ଶିଳାନ୍ୟାସର ୮ ବର୍ଷ ବିତିଲା, କେବେ ସରିବ ରେଙ୍ଗାଳି ଦ୍ୱିତୀୟ ସେତୁ?

Advertisment
ଶିଳାନ୍ୟାସର ୮ ବର୍ଷ ବିତିଲା, କେବେ ସରିବ ରେଙ୍ଗାଳି ଦ୍ୱିତୀୟ ସେତୁ?

କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳି ଡ୍ୟାମ୍‌ ତଳେ ବ୍ରାହ୍ମଣୀ ନଦୀରେ ଏକ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ୨୦୧୩ ମସିହାରେ ଶିଳାନ୍ୟାସ କରିଥିଲେ। ସାଧାରଣ ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ଏହି ଶିଳାନ୍ୟାସ ହୋଇଥିଲା। ୩ ବର୍ଷରେ ସେତୁ ନିର୍ମାଣ ସରିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ବର୍ଷ ପରେ ବର୍ଷ ବିତିଯାଇଥିଲେ ବି ଏହାର ନିର୍ମାଣ କାର୍ଯ୍ୟ ଆଗେଇ ପାରିନାହିଁ। କେବେ ଏହି ସେତୁ ନିର୍ମାଣ ସରିବ ‌ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁଯାୟୀ, ରେଙ୍ଗାଳିରେ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ନିର୍ମାଣ ପାଇଁ ୧୯୭୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶିଳାନ୍ୟାସ କରିଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ୧୯୮୫ ମସିହାରେ ଏହା ଉଦ୍‌ଘାଟନ କରିଥିଲେ। ରେଙ୍ଗାଳିରେ ବ୍ରାହ୍ମଣୀ ନଦୀ ଉପରେ ଆଉ ଏକ ସେତୁ ନିର୍ମାଣ ହେବ ବୋଲି ସେତେବେଳେ ଚର୍ଚ୍ଚାହେଉଥିଲା। କାରଣ ରେଙ୍ଗାଳି ଡ୍ୟାମ୍‌ରେ ସର୍ବସାଧାରଣଙ୍କ ଯାତାୟାତ ଓ ଗାଡ଼ିଚଳାଚଳ ହେବନାହିଁ ବୋଲି ସେତେବେଳୁ ଜଣାପଡ଼ିଥିଲା। ରେଙ୍ଗିଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଡ୍ୟାମ୍‌ ଉପରେ କ୍ଷୁଦ୍ର ଓ ଭାରୀଯାନ ଚଳାଚଳ ନିଷେଧ କରାଗଲା। ତେଣୁ ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟା ଦୂର ହେଲାନାହିଁ। ରେଙ୍ଗାଳିଠାରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହିସେତୁ ନିର୍ମାଣହେଲେ ଅନୁଗୁଳ, କଣିହାଁ, ପାଲଲହଡ଼ା, ଦେବଗଡ଼, ରାଉରକେଲା, କେନ୍ଦୁଝର, ମୟୂରଭଞ୍ଜ ଅଞ୍ଚଳବାସୀ ଉପକୃତ ହେବେ ବୋଲି ସ୍ବପ୍ନ ଦେଖିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଢେଙ୍କାନାଳର ପ୍ରାକ୍ତନ ସାଂସଦ ତଥାଗତ ଶତପଥୀ ଓ ପାଲଲହଡାର ପୂର୍ବତନ ବିଧାୟକ ରବିନାରାୟଣ ପାଣି ପ୍ରମୁଖ ୨୦୧୩ ମସିହାରେ ଦ୍ବିତୀୟ ସେତୁପାଇଁ ଶିଳାନ୍ୟାସ କରିଥିଲେ। ପୂର୍ତ୍ତ ବିଭାଗ ଏହାର ନିର୍ମାଣ ଦାୟିତ୍ୱ ନେଇ ୩ ବର୍ଷରେ କାର୍ଯ୍ୟ ଶେଷ କରିବ ଏବଂ ପୋଲ ନିର୍ମାଣ ପରେ କଣିହାଁ, ପାଳଲହଡ଼ା ବ୍ଲକ୍‌ ଓ ଦେବଗଡ଼ ଜିଲ୍ଲାବାସୀଙ୍କ ବହୁଦିନର ସମସ୍ୟା ଦୂରହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଶିଳାନ୍ୟାସ ପରେ ପୋଲ ନିର୍ମାଣ ଆରମ୍ଭ କରିଥିବା ଠିକାସଂସ୍ଥା କିଛିଦିନ ପରେ‌ କାମ ଛାଡ଼ିପଳାଇଲା। ପରେ ଅନ୍ୟ ଏକ ଠିକାସଂସ୍ଥା ସେତୁ କାମ ଆରମ୍ଭ  କରିଥିଲା।  ତାହା ମଧ୍ୟ କାମ ଶେଷନକରି ଛାଡ଼ି ଚାଲିଗଲା। ଗତବର୍ଷ ଆଉ ଏକ ଠିକାସଂସ୍ଥା କାମ ଆରମ୍ଭ କରିଛି। ଦୀର୍ଘ ୮ ବର୍ଷ ବିତିଯାଇଥିବାବେଳେ ପୋଲର ମାତ୍ର ୩୦ ପ୍ରତିଶତ କାମ ହୋଇଛି। ରେଙ୍ଗାଳି ଡ୍ୟାମ୍‌ ଉପରେ କ୍ଷୁଦ୍ର ଓ ଭାରୀଯାନ ଚଳାଚଳ ନିଷେଧ ଥିବାରୁ ଅଞ୍ଚଳବାସୀଙ୍କ ଯାତାୟତା ସମସ୍ୟା ଦୂର ହେଲାନାହିଁ। ବର୍ଷାଋତୁରେ କୂଳଖାଉଥିବା ବ୍ରାହ୍ମଣୀ ନଦୀ ଲୋକେ ବିପଦସଂକୁଳ ଭାବେ ଡଙ୍ଗାରେ ପାରିହୋଇ ଖମାର, ପାଲଲହଡ଼ା, କେନ୍ଦୁଝର, ରାଉରକେଲାକୁ ଯାଆସ କରୁଥିବା ଦେଖାଯାଇଛି। ତେଣୁ ଯଥାଶୀଘ୍ର ସମ୍ଭବ ପୋଲ ନିର୍ମାଣ କାର୍ଯ୍ୟ ଶେଷକରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe