ମା’ ଆସିଲେ ଯାଇ ଗଛରୁ ଓହ୍ଲାଇବି...

ଗଛରେ ଚଢ଼ିଗଲେ ଯୁବକ, ୫ ଘଣ୍ଟା ପରେ ଉଦ୍ଧାର

ମା’ ଆସିଲେ ଯାଇ ଗଛରୁ ଓହ୍ଲାଇବି...

ବାମରା: ମା’ ଆସିଲେ ଯାଇ ଗଛରୁ ଓହ୍ଲାଇବି...। ପୁଲିସ ଓ ଅଗ୍ନିଶମ ବାହିନୀ ଏବଂ ସ୍ବେଚ୍ଛାସେବୀଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ସେ ଗଛରୁ ଓହ୍ଲାଇ ନଥି‌ଲେ। ଶେଷରେ ମା’ ଗଛ ମୂଳ‌ରୁ ଡାକ ଦେବା ପରେ ଗଛରୁ ଓହ୍ଲାଇଥିଲେ ମାନସିକ ଭାରସାମ୍ୟ ହରାଇ ବସିଥିବା ଜଣେ ଯୁବକ। ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ବାମରା ବ୍ଲକ ସଦର ମହୁକୁମ ଗୁରୁବାର ସନ୍ଧ୍ୟା ପ୍ରାୟ ୫ ଟାରେ। ସୂଚନା ଅନୁଯାୟୀ ଯୁବକ ଜଣକ ଦୌଡ଼ି ଦୌଡ଼ି ଗୋବିନ୍ଦପୁର ଥାନା ପରିସର ଭିତରକୁ ପଶି ଯାଇଥିଲା। ପାଖରେ ଥିବା ଲୋକେ କାଳେ ସେ ଥାନାରେ ଆଶ୍ରୟ ନେବାକୁ ଦୌଡୁଥିବା ଭାବି ଲୋକେ ମଧ୍ୟ ଦେଖିବାକୁ ପଶିଥିଲେ।

ଉକ୍ତ ଯୁବକ ଜଣକ ଦୌଡ଼ି ଦୌଡ଼ି ସିଧାସଳଖ ଥାନା ପଛପଟେ ଥିବା ଏକ ଶିମିଳି ଗଛର ଶୀର୍ଷ ଡାଳ ଉପରକୁ ଚଢ଼ି ଯାଇଥିଲା। ଏ ନେଇ ତୁରନ୍ତ ଗୋବିନ୍ଦପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଇତି ମଧ୍ୟରେ ଯୁବକଙ୍କ ଘର ଲୋକେ ବି ତାଙ୍କୁ ତରବରିଆ ଭାବେ ଖୋଜୁ ଖୋଜୁ ଥାନାକୁ ଆସିଥିଲେ। ଯୁବକ ଜଣକ ଗୋବିନ୍ଦପୁର ପଞ୍ଚାୟତ ହରିପଡ଼ା ଗ୍ରାମର ସ୍ବର୍ଗତ ସୁରଦାସ ମାଡ଼କିଙ୍କ ସାନ ପୁଅ ଆଶିଷ((୨୫) ବୋଲି ଜଣାପଡିଥିଲା। ବାରମ୍ବାର ତାକୁ କାକୁତି ମିନତି କଲେ ବି କାହାରି କଥା ଶୁଣି ନ ଥିଲା।

ଗଛ ଉପରକୁ ଚଢ଼ି ସ୍ବେଚ୍ଛାସେବୀ ବିକ୍ରମ ସାହୁ କଥା ହେବାରୁ ସେ ତା’ ମା’ ଆସିଲେ ଯାଇ ଗଛରୁ ଓହ୍ଲାଇବ ବୋଲି କହିଥିଲା। ପରେ ତା ମା’ ଆସି ତଳୁ ପାଟି କରିବାରୁ ରାତି ପ୍ରାୟ ୧୦ଟା ୩୦ ଟାରେ ଅଗ୍ନିଶମ ବିଭାଗ ଓ ପୁଲିସ ବିଭାଗର ସହଯୋଗ କ୍ରମେ  ଗଛରୁ ତଳକୁ ଓହ୍ଲାଇଥିଲା। ପୁଲିସ ନାକେଦମ ହେବାପରେ ରାତି ପ୍ରାୟ ୧୨ ଟାରେ  ତାକୁ ନେଇ ଘରେ ଛାଡିଥିଲା। ଆଶିଷ ବିବାହିତ ଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ୬ ମାସ ତଳେ ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଯାଇଛି। ଏହାପରେ ସେ ମାନସିକ ଭରସମ୍ୟ ହରାଇ ଏହିଭଳି ହରକତ କରି ଆସୁଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe