ଟ୍ରକ ଟର୍ମିନାଲ କେବେ? ଚିନ୍ତା ବଢ଼ାଉଛି ରାସ୍ତାକଡ଼ ପାର୍କିଂ

ଟ୍ରକ ଟର୍ମିନାଲ କେବେ? ଚିନ୍ତା ବଢ଼ାଉଛି ରାସ୍ତାକଡ଼ ପାର୍କିଂ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ପ୍ରତିଦିନ ରାସ୍ତା ଉପରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଅକାରଣରେ ଚାଲିଯାଉଛି ମୂଲ୍ୟବାନ ଧନ ଜୀବନ। ସବୁ ରାସ୍ତା ବିପଦ ସଂକୁଳ ହୋଇ ପଡ଼ିଛି। ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ରହିଛି। ଏହାର ମୁଖ୍ୟ କାରଣ ହେଲା ଝାରସୁଗୁଡ଼ା ଦେଇ ଯାତାୟାତ କରୁଥିବା ହଜାର ହଜାର ଟ୍ରକ୍‌। ଏହି ଟ୍ରକ୍‌ଗୁଡ଼ିକ ରାସ୍ତା କଡ଼ରେ ପାର୍କିଂ କରିବା ଏକ ବଡ଼ ସମସ୍ୟା ହୋଇ ଉଠିଛି। ସବୁ ରାସ୍ତା କଡ଼ରେ ହଜାର ହଜାର ଟ୍ରକ୍‌ ଦିନ ରାତି ଅଟକି ରହୁଛି। ଫଳରେ ରାସ୍ତା ଅବରୋଧ ହେଉଛି। ସହର ମଧ୍ୟରେ ଏହି ସମସ୍ୟା ଅସହ୍ୟ ହେଲାଣି।

ପାର୍କିଂ ପାଇଁ ସ୍ଥାନର ଅଭାବ ରହିଥିବା ବେଳେ ରାସ୍ତା କଡ଼ରେ ପାର୍କିଂ ଯୋଗୁଁ ରାସ୍ତା ସଂକୁଚିତ ହେବା ସହିତ ଯାତାୟାତରେ ଗୁରୁତର ଅସୁବିଧା ସୃଷ୍ଟି ହେଉଛି। ଶିଳ୍ପ କାରଖାନା ଓ କୋଇଲା ଖଣି ଫଳରେ ଭାରୀଯାନ ଚଳାଚଳରେ ବୃଦ୍ଧି ଘଟି ଚାଲିଛି। ସେହି ଅନୁପାତରେ ଜିଲ୍ଲାରେ  ଟ୍ରାଫିକ ସମସ୍ୟା ଉଗ୍ର ହେବାରେ ଲାଗିଛି। ପୁଲିସ ଟ୍ରାଫିକ୍‌ ସମସ୍ୟା ଉପରେ ସେତେଟା ଧ୍ୟାନ ନଦେବା ଫଳରେ ପରିସ୍ଥିତି ଜଟିଳ ହୋଇ ପଡ଼ିଛି। ଟ୍ରାଫିକ୍ ସମସ୍ୟା ସୁଧାରିବା ପାଇଁ ବିଭିନ୍ନସ୍ତରରୁ ବାରମ୍ବାର ସ୍ବର ଉତ୍ତୋଳନ ହୋଇ ଆସୁଥିଲେ ମଧ୍ୟ ‌କେହି ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଦେଖା ଯାଉନାହିଁ।

publive-image CNN

କେନ୍ଦ୍ର ସରକାର ନୂତନ ଟ୍ରାଫିକ ନିୟମ ଲାଗୁ କରି ଜରିମାନାକୁ ବହୁଗୁଣ ବୃଦ୍ଧି କରିଥି‌ଲେ ମଧ୍ୟ ଜିଲ୍ଲାରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଜିଲ୍ଲା ଓ ପୁଲିସ ପ୍ରଶାସନ ବେପରୁଆ ଗାଡ଼ି ଚାଳନା ଓ ଅବାଧ ପା‌ର୍କିଂ ଉପରେ ଲଗାମ ଲଗାଇବାରେ ଅସମର୍ଥ ହୋଇଛନ୍ତି।  ଜିଲ୍ଲାର ସବୁ ଥାନାରେ ପ୍ରତିଦିନ ଦୁର୍ଘଟଣା ମାମଲା ଦାୟାର ହେଉଛି। ଜାତୀୟ ରାଜପଥରେ ଉଦ୍‌ବେଗଜନକ ଭାବରେ ଦୁର୍ଘଟଣା ବଢ଼ୁଥିବା ଆକଳନ କରାଯାଇଛି।  ଟ୍ରକ୍‌ ଗୁଡ଼ିକ ବେପରୁଆ ଭାବରେ ଯାତାୟାତ କରୁଥିବାରୁ ରାସ୍ତା ଦୁର୍ଘଟଣା ଘଟି ଅକାରଣରେ ମୂଲ୍ୟବାନ ଜୀବନ ଚାଲି ଯାଉଛି। ଜିଲ୍ଲାର ୪୯ ନମ୍ବର ଜାତୀୟ ରାଜପଥର ବ୍ରଜରାଜନଗର, ବେଲପାହାଡ଼ଠାରୁ ଲଖନପୁର, କନକ‌ତୋରା ମଧ୍ୟରେ ସବୁ ଦିନ କିଛିନା କିଛି ଛୋଟ ବଡ଼ ଦୁର୍ଘଟଣା ଲୋକଙ୍କୁ ସବୁବେ‌ଳେ ଆତଙ୍କିତ କରି ରଖୁଛି। ଜାତୀୟ ରାଜପଥରେ ହୋଟେଲ, ଗ୍ୟାରେଜ ଓ ଟ୍ରାନ୍ସପୋର୍ଟରଙ୍କ ଅଫିସ ଥିବାରୁ ରାସ୍ତା କଡ଼ରେ ବେଆଇନ ଟ୍ରକ୍‌ ପାର୍କିଂ ଦୁର୍ଘଟଣା ବୃଦ୍ଧିର ମୁଖ୍ୟ କାରଣ ହୋଇଛି। ଜିଲ୍ଲାର ଖଣି ଅଞ୍ଚଳରୁ ମାଲ ବୋଝେଇ ପରେ ସେଠାରେ ଚଲାନ କଟା ନଯାଇ ଜାତୀୟ ରାଜପଥରେ ଥିବା ଟାନ୍‌ସପୋର୍ଟରଙ୍କ ଅଫିସରେ ଚଲାନ କଟା ଯାଉଥିବାରୁ ଟ୍ରକ ଡ୍ରାଇଭରମାନେ ମାଲ ଲୋଡ଼ ପରେ ରାସ୍ତା କଡ଼ରେ ଟ୍ରକ ରଖି ଘଣ୍ଟା ଘଣ୍ଟା ଅଟକି ରହୁଛନ୍ତି। ଫଳରେ ସବୁବେଳେ ଟ୍ରକ ଜାମ୍‌ ହେଉଥିବା ଦେଖା ଯାଉଛି।

publive-image Tribune India

ରାସ୍ତା କଡ଼ ପାର୍କିଂ ଉପରେ ପ୍ରଶାସନ ରୋକ ଲଗାଇବା ପାଇଁ ଅନେକ ଥର ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇ ପାରିନାହାନ୍ତି। ଏଥିପାଇଁ ଅନେକ ନିୟମ କରାଯାଇଥିବା ସହିତ ବୈଠକରେ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ମାତ୍ର ରାସ୍ତା କଡ଼ରୁ  ଟ୍ରକ ହଟାଇବା ପ୍ରଶାସନ ପାଇଁ ସହଜ ହେଉ ନାହିଁ। କିଛି ମାସ ତଳେ ଜାତୀୟ ରାଜପଥ କଡ଼ରେ ଥିବା ହୋଟେଲ, ଗ୍ୟାରେଜମାନଙ୍କୁ ସରକାରୀ ସ୍ଥାନରେ ପାର୍କିଂ ନକରିବାକୁ ନୋଟିସି ଜାରି କରାଯାଇଥିଲା। ପରେ ରାସ୍ତା କଡ଼ରେ ଥିବା ଦୋକନ, ହୋଟେଲ ଉଚ୍ଛେଦ କରାଯାଇଥିଲା। ମାତ୍ର ଏହାର କୌଣସି ଫଳ ମିଳିଲା ନାହିଁ। କିଛି ମାସ ତଳେ ହଠାତ୍‌ ତାଲପଟିଆ ଓ ବଡ଼ମାଲ ଛକଠାରେ ରାସ୍ତାକଡ଼ ପାର୍କିଂ ଉପରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କା ଫାଇନ୍‌ ଆଦାୟ କରାଯାଇଥିଲା।

୪୯ ନମ୍ବର ଜାତୀୟ ରାଜପଥର ଝାରସୁଗୁଡ଼ାଠାରୁ ବେଲପାହାଡ଼ ପର୍ଯ୍ୟନ୍ତ ରାସ୍ତା ଉଭୟ ପାର୍ଶ୍ବରେ ହଜାର ହଜାର ଟ୍ରକ୍‌ ବେଆଇନ ଭାବରେ  ପାର୍କିଂ  କରାଯାଉଥିବା ବେଳେ ଠେଲକୋଲି ଭୂଷଣ କାରଖାନାଠାରୁ  ବଡ଼ମାଲ ବିଜୁପଟ୍ଟନାୟକ ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ କୋଇଲା ବୋଝେଇ ଟ୍ରକ ଦିନ ଦିନ ଛିଡ଼ା ହୋଇ ରହୁଛି। ଫଳରେ ବିଜୁ ଏକ୍ସପ୍ରେସ୍‌ ୱେରେ ଯାତାୟାତ ପ୍ରଭାବିତ ହେଉଛି। ବିଜୁ ପଟ୍ଟନାୟକ ଛକଠାରୁ  ସୁନାରୀମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଅବାଧ ପାର୍କିଂ ହେଉଥିଲେ ମଧ୍ୟ ପୁଲିସ ପ୍ରଶାସନ ଜାଣିଶୁଣି ଆଖି ବନ୍ଦ କରି ଦେଉଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ  ଟ୍ରକ ପାର୍କିଂ ପାଇଁ  ଦୀର୍ଘ ବ‌ର୍ଷରୁ ଏକ ଟ୍ରକ୍‌ ଟର୍ମିନାଲ ନିର୍ମାଣ ପାଇଁ ପ୍ରସ୍ତାବ ଗ୍ରହଣ କରିଥିବା ଓ ଗାନ୍ଧୀଛକଠାରେ ଏହା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଏଥିରେ କୌଣସି ଅଗ୍ରଗତି ହେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe