ପାର୍ବଣ ଆସିଲେ ଗାଁକୁ ଝୁରୁଛନ୍ତି: ଜୀବନରେଖା ପାଇଁ ବିସ୍ଥାପିତଙ୍କ ଦୁଃଖ

Advertisment

ପ୍ରଶାନ୍ତ କୁମାର ମିଶ୍ର

ପ୍ରଶାନ୍ତ କୁମାର ମିଶ୍ର

ପାର୍ବଣ ଆସିଲେ ଗାଁକୁ ଝୁରୁଛନ୍ତି: ଜୀବନରେଖା ପାଇଁ ବିସ୍ଥାପିତଙ୍କ ଦୁଃଖ

ବଲାଙ୍ଗୀର: କେଉଁ ଆବହମାନ କାଳରୁ ବସିଥିଲା ଗଁା। ଗଁା କଡ଼ରେ ବହି ଯାଇଥିଲା ନଈ। ନଈକଡ଼ରେ ପାହାଡ଼ ଓ ଜଙ୍ଗଲ। ନଈ ଓ ଜଙ୍ଗଲ ଲୋକଙ୍କ ପେଟକୁ ଯୋଗାଉଥିଲା ଦାନା। ଗଁା ଭିତରେ ସମସ୍ତେ ସ୍ନେହସୌହାର୍ଦ୍ଦ୍ୟର ସହିତ ରହି ଆସୁଥିଲୁ। ପରସ୍ପର ମଧ୍ୟରେ ସୁଖ-ଦୁଃଖ ବାଣ୍ଟି ନେଉଥିଲୁ। ଗାଁ ମନ୍ଦିର, ଗାଁ ଯାତ୍ରା, ପର୍ବପର୍ବାଣିରେ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଖୁସିରେ ସମୟ କାଟୁଥିଲୁ। ନାଚୁଥିଲୁ, ଗାଉ‌ଥିଲୁ ଓ ଏକାଠି ମିଶି ଖାଉଥିଲୁ। ବର୍ଷ ତମାମ ଏଭଳି ଅନେକ ଯାନିଯାତ୍ରା ଜୀବନ ସହ ଯୋଡ଼ି ହୋଇ ରହିଥିଲା। ଜୀବନର ସେହି ସୁଖଦ ମୁହୂର୍ତ୍ତଗୁଡ଼ିକ ହଠାତ୍‌ ଆମଠାରୁ ଦୂରେଇଗଲା। ଏକ ଅଜଣା ସ୍ଥାନରେ ଅସ୍ଥାୟୀ ଭାବରେ ଆମେ ଭାଗ୍ୟକୁ ଆଦରି ପଡ଼ିରହିଛୁ।

ପୂଜାପାର୍ବଣ ଆସିଲେ ଆମେ ଛାଡ଼ି ଆସିଥିବା ଗାଁର ସ୍ମୃତିକୁ ମନେ ପକାଇ କାନ୍ଦି ପକାଉଛୁ ବୋଲି କହିଛନ୍ତି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ବନଛୋପାଲି, କଇଣ୍ଡିପାଲି ଓ ପୋଡ଼ମୁଣ୍ଡ ଗ୍ରାମର ଭୂମିହୀନମାନେ। ଏଠାରେ ରହୁଥିବା ବୃଦ୍ଧ ଦାମୋଦର ବାଗ, ଦେବରାଜ ପୋଢ଼, ଉମାକାନ୍ତ ବାଗ, ଖୁଣ୍ଟିଆ ବାଗ, ମକରଧ୍ବଜ ବାଗ କହନ୍ତି ଯେ, ପର୍ବପର୍ବାଣି ଆସିଲେ ଆମକୁ ବେଶି ଦୁଃଖ ଲାଗୁଛି। ଏବେ ସାରା ଦେଶରେ ଦୀପାବଳି ପାଳନ ହେଉଥିବା ବେଳେ ଆମେ ଅନ୍ଧାରରେ ପଡ଼ି ରହିବା ଛଡ଼ା ଆଉ କୌଣସି ଉପାୟ ନାହିଁ। ଏହି ବିସ୍ଥାପିତମାନେ କୁଶମେଲଠାରେ ଏକ ଅସ୍ଥାୟୀ ଶିବିରରେ ଥିବା ଟିଣଘ‌ରଗୁଡ଼ିକରେ ରହୁଛନ୍ତି। ଗାଁରେ ଏମାନଙ୍କ ଘରଦ୍ବାର ନଥିଲା ‌ତଥାପି କିଏ କେଉଁଠି ଚାଳଛପରରେ ଜୀବନ କାଟୁଥିଲେ। ଗାଁରେ ଏମାନେ ଭୂମିହୀନ ଥିଲେ ବୋଲି ଏମାନଙ୍କୁ କ୍ଷତିପୂରଣ ସମୟରେ ଜମି ମିଳିନଥିଲା। ମୁଣ୍ଡପିଛା ମିଳୁଥିବା କ୍ଷତିପୂରଣ ଦେଇ ଏମାନଙ୍କୁ କୁଶଙ୍ଗଠାରେ ଥିବା ଏକ ଅସ୍ଥାୟୀ ଶିବିରରେ ପକାଇ ଦିଆଗଲା। ଯେତେ ଗୁହାରି କଲେ ମଧ୍ୟ ଏମାନଙ୍କ କଥା ପ୍ରଶାସନ ଆଉ ଶୁଣିନଥିଲା। ଯାହା କିଛି ଟଙ୍କା ପାଇଥିଲେ ତାକୁ ଖର୍ଚ୍ଚ କରି ଚଳୁଛନ୍ତି। ଗାଁରେ କିଛି କିଛି କାମ କରି ରୋଜଗାର କରୁଥିଲେ। ଏବେ ନୂଆ ସ୍ଥାନରେ କାମ ମିଳୁନଥିବା ସେମାନେ କହିଛନ୍ତି। ଯେଉଁଠି ଅଛନ୍ତି ସେଠାରେ ଗାଁର ଅନ୍ୟ ବାସିନ୍ଦାମାନେ ନାହାନ୍ତି। ଏମାନେ ଭୂମିହୀନ ବୋଲି ଏମାନଙ୍କୁ ତାଙ୍କ ଗ୍ରାମବାସୀଙ୍କଠାରୁ ଅଲଗା କରି ଅନ୍ୟ ଏକ ଦୂର ସ୍ଥାନରେ ରଖି ଦିଆଗଲା। ଗାଁ ଛାଡ଼ିଲେ ଓ ଗାଁର ବନ୍ଧୁବାନ୍ଧବଙ୍କୁ ମଧ୍ୟ ଛାଡ଼ିବାକୁ ପଡ଼ିଲା।

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ବେଳେ ଏହି ଜଳସେଚନ ପ୍ରକଳ୍ପରେ ୪୦ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏହି ପ୍ରକଳ୍ପର ଡ୍ୟାମ୍‌କାର୍ଯ୍ୟ, ମାଟିବନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବାବେଳେ ବାମ ଓ ଦକ୍ଷିଣ କେନାଲ କାମ ମଧ୍ୟ ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ବୋଲି ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେଉଁ ପ୍ରକଳ୍ପ ବଲାଙ୍ଗୀରର ଜୀବନରେଖା ହେବାକୁ ଯାଉଛି ସେହି ପ୍ରକଳ୍ପ ଯୋଗୁଁ ନିଜର ଭିଟାମାଟି ଛାଡ଼ିଥିବା ଲୋକଙ୍କ ଦୁଃଖ ଲାଘବ କରି ମାନବୀୟ ସମ୍ବେଦନଶୀଳ ହେବା ସରକାର ଓ ପ୍ରଶାସନର ଦାୟିତ୍ବ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe