ଭୂଇଁରେ ଲୋଟିଛି ଗରିବଙ୍କ କୁଡ଼ିଆ, ବନ୍ୟା ଆସିଲେ ବନ୍ଧହୁଡ଼ା ଆଶ୍ରା

Advertisment

ଆବାସ ଯୋଜନା ଦିଗହରା

ଆବାସ ଯୋଜନା ଦିଗହରା

ଭୂଇଁରେ ଲୋଟିଛି ଗରିବଙ୍କ କୁଡ଼ିଆ, ବନ୍ୟା ଆସିଲେ ବନ୍ଧହୁଡ଼ା ଆଶ୍ରା

ଯାଜପୁରସଦର: ଯାଜପୁରରେ ବନ୍ୟାର ପ୍ରକୋପ କମିଛି। ହେଲେ ଆଜି ବି  ପାଲ ତଳେ ଜୀବନ ବିତାଉଛନ୍ତି ଅନେକ ପରିବାର। ବନ୍ୟାର ପ୍ରଭାବରେ ଝାଟିମାଟି ଘର ଭୂଇଁରେ ଲୋଟିଛି। ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ। କିଏ ବନ୍ଧହୁଡ଼ାରେ ତ ଆଉ କିଏ ଅନ୍ୟ କେଉଁଠି ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶରେ ପଡ଼ିରହିଛନ୍ତି। ଯାଜପୁର ସଦର ବ୍ଲକରେ ଆବାସ ଯୋଜନା ଯେ ପ୍ରକୃତ ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ, ତାହା ମଧ୍ୟ ଏଥିରୁ ସ୍ପଷ୍ଟ ହେଉଛି। ବନ୍ୟାରେ ଯାଜପୁର ବ୍ଲକର ପଣସା ଓ ସିମିଳିଆ ପଞ୍ଚାୟତ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବାସହରା ପରିବାର ଏବେ ପ୍ରଚଣ୍ଡ ଖରାରେ ବହୁ ଯନ୍ତ୍ରଣା ଭୋଗୁଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଜୁପକ୍କାଘର/ଆବାସ ଯୋଜନାରେ କୋଠାଘର ଯୋଗାଇ ଦେଉଛନ୍ତି। କଚାଘର ରହିବନି ବୋଲି କୁହାଯାଉଛି। ଏହାସତ୍ତ୍ବେ ହଜାରହଜାର ଲୋକ କଚାଘରେ ରହୁଥିବା ଏହି ବନ୍ୟା ପୁଣିଥରେ ପ୍ରମାଣିତ କରିଦେଇଛି। ସେମାନେ ଅସହାୟ ଅବସ୍ଥାରେ ରାସ୍ତା ଉପରେ ବନ୍ଧହୁଡ଼ାରେ ପଲିଥିନ ତଳେ ପିଲାଛୁଆ ଧରି ପଡ଼ିରହିବା ଆହୁରି ଦୟନୀୟ ପରିସ୍ଥିତି ସୃଷ୍ଟି କରିଛି। ଉଭୟ ବୁଢ଼ା ଓ ଖରସ୍ରୋତାରେ ବନ୍ୟା ଆସିବାରୁ ସିମିଳିଆ ପଞ୍ଚାୟତ ଜଳବନ୍ଦୀ ହୋଇଯାଇଥିଲା। ଫଳରେ, ଏହି ପଞ୍ଚାୟତ ଅନ୍ତର୍ଗତ ନଖେଇ ଗ୍ରାମର ଅନ୍ନପୂର୍ଣ୍ଣା ବିଶ୍ବାଳ, ଗୋପାଳ ବିଶ୍ବାଳ, ନଳିତା ସାହୁ, ସଂଜୟ ବିଶ୍ବାଳ, ଅନନ୍ତ ବିଶ୍ବାଳ, ମଇଦପୁରର ମହେନ୍ଦ୍ର ଦଳାଇ, ଇନ୍ଦ୍ରମଣି ଜେନାଙ୍କ ଚାଳଘର ଭୂଇଁରେ ‌ଲୋଟିଛି। କେବେ ଆବାସ ଯୋଜନାରେ ଏମାନଙ୍କୁ ସାମିଲ କରାଯିବ ତାକୁ ହିଁ ଅପେକ୍ଷା କରିଛନ୍ତି ଏହି ଗରିବ ପରିବାର।

ସେହିପରି ପଣସା ପଞ୍ଚାୟତରେ ୬୦ ବର୍ଷ ହେଲା ସରକାରୀ ଜମିରେ ରହୁଥିବା ଆଦିବାସୀ ପରିବାର ଭୋଟ ପରିଚୟ ପତ୍ର ସହ ରାସନ ସୁବିଧା ପାଉଛନ୍ତି। କିନ୍ତୁ ଆବାସ କି ପକ୍କାଘର ନ ଥିବାରୁ ପ୍ରତିବର୍ଷ ବନ୍ୟା ପରେ ନୂଆ ଘର ତୋଳିବା ସେମାନଙ୍କର ନିୟମିତ କାର୍ଯ୍ୟ ହୋଇଥିବା ପ୍ରକାଶ କରିଛନ୍ତି। ବନ୍ୟାରେ ଘର ଭାଙ୍ଗିଲେ ନଦୀ ବନ୍ଧରେ ଆଶ୍ରା ନିଅନ୍ତି। ପାଣି କମିଲେ ନୂଆ ଝାଟିମାଟି ଘର ଗଢ଼ନ୍ତି। ଆଙ୍କୁଲା ଅଞ୍ଚଳର ଏହି ଦୃଶ୍ୟକୁ ପ୍ରଶାସନ ଅଣଦେଖା କରି ଆସୁଛି। ସେହି ପଞ୍ଚାୟତର ୧ ନମ୍ବର ୱାର୍ଡ ବେହେରାପାଟଣା ଗ୍ରାମରେ ୬ ପରିବାର ବୈତରଣୀ ନଦୀକୂଳରେ ଦୟନୀୟ ଅବସ୍ଥାରେ ଅଛନ୍ତି। ସେମାନଙ୍କ ଭଙ୍ଗା ଘର ଦାରିଦ୍ର୍ୟର ଚିତ୍ରକୁ ବୟାନ କରୁଛି। ବନ୍ୟା ଆସିଲେ ନଦୀବନ୍ଧକୁ ଧାଉଁଥିବା ଏହି ପରିବାର ପାଖରେ ସରକାରୀ ଆାବାସ ସାତ ସପନ। ଚଳିତ ବନ୍ୟାରେ ଏଠାରେ କାନ୍ଥ ପଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲେ ମଧ୍ୟ ପ୍ରଶାସନ ଗରିବଙ୍କ ଦୁଃଖ ବୁଝିବାକୁ ନାରାଜ। ପ୍ରତିବର୍ଷ ଲୋକେ ଘର ପାଇଁ ସରପଞ୍ଚ ପାଖକୁ ଧାଉଁଥିଲେ ବି ସୁଫଳ ମିଳୁ ନଥିବା ସେମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ଯାଜପୁର ଜିଲ୍ଲା ଆବାସ ଯୋଜନାରେ ଭଲ ସଫଳତା ପାଇଥିବା ଡିଣ୍ଡିମ ପିଟୁଥିବା ବେଳେ ସଦର ବ୍ଲକ‌ର ସହର ଉକକଣ୍ଠ ଅଞ୍ଚଳରେ ଏତେ ନଡ଼ାଛପର ଘର କେମିତି ରହିଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବନ୍ୟା ପ୍ରଭାବିତ ବିପନ୍ନ ପରିବାରଙ୍କୁ ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସେମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe