ବାରାନଦୀରେ ବ୍ରିଜ୍‌ କେବେ? ବର୍ଷା ଦିନେ ବାହ୍ୟ ଜଗତରୁ ବିଛିନ୍ନ ହେଉଛନ୍ତି ମାଥିଲି ବ୍ଲକର ୧୦ ଗ୍ରାମ

Advertisment

ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଶହ ଶହ ଲୋକ

ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଶହ ଶହ ଲୋକ

ବାରାନଦୀରେ ବ୍ରିଜ୍‌ କେବେ? ବର୍ଷା ଦିନେ ବାହ୍ୟ ଜଗତରୁ ବିଛିନ୍ନ ହେଉଛନ୍ତି ମାଥିଲି ବ୍ଲକର ୧୦ ଗ୍ରାମ

ମାଲକାନଗିରି: ଜିଲ୍ଲାର ଦୁଃଖ ହେଲା ପାହାଡିଆ ନଦୀ। ଜିଲ୍ଲାର ସମସ୍ତ ବ୍ଲକରେ ପାହାଡିଆ ନଦୀମାନ ରହିଥିବା ବେଳେ ବର୍ଷାଦିନ ହେଲେ ଏହି ନଦୀଗୁଡିକ ପାର କରିବା ପାଇଁ ସ୍ଥାନୀୟ ଆଦିବାସୀ ଲୋକେ ବହୁ ସମସ୍ୟା ଦେଇ ଗତି କରିବା ସହ ଦୁର୍ଘଟଣାର ଶିକାର ମଧ୍ୟ ହୋଇ ଜୀବନ ହାନି କରୁଛନ୍ତି। ଏଭଳି ଏକ ନଦୀ ହେଉଛି ମାଥିଲି ବ୍ଲକର କର୍ତ୍ତନପାଲୀ ପଞ୍ଚାୟତର ବାରା। କର୍ତ୍ତନପାଲୀ ପଞ୍ଚାୟତର ସଦର ମହକୁମା ଠାରୁ କିଛି ଦୂରରେ ରହିଥିବା ଏହି ନଦୀକୁ ପ୍ରତିଦିନ ନକ୍ସଲ ପ୍ରବଣ ତଥା ପାହାଡିଆ ଅଂଚଳର ପ୍ରାୟ ୧୦ଟି ଗ୍ରାମର ଶତାଧିକ ଲୋକେ ପାର ହୋଇ ପଞ୍ଚାୟତକୁ ଆସିବା ସହ ଅନ୍ୟ ଦୈନନ୍ଦିନ କାମ ପାଇଁ ଆସୁଛନ୍ତି।

ସ୍ବାଧୀନତାର ସାତ ଦଶନ୍ଧି ପୂରିଯିବା ସହ ଦେଶ ଏବେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ପାହାଡ ଉପରେ ରହୁଥିବା ଏହି ୧୦ଟି ଗ୍ରାମର ଲୋକେ ଆଜି ବି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହୁଛନ୍ତି। ଏମାନଙ୍କ ପାଇଁ ସ୍ବାଧୀନତା ଦିବସ କିଛି ନୂଆ ଆଣିପାରି ନାହିଁ ବୋଲି ଲୋକେ କହନ୍ତି। ବର୍ଷା ଦିନ ହେଲେ ଏହି ନଦୀରେ ପ୍ରବଳ ପାଣି ପ୍ରବାହିତ ହେବା ସହ ଦୀର୍ଘ ଦିନ ପର୍ଯ୍ୟନ୍ତ ନଦୀ ପାର କରିବା ଅସମ୍ଭବ ହୋଇପଡେ। ନଦୀ ପାର ହେବାକୁ ହେଲେ ଦେଶୀ ଡଂଗା କିମ୍ବା ଲାଉ ତୁମ୍ବାରେ ନଦୀ ପାର କରିବାକୁ ପଡୁଥିବା ଲୋକେ କହନ୍ତି। ତେବେ ଦେଶୀ ଡଂଗା ଏଠାରେ ପ୍ରାୟତଃ ନଥିବା ଯୋଗୁଁ ଲକେ ଲାଉ ତୁମ୍ବା କିମ୍ବା ବଡ ବଡ ହଣ୍ଡା ସାହାଯ୍ୟରେ ନଦୀ ପାର ହେଉଥିବା କହିଥିଲେ। ଜୀବନକୁ ବାଜି ଲଗାଇ ଲୋକେ ନଦୀ ପାର ହୁଅନ୍ତି।

publive-image

ନିର୍ବାଚନ ସମୟରେ ମାଳମାଳ ନେତା ଏହି ଅଂଚଳକୁ ଭୋଟ ଭିକ୍ଷା ପାଇଁ ଆସିଥିଲେ। ସମସ୍ତେ ଏହି ବାରା ନଦୀରେ ବ୍ରିଜ ନିର୍ମାଣ କରାଇବାର ସ୍ବପ୍ନ ଦେଖାଇ ଭୋଟ ନେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ପ୍ରତିଶ୍ରୁତି କେବଳ ପାଣିର ଗାର ସଦୃଶ୍ୟ ହୋଇଛି। ସ୍ବାଧୀନତାର ଶହେ ବର୍ଷ ପୂର୍ତ୍ତି ହେଲେ କଣ ଏହି ନଦୀରେ ବ୍ରିଜ ନିର୍ମାଣ ହେବ କି ବୋଲି ଲୋକେ ଓଲଟା ପ୍ରଶ୍ନ କରିଥିଲେ। ବାରମ୍ବାର ଲିଖିତ ଅଭିଯୋଗ, ନେତା ମନ୍ତ୍ରୀଙ୍କୁ ମଧ୍ୟ ଗୁହାରୀ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା କୁହାଯାଇଛି। ଏହି ନଦୀରେ ପୂର୍ବରୁ ନକ୍ସଲଙ୍କର ରାଜ ଥିବାରୁ ବ୍ରିଜ ନିର୍ମାଣ କରିବା ସମ୍ଭବପର ହେଉନଥିଲା। କିନ୍ତୁ ଏବେ ସ୍ଥିତି ବଦଳିଛି। ଏଠାରେ ବିଏସଏଫ ଅବସ୍ଥାପିତ ହୋଇଥିବା ବେଳେ ନକ୍ସଲ ଏଠାରୁ ଏକ ପ୍ରକାର ଦୁରେଇ ଯାଇଛନ୍ତି। ଲୋକଙ୍କ ଜୀବନ ହାନି ହେବା ପୂର୍ବରୁ ତୁରନ୍ତ ଏହି ନଦୀରେ ବ୍ରିଜ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ପ୍ରତିବର୍ଷ ଏହି ନଦୀରେ ଦୁର୍ଘଟଣା ଘଟିଥାଏ। ବହୁ ଲୋକଙ୍କର ଜୀବନ ଏହ ନଦୀ ନେଇସାରିଛି। ନଦୀ ସେପାଖେ ରହିଥିବା ଗ୍ରାମଗୁଡିକକୁ ନକ୍ସଲ ନିଜ ଅକ୍ତି ଆରରେ ରଖିଛନ୍ତି। ସେଥିମଧ୍ୟରୁ ଦଲଦଲି, ଖଡୁଆପଦର, ଗୁଗାପଦର, ବାଲିଗାଡୁ, ଜାମଗୁଡା, ବେତାନଗୁଡା ଭଳି ଗ୍ରାମର ଲୋକେ ବହୁ ସମସ୍ୟା ଦେଇ ଗତି କରୁଥିବା କହନ୍ତି। ଏମାନେ ପିଡିଏସ ଚାଉଳ ପାଇଁ ହେଉ ବା ଭତ୍ତା ପାଇଁ ହେଉ ନଦୀ ପାର କରି ପଞ୍ଚାୟତ ସଦର ମହକୁମାକୁ ଯିବାକୁ ପଡିଥାଏ। ତେଣୁ ସେମାନେ ନଦୀ ପାର କରିବା ପାଇଁ ବହୁ କଷ୍ଟ ସ୍ବୀକାର କରି ପଞ୍ଚାୟତ ସଦର ମହକୁମାକୁ ଆସନ୍ତି। ଏଥିସହ ରୋଗୀଙ୍କୁ କିମ୍ବା ଗର୍ଭବତୀ ଓ ପ୍ରସୂତୀଙ୍କୁ ମେଡିକାଲକୁ ନେବାକୁ ହେଲେ ଏହି ନଦୀକୁ ପାର କରି ଯିବାକୁ ପଡିଥାଏ। ସେତେବେଳେ ଲୋକେ ନାହିଁନଥିବା ହଇରାଣ ହୁଅନ୍ତି। ଦୀର୍ଘଦିନ ଧରି ଏହି ଅଂଚଳର ଲୋକେ ଏହି ନଦୀରେ ବ୍ରିଜ ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ ନା ପ୍ରଶାସନ ନା ସରକାର କେହି କର୍ଣ୍ଣପାତ କରୁନଥିବା ଲୋକେ କ୍ଷୋଭର ସହ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe