ବୋଲି ପ୍ରସ୍ତାବ ଦେଇଥିବା ବେଳେ ଜିଲ୍ଲାପାଳ ମଧ୍ୟ ଏ ଦିଗରେ ତତ୍ପରତା ଦେଖାଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଉଭୟ ସରକାରଙ୍କଠାରୁ ପ୍ରାପ୍ତ ୧ କୋଟି ୫ ଲକ୍ଷର ଅନୁଦାନ ମଧ୍ୟରୁ କିଛି ଅର୍ଥ ବଳକା ରହିଛି। ଏହି ଅର୍ଥରେ ବେଜ୍‌ବୁରଆଙ୍କ ବାସଭବନର ନବୀକରଣ ଆରମ୍ଭ କରାଯିବ।

publive-image The Sentinel Assam

ଉଲ୍ଲେଖ‌ଯୋଗ୍ୟ, ଆସାମର ମୂଳନିବାସୀ ଲକ୍ଷ୍ମୀନାଥ ବେଜ୍‌ବରୁଆ କାଠ ବ୍ୟବସାୟ ସହ ସଂପୃକ୍ତ ଏକ ସଂସ୍ଥାର ଅଧିକାରୀ ଭାବେ ୧୯୧୭ରେ ସମ୍ୱଲପୁର ଆସିଥିଲେ। ଦୀର୍ଘ ୨୦ ବର୍ଷର ରହଣି ମଧ୍ୟରେ ସେ ୨୫ଟି କାଳଜୟୀ ସାହିତ୍ୟ କୃତି ସୃଷ୍ଟି କରିଥିବାବେଳେ ଏଥିରେ ସମ୍ୱଲପୁର ଅଞ୍ଚଳର ଜନଜୀବନ ଓ ଚରିତ୍ର ସବୁ ସ୍ଥାନ ପାଇଛି। ସମ୍ୱଲପୁରରେ ରହଣି ଭିତରେ କଚେରି ରୋଡ୍‌ରେ ଯୋଗେନ୍ଦ୍ରନାଥ ସେନ୍‍, ଝାଡ଼ୁଆପଡ଼ାର ଡାକ୍ତର ଜନାର୍ଦ୍ଦନ ପୂଜାରୀଙ୍କ ଘର ଓ କୁଂଜେଲପଡ଼ା ଛକରେ ଏକ ଘରେ ଭଡ଼ାରେ ରହିଥିଲେ। ୧୯୨୪ ମସିହାରେ ନେଲ୍‍ସନ ମଣ୍ଡେଲା ଛକ(କଚେରି ଛକ)ରେ ସରକାରୀ ଲିଜ୍‍ ଜମିରେ ଘର ତିଆରିକରି ୧୮ ଅଗଷ୍ଟ ୧୯୩୭ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ। କୌଣସି କାମରେ ଦିବ୍ରୁଗଡ଼ ଯାଇଥିବା ଲକ୍ଷ୍ମୀନାଥ ୧୮ ମାର୍ଚ୍ଚ ୧୯୩୮ରେ ସମ୍ୱଲପୁର ଫେରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର, ଅଚାନକ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଆଉ ଫେରିପାରିନଥିଲେ। ୨୬ ମାର୍ଚ୍ଚ,୧୮୩୮ରେ ସେଠାରେ ତାଙ୍କର ପରଲୋକ ଘଟିଥିଲା। ଦୀର୍ଘ ୧୦ ବର୍ଷ ପର୍ଯ୍ୟନ୍ତ ସେ ସମ୍ବଲପୁର ମ୍ୟୁନିସିପାଲଟିର କାଉନସିଲର ମଧ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe