କେବେ ପ୍ରତିଷ୍ଠା ହେବ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ?

Advertisment

୨୦୦୬ ମସିହାରୁ ପ୍ରସ୍ତାବ ଅଟକିଛି

୨୦୦୬ ମସିହାରୁ ପ୍ରସ୍ତାବ ଅଟକିଛି

ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉଛି

travotechagencies.com

ପରିଚାଳନାଗତ ବିଭ୍ରାଟକୁ ଆଖିବୁଜି ଦେଇଛନ୍ତି ସରକାର
୧୧ଟି ମେଡିକାଲ କଲେଜ ପ୍ରତିଷ୍ଠା ସତ୍ତ୍ବେ ଉଦ୍ୟମ ହେଉନି

କଟକ, (ସୀମନ୍ତିକା ନନ୍ଦ): ରାଜ୍ୟରେ ଏବେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୭। ୪ ଘରୋଇ ମେଡିକାଲ କଲେଜକୁ ମିଶାଇଲେ ମୋଟ ସଂଖ୍ୟା ପହଞ୍ଚିଲାଣି ୧୧ରେ। ଆହୁରି ୩ଟି ‌ସରକାରୀ ମେଡିକାଲ୍ କଲେଜ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। କିନ୍ତୁ ରାଜ୍ୟରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ କେବେ ଘୋଷଣା ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ନଥିବାରୁ ମେଡିକାଲ ଶିକ୍ଷା ବ୍ୟବସ୍ଥାରେ ଯେଉଁ ଗୁରୁତର ବୈଷୟିକ ବିଭ୍ରାଟ ଦେଖାଯାଉଛି, ତାହା ସମସ୍ତେ ଜାଣୁଥିଲେ ବି ବିଶ୍ବବିଦ୍ୟାଳୟ ଗଠନ ପ୍ରକ୍ରିୟାକୁ ବିଳମ୍ବିତ କରାଯାଉଛି।

୨୦୦୬ରେ ଏସ୍‌ସିବିର ପୂର୍ବତନ ଡିନ୍‌ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ ଓମ୍‌ଟାର ସଭାପତି ଥିବା ସମୟରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପାଇଁ ଟିକିନିକି ବିବରଣୀ ପ୍ରସ୍ତୁତ କରିଥିଲେ। ସେତେବେଳେ ତାହା ବୈଷୟିକ କମିଟିର ମଂଜୁରୀ ମଧ୍ୟ ପାଇଥିଲା। ଏହାପରେ ୨୦୧୫/୧୬ରେ ଅତନୁ ସବ୍ୟସାଚୀ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ନେଇ ଚିଠା ପ୍ରସ୍ତାବ ବିଧାନସଭାରେ ଆଗତ ପାଇଁ ଯୋଜନା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସବୁ କିଛି ଯୋଜନାରେ ସୀମିତ ରହିଗଲା।

ବର୍ତ୍ତମାନ ରାଜ୍ୟର ସାତଟି ସରକାରୀ ମେଡିକାଲ କଲେଜରେ ୧୧୫୦ ଡାକ୍ତରୀ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ସରକାର ଖୁବ୍‌ଶୀଘ୍ର ପୁରୀରେ ଶହେ ସିଟ୍‌ ବିଶିଷ୍ଟ ମେଡିକାଲ କ‌ଲେଜ ଖୋଲିବାକୁ ଯାଉଥିବାବେଳେ କେନ୍ଦୁଝର ଓ ଯାଜପୁରରେ ସରକାରୀ ମେଡିକାଲ କଲେଜ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ରାଜ୍ୟର ପ୍ରଥମ ମେଡିକାଲ କଲେଜ ଭାବେ କଟକରେ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ୧୯୪୪ରେ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ୧୯୫୯ରେ ଭୀମସାର, ବୁର୍ଲା, ୧୯୬୨ରେ ଏମ୍‌କେସିଜି ବ୍ରହ୍ମପୁର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲା। ଏହାର ୫୬ବର୍ଷ ପରେ ଅର୍ଥାତ୍‌ ୨୦୧୮ରେ ଫକୀର ମୋହନ ମେଡିକାଲ କଲେଜ ବାଲେଶ୍ବର ଓ ଭୀମଭୋଇ ମେଡିକାଲ କଲେଜ ବଲାଙ୍ଗୀରଠାରେ ଦୁଇଟି ମେଡିକାଲ କଲେଜ ଖୋଲାଯାଇଥିଲା। ୨୦୧୭ରେ କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ବାରିପଦାଠାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ପ୍ରତିଷ୍ଠା ହୋଇଥିଲା। ଏସ୍‌ସିବି ଓ ଏମ୍‌କେସିଜିରେ ୨୫୦ ଲେଖାଏ, ଭୀମସାରରେ ୨୦୦, ବାଲେଶ୍ବର, ବଲାଙ୍ଗୀରରେ ଶହେ ଲେଖାଏ ଓ କୋରାପୁଟ ଓ ବାରିପଦାରେ ୧୨୫ ଲେଖାଏ ଏମ୍‌ବିବିଏସ୍‌ ସିଟ୍ ରହିଛି। କିନ୍ତୁ ବ୍ୟବସ୍ଥା ବଦଳିପାରୁନି। ସେହି ପୁରୁଣା ବ୍ୟବସ୍ଥାରେ ଚାଲିଛି ସବୁ ମେଡିକାଲ କଲେଜ। ଏସ୍‌ସିବି ଉତ୍କଳ ବିଶ୍ବବିଦ୍ୟାଳୟ ଅଧିନରେ ଚାଲିଥିବାବେଳେ ଭୀମସାର ଓ ବଲାଙ୍ଗୀର ମେଡିକାଲ କଲେଜ ଜ୍ୟୋତିବିହାର, ଏମ୍‌କେସିଜି ଓ କେରାପୁଟ ମେଡିକାଲ କଲେଜ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ବାରିପଦା ମେଡିକାଲ କଲେଜ ଶ୍ରୀରାମଚନ୍ଦ୍ର ଭଞ୍ଜ ‌ବିଶ୍ବବିଦ୍ୟାଳୟ ଓ ବାଲେଶ୍ବର ମେଡିକାଲ କଲେଜ ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟ ଅଧୀନରେ ରହିଛି। ଏହିସବୁ ବିଶ୍ବବିଦ୍ୟାଳୟ ମେଡିକାଲ କଲେଜ ପାଠ୍ୟକ୍ରମ ପାଇଁ ସିଲାବସ୍‌, ପରୀକ୍ଷା ପରିଚାଳନା, ପ୍ରସ୍ତୁତି, ଫଳାଫଳ ସବୁର ବ୍ୟବସ୍ଥା କରିବେ।

ଅନେକ ସମୟରେ ଏହାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ତାଳମେଳ ରହୁନଥିବାରୁ ଡାକ୍ତରୀ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ମେଡିକାଲ କଲେଜ ନୁହେଁ ଦନ୍ତ ମହାବିଦ୍ୟାଳୟ, ହୋମିଓପାଥିକ, ଆୟୁର୍ବେଦିକ କଲେଜ ସବୁକୁ ଯଦି ଗୋଟିଏ ଛାତ ତଳେ ରଖାଯାଇ ଯୋଜନା କରାଯାଆନ୍ତା, ତାହେଲେ ମେଡିକାଲ ପାଠ୍ୟକ୍ରମ ଓ ବ୍ୟବସ୍ଥାରେ ଅନେକ ସୁଧାର ଓ ସଂସ୍କାର ମଧ୍ୟ ଆସିପାରନ୍ତା।

ବର୍ତ୍ତମାନ ରାଜ୍ୟରେ ଥିବା ୧୧ଟି ସରକାରୀ-ବେସରକାରୀ ମେଡିକାଲ କଲେଜ ବିଭିନ୍ନ ବିଶ୍ବବିଦ୍ୟାଳୟ ଅଧୀନରେ ପରିଚାଳିତ ହେଉଥିବାବେଳେ ସିଲାବସ୍‌ ପ୍ରସ୍ତୁତିଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି। ହେଲେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ଏଯାଏ କାହିଁକି ହାତ ବାନ୍ଧି ବସିଛନ୍ତି, ତାହା ବୁଝାପଡୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe