ଦଶରଥପୁର: ମଙ୍ଗଳପୁର ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ୍ର ଉପସ୍ଥିତିରେ ଶ୍ମଶାନରେ ମାଟି ଖୋଳାଗଲା। କିନ୍ତୁ ପୋତାଯାଇଥିବା ସ୍ଥାନରୁ ଶିଶୁର ଶବ ମିଳିଲାନି। ମିଳିଲା କେବଳ ତା’ର ପ୍ୟାଣ୍ଟ ଓ ଗଞ୍ଜି। ଏଭଳି ଘଟଣାକୁ ନେଇ ଦଶରଥପୁର ବ୍ଲକ ଚଷାଖଣ୍ଡ ପଞ୍ଚାୟତର କରିଅଙ୍ଗରେ ରହସ୍ୟ ବଢ଼ିଛି। ଅଭିଯୋଗ ଅନୁସାରେ ୪ ଦିନ ତଳେ କରିଅଙ୍ଗ ଅଙ୍ଗନବାଡ଼ି କେନ୍ଦ୍ରରୁ ଖାଦ୍ୟ ଖାଇବା ପରେ ଅଭିଳାଷ ଜେନାଙ୍କ ପୁଅ ଚିକୁନ୍ (୪) ଅସୁସ୍ଥ ହୋଇପଡ଼ିଥିଲା। ତାକୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା କରାଯିବା ସତ୍ତ୍ବେ ମୃତ୍ୟୁ ଘଟିଥିଲା। ମାତ୍ର ବ୍ୟବଚ୍ଛେଦ ନକରି ଶବ ସତ୍କାର କରିଦିଆଯାଇଥିଲା।
ଏହାକୁ ନେଇ ବାପା ଅଭିଳାଷ ଗତକାଲି ଦଶରଥପୁର ସିଡିପିଓ ମଞ୍ଜୁଳା ରଥ ଓ ମଙ୍ଗଳପୁର ଥାନାଧିକାରୀ ରିନାରାଣୀ ସାହୁଙ୍କୁ ଅଭିଯୋଗ କରିଥିଲେ। ଅଙ୍ଗନବାଡ଼ି କେନ୍ଦ୍ରରେ ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ହୋଇଥିବା ସେ ଲିଖିତ ଭାବେ ଜଣାଇ ଶବ ମାଟିତଳୁ ଉଦ୍ଧାର କରି ପରୀକ୍ଷା କରିବାକୁ ଦାବି କରିଥିଲେ। ଏହାକୁ ଭିତ୍ତିକରି ଆଜି ଥାନା ଅଧିକାରୀ ରିନାରାଣୀଙ୍କ ନେତୃତ୍ୱରେ କଟକରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ କରିଅଙ୍ଗ ଗ୍ରାମ ଶ୍ମଶାନରେ ବିଭିନ୍ନ ସ୍ଥାନରେ ଖୋଳାଖୋଳି କରିଥିଲେ। ଏକ ନିର୍ଦ୍ଦିଷ୍ଟ ଗାତ ଭିତରୁ ଶିଶୁର ପ୍ୟାଣ୍ଟ ଓ ଗଞ୍ଜି ମିଳିଥିଲା। ଏକ କମ୍ବଳ ମଧ୍ୟ ଜବତ ହୋଇଛି କିନ୍ତୁ ଶିଶୁର ମୃତଦେହର ପତ୍ତା ମିଳିନଥିଲା। ଏ ସମ୍ପର୍କରେ ପୁଲିସ୍ ପରିବାର ଲୋକଙ୍କ ସହିତ ଗ୍ରାମର କିଛି ବ୍ୟକ୍ତିଙ୍କୁ ପଚରାଉଚରା କରିଛି। କାହା କଥାରେ ତାଳମେଳ ରହୁନଥିବାରୁ ଘଟଣାର ଅଧିକ ତଦନ୍ତ ପାଇଁ ଚିକୁନର ବାପା ଅଭିଳାଷ ଯେନା, ମାଆ ଶିଖା ଯେନା, ଜେଜେ ମନୁ ଯେନାଙ୍କ ସମେତ ଜଣେ ପଡ଼ୋଶୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ଜଣାପଡ଼ିଛି।
Follow Us