ରତ୍ନଗର୍ଭା କାଶୀପୁରର ଚିତ୍ର ବଦଳିବ କେବେ? ୩ କିମି ଦୂରରେ ସ୍କୁଲ୍, ମେଡ଼ିକାଲ୍, ଚାଉଳ ବଣ୍ଟନ କେନ୍ଦ୍ର

Advertisment

ସବୁ ଜାଣି ନିଦାବିଷ୍ଣୁ ପାଲଟିଛନ୍ତି ପ୍ରଶାସନ ଓ ବିଧାୟକ

ସବୁ ଜାଣି ନିଦାବିଷ୍ଣୁ ପାଲଟିଛନ୍ତି ପ୍ରଶାସନ ଓ ବିଧାୟକ

ରତ୍ନଗର୍ଭା କାଶୀପୁରର ଚିତ୍ର ବଦଳିବ କେବେ? ୩ କିମି ଦୂରରେ ସ୍କୁଲ୍, ମେଡ଼ିକାଲ୍, ଚାଉଳ ବଣ୍ଟନ କେନ୍ଦ୍ର

ରାୟଗଡ଼ା: ଗାଁକୁ ନାହିଁ ନିତିଦିନିଆ ରାସ୍ତା। ନଦୀ ପାର ପାଇଁ ବାଉଁଶ ପୋଲ ଭରସା। ଗାଁଠୁ ୩ କିମି ଦୂରରେ ରହିଛି ସ୍କୁଲ୍, ମେଡ଼ିକାଲ୍ ଓ ଚାଉଳ ବଣ୍ଟନ କେନ୍ଦ୍ର। ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ ପର ବାରଣ୍ଡାରେ, ଗଛମୂଳରେ ଚାଲିଛି ଶିଶୁ ବିକାଶ କାର୍ଯ୍ୟକ୍ରମ। ୬୦ ପରିବାରର ଶୋଷ ମେଣ୍ଟାଉଛି ଗୋଟିଏ ନଳକୂପ। ବିଦ୍ୟୁତ୍ ସଂଯୋଗ ଥାଇ ନଥିବା ସହ ସମାନ୍। ବିକାଶଠୁ ବହୁ ଦୂରରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଏପରି ଦୁର୍ଦିନରେ ଦିନ କାଟୁଛନ୍ତି କାଶୀପୁର ବ୍ଲକ୍ ଡଙ୍ଗାସିଲ୍ ପଞ୍ଚାୟତର ବେଲଗଛତୁଣ୍ଡା ଗ୍ରାମବାସୀ। ପଞ୍ଚାୟତ ମୁଖ୍ୟାଳୟରୁ ୩ କିମି ଦୂରରେ ଥିବା ଏହି ଗାଁକୁ ସରକାରଙ୍କ ବିକାଶ ପ୍ରକ୍ରିୟାରେ ସାମିଲ୍ କରିବା ପାଇଁ ଦୀର୍ଘ ଦଶନ୍ଧି ଧରି ଗ୍ରାମବାସୀ ଦାବି କରି ଆସୁଛନ୍ତି।

ସରକାରୀ ଅବହେଳା ପ୍ରତିବାଦରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ମଧ୍ୟ କରିଛନ୍ତି। ତଥାପି ସରକାରୀ ସୁବିଧା ସୁଯୋଗ ପ୍ରଦାନ ନେଇ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି। ସବୁଠୁ ବିଡ଼ମ୍ବନାର କଥା ଏହି ଗ୍ରାମବାସୀ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲିଙ୍କ ନିଜ ପଞ୍ଚାୟତର। ବିଧାୟକଙ୍କ ଗାଁ ଖଟଲାପଦରରୁ ୨ କିମି ଦୂରରେ ଅଭିଶପ୍ତ ଜୀବନ ବିତାଉଥିବା ବେଲଗଛତୁଣ୍ଡା ଗ୍ରାମବାସୀ ନିତିଦିନିଆ ରାସ୍ତା ଓ ପୋଲ ନିର୍ମାଣରୁ ବଞ୍ଚିତ ହେବା ପରେ ବର୍ଷା ୩ ମାସ ଯାତାୟାତ ପାଇଁ ପାଖାପାଖି ୧୦ ହଜାର ଟଙ୍କା ଖର୍ଚ୍ଚ କରି ନଦୀ ଉପରେ ତିଆରି କରିଛନ୍ତି ବାଉଁଶ ପୋଲ। ଗ୍ରାମରେ ୩ରୁ ୪ ଗର୍ଭବତୀ ଆସନ୍ନ ପ୍ରସବା ଥିବାରୁ ଗ୍ରାମବାସୀ ନିଜ ଉଦ୍ୟମରେ ପୋଲ ତିଆରି କରିଛନ୍ତି।

publive-image

ପଞ୍ଚାୟତ କାର୍ଯ୍ୟାଳୟ ଡଙ୍ଗାସିଲରୁ ରେଙ୍ଗଣାସିଲ୍ ପର୍ଯ୍ୟନ୍ତ ପିଚୁ ରାସ୍ତା ତିଆରି ହୋଇଛି। ରେଙ୍ଗଣାସିଲ୍ ଛକରୁ ୧ କିମି ଦୂରରେ ଥିବା ବେଲଗଛତୁଣ୍ଡା ଗାଁକୁ କିନ୍ତୁ ରାସ୍ତା ନିର୍ମାଣ ହୋଇପାରୁନି। ଖରା ଦିନରେ ଅସ୍ଥାୟୀ ରାସ୍ତା ଦେଇ ଗ୍ରାମବାସୀ ଯାତାୟାତ କରୁଥିବା ବେଳେ ବର୍ଷା ଦିନରେ କାଦୁଅ ପଚ ପଚ ରାସ୍ତା ହିଁ ଗ୍ରାମବାସୀଙ୍କ ଯାତାୟାତର ମାଧ୍ୟମ ପାଲଟିଛି। ବର୍ଷା ଦିନେ ଯାତାୟାତ କଷ୍ଟସାଧ୍ୟ ହେଉଥିବାରୁ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ପିଡିଏସ୍ ସାମଗ୍ରୀ ଠିକ୍ ସମୟରେ ପାଇପାରୁନାହାନ୍ତି ଗ୍ରାମବାସୀ। ପ୍ରତିଦିନ ଗାଁ ପିଲାମାନେ ନଦୀ ପାର ହୋଇ କାଦୁଅ ପଚ ପଚ ରାସ୍ତାରେ ପାଠ ପଢ଼ିବାକୁ ୩ କିମି ଦୂର ଯାଉଛନ୍ତି। ସେହିପରି ସ୍ବାସ୍ଥ୍ୟ ସେବା, ସାପ୍ତାହିକ ହାଟ ପାଇଁ ଗ୍ରାମବାସୀଙ୍କୁ ସମାନ୍ ଦୂରତାରେ ଥିବା ଡଙ୍ଗାସିଲ୍ ଉପରେ ନିର୍ଭର କରିବାକୁ ପଡୁଛି। ବିଶୁଦ୍ଧ ପାନୀୟ ଜଳ ପାଇଁ ଥିବା ଗୋଟିଏ ନଳକୂପ, ଗୋଟିଏ ପାଣି ଟାଙ୍କି ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ହୋଇଛି। ବର୍ଷା, ପବନ କିମ୍ବା ଅନ୍ୟ କୌଣସି କାରଣ ପାଇଁ ବିଦ୍ୟୁତ୍ ସଂଯୋଗ କଟିଲେ ଆସିବା ପାଇଁ ୩ରୁ ୪ ଦିନ ଲାଗୁଛି। କେବଳ ବେଲଗଛତୁଣ୍ଡା ନୁହେଁ ଡଙ୍ଗାସିଲ ପଞ୍ଚାୟତ ଅଧୀନରେ ଥିବା ଅନ୍ୟ ୩ ଗାଁ କୁଣ୍ଡୁରୁଖିଲା, ପଣ୍ଡକାମାରି, ତୁଜେର ଗ୍ରାମବାସୀ ସରକାରଙ୍କ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ବିତାଉଛନ୍ତି।

ଖଣିଜ ସମ୍ପଦରେ ପରିପୂର୍ଣ୍ଣ ରତ୍ନଗର୍ଭା କାଶୀପୁର ବ୍ଲକରେ ବିକାଶର ଏପରି ବିକଳ ଚିତ୍ର ପ୍ରଶାସନ, ଲୋକ ପ୍ରତିନିଧିଙ୍କ ସ୍ଥାଣୁତାକୁ ପଦାରେ ପକାଇଛି। ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଦାନର ଅଭାବ ରଖିନଥିବା ବେଳେ ପଞ୍ଚାୟତ ସଦର ମହକୁମାରୁ ୩ କିମି ଦୂରରେ ଥିବା ଗାଁ ବିକାଶରୁ ବାଦ୍ ପଡ଼ିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଜିଲ୍ଲା ଖଣି ପାଣ୍ଠିରୁ ବାର୍ଷିକ ଶହ ଶହ କୋଟି ଖର୍ଚ୍ଚ ହେଉଥିବା ବେଳେ ଉକ୍ତ ଟଙ୍କା କେଉଁ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe