ପିପିଲି : ସବୁଦିନ ସମୟ ସମାନ ଯାଏନି। ଆଜି ପୂର୍ବାହ୍ନରେ ଦୁଇ ଶିକ୍ଷୟିତ୍ରୀ ଗଣଶିକ୍ଷା ମନ୍ତ୍ରୀଙ୍କ ହାବୁଡରେ ପଡିବା ଘଟଣାରୁ ଏହା ପ୍ରମାଣିତ ହୋଇଛି। ଅଞ୍ଚଳରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଳମ୍ବରେ ସ୍କୁଲ୍ରେ ପହଞ୍ଚିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଆଜି ପିପିଲିର ଜଗନ୍ନାଥପୁର ୟୁପି ସ୍କୁଲ୍ର ଦୁଇଜଣ ଶିକ୍ଷୟିତ୍ରୀ ରାସ୍ତାରେ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ହାବୁଡ଼ରେ ପଡିଥିଲେ। ଏହାପରେ ସିଆର୍ସିସିଙ୍କ ସହ ୮ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ମନ୍ତ୍ରୀ ଶ୍ରୀ ଦାଶ ଆଜି ଭୁବନେଶ୍ବରରୁ ନିମାପଡ଼ା ଯାଉଥିବାବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ୨୦ମିନିଟରେ ପିପିଲି ଟୋଲ୍ପ୍ଲାଜା ନିକଟରେ ସ୍କୁଟି(ଓଡି ୦୨ ବିଏ ୪୫୮୧)ରେ ଯାଉଥିବା ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ଅଟକାଇଥିଲେ। ସେମାନଙ୍କୁ ଅଟକାଇ କେଉଁ ସ୍କୁଲର ବୋଲି ପଚାରିବା ସହ ବିଳମ୍ବ କାହିଁକି ହେଲା ବୋଲି ପଚାରିଥିଲେ। ସେମାନେ ଜଗନ୍ନାଥପୁର ୟୁପି ସ୍କୁଲର ବୋଲି ମନ୍ତ୍ରୀ ଜାଣିବା ପରେ ପ୍ରାୟ ୧୦ଟା ୪୦ମିନିଟରେ ପିପିଲି–ନିମାପଡ଼ା ରାସ୍ତା ପାର୍ଶ୍ବସ୍ଥ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ। ସ୍କୁଲ୍ରେ ମନ୍ତ୍ରୀ ପହଞ୍ଚିବାବେଳକୁ ପ୍ରଧାନଶିକ୍ଷକ ଉମେଶ ପତି ହେଲମେଟ ପିନ୍ଧି ସ୍କୁଟି ନେଇ କେଉଁଆଡେ ବାହାରିଥିଲେ। ମନ୍ତ୍ରୀ ପହଞ୍ଚିଯିବାରୁ ସେ ଅଟକିଯାଇଥିଲେ। ମନ୍ତ୍ରୀ ତାଙ୍କର ପରିଚୟ ବୁଝିବା ସହ ସ୍କୁଲ୍ ଅଫିସକୁ ଯାଇଥିଲେ। ସ୍କୁଲ୍ରେ ପିଲାମାନେ ଏଣେତେଣେ ବୁଲାବୁଲି କରୁଥିବାବେଳେ ଶିକ୍ଷୟିତ୍ରୀମାନେ ଅଫିସ୍ରେ ବସି କଥାବାର୍ତ୍ତାରେ ବ୍ୟସ୍ତ ଥିବା ଦେଖିଥିଲେ। ସ୍କୁଲ୍ର କାଗଜପତ୍ର ଦେଖିବାରେ କେତେକ ଅନିୟମିତତା ମନ୍ତ୍ରୀଙ୍କ ନଜରକୁ ଆସିଥିଲା।
ଘଟଣା ସମ୍ପର୍କରେ ମନ୍ତ୍ରୀ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଫୋନ୍ରେ ଅବଗତ କରାଇବା ସହ ସେହି ସ୍କୁଲ୍ର ୭ଜଣ ଶିକ୍ଷକ, ଶିକ୍ଷୟିତ୍ରୀ, ଏବଂ ସିଆର୍ସିସିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ହେଲେ; ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ପତି, ଶିକ୍ଷୟିତ୍ରୀ ରଶ୍ମିତା ମହାରଥୀ, ସୋନାଲି ପ୍ରିୟଦର୍ଶିନୀ ସେନାପତି, ସ୍ନିଗ୍ଧାରାଣୀ ମହାପାତ୍ର, ମଧୁସ୍ମିତା ନାୟକ, ସୌଦାମିନୀ ନାୟକ, ଶିକ୍ଷକ ଚିତ୍ତରଂଜନ ପାତ୍ର ଓ ସିଆର୍ସିସି ମହମ୍ମଦ ଉମର ଅଲ୍ଲୀ। ସେମାନଙ୍କର ଦରମା ବନ୍ଦ ପାଇଁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Follow Us