କୁଆଡ଼େ ଗଲା ୧୯,୨୦୦ ଟନ୍‌ କୋଇଲା? ୨ ବର୍ଷ ପରେ ଏତଲା, ୪.୪୧ କୋଟି ଟଙ୍କା କ୍ଷତି

Advertisment

୨୦୨୨ ମସିହାରେ କୋଇଲା ପାଇଁ ବରାଦ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟରେ କିଛି କୋଇଲା ଆସିଥିଲା ସତ, କିନ୍ତୁ ୧୯,୨୦୦ ଟନ୍‌ କୋଇଲା ଅନଲୋଡ୍‌ କରିନଥିଲା ଠିକାସଂସ୍ଥା। ବିଡ଼ମ୍ବନା ଏହା ଯେ, କୋଇଲା ପରିବହନକାରୀ ଠିକା ସଂସ୍ଥାକୁ କେବଳ...

୨୦୨୨ ମସିହାରେ କୋଇଲା ପାଇଁ ବରାଦ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟରେ କିଛି କୋଇଲା ଆସିଥିଲା ସତ, କିନ୍ତୁ ୧୯,୨୦୦ ଟନ୍‌ କୋଇଲା ଅନଲୋଡ୍‌ କରିନଥିଲା ଠିକାସଂସ୍ଥା। ବିଡ଼ମ୍ବନା ଏହା ଯେ, କୋଇଲା ପରିବହନକାରୀ ଠିକା ସଂସ୍ଥାକୁ କେବଳ...

କୋଇଲା ମନ୍ତ୍ର‌ାଳୟର କାରଣଦର୍ଶାଅ ନୋଟିସ୍‌ର ଉତ୍ତର ଦେଇଛି ଓସିପିଏଲ୍‌

ରାଉରକେଲା: ୨୦୨୨ ମସିହାରେ କୋଇଲା ପାଇଁ ବରାଦ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟରେ କିଛି କୋଇଲା ଆସିଥିଲା ସତ, କିନ୍ତୁ ୧୯,୨୦୦ ଟନ୍‌ କୋଇଲା ଅନଲୋଡ୍‌ କରିନଥିଲା ଠିକାସଂସ୍ଥା। ବିଡ଼ମ୍ବନା ଏହା ଯେ, କୋଇଲା ପରିବହନକାରୀ ଠିକା ସଂସ୍ଥାକୁ କେବଳ ନୋଟିସ୍‌ ଦେଇ ଛାଡ଼ିଦେଲେ। କଳା ତାଲିକାଭୁକ୍ତ ବି କରାଗଲାନି କିମ୍ବା ଅବଶିଷ୍ଟ କୋଇଲା ଯୋଗାଇବାକୁ ବାଧ୍ୟ କରାଗଲାନି। ସମ୍ଭବତଃ ଏହି ବଡ଼ଧରଣର ହେରଫେର୍‌କୁ ଚାପିବାକୁ ପ୍ରୟାସ ଚାଲୁଥିଲା। ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ଥାନାରେ ଏତଲା ଦିଆଯାଇଛି। କୋଟିଏ ଟଙ୍କାର କୋଇଲା ହେରଫେର୍‌ ହେବାର ଦୁଇବର୍ଷ ପରେ ଏତଲା ଦିଆଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଏକ ଅନିୟମିତତା ସାମନାକୁ ଆସିଛି ଏନ୍‌ଏସ୍‌ପିସିଏଲ୍‌ରେ।

ଉଲ୍ଲେଖଯୋଗ୍ୟ, ୨୦୦୧ ମସିହାରେ ଏନ୍‌ଟିପିସି ଓ ‘ସେଲ୍‌’ର ମିଳିତ ସହବନ୍ଧନରେ ଗଠିତ ହୋଇଥିଲା ଏନ୍‌ଟିପିସି-ସେଲ୍‌ ପାୱାର୍‌ କମ୍ପାନି ଲିମିଟେଡ୍‌ (ଏନ୍‌ଏସ୍‌ପିସିଏଲ୍‌)। ଉଦ୍ଦେଶ୍ୟ ଥିଲା ଏନ୍‌ଏସ୍‌ପିସିଏଲ୍‌ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଥିବା ୧୨୦ ମେଗାୱାଟ୍‌ ବିଶିଷ୍ଟ କ୍ୟାପ୍‌ଟିଭ୍‌ ପାୱାର ପ୍ଲାଣ୍ଟ୍‌ ପରିଚାଳନା କରିବ। ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଆବଶ୍ୟକ ହୋଇଥାଏ। ଏହି କ୍ରମରେ ୨୦୨୨ ନଭେମ୍ବର ୮ ତାରିଖରେ ମିରଟ୍‌ର ଠିକାସଂସ୍ଥା ଆକାର ଇଞ୍ଜିନିୟର୍ସ ଓ କଣ୍ଟ୍ରାକ୍ଟର୍ସ (ଏଇ ଆଣ୍ଡ୍‌ ସି)କୁ ୭୦ ହଜାର ଟନ୍‌ କୋଇଲା ପରିବହନ ପାଇଁ ଏନ୍‌ଏସ୍‌ପିସିଏଲ୍‌ ଠିକା ଦେଇଥିଲା। ସର୍ତ୍ତ ଥିଲା, ଏହି କୋଇଲା ମହାନଦୀ କୋଲ୍‌ଡ ଫିଲ୍‌ଡ୍ସ ଲିମିଟେଡ୍‌ (ଏମ୍‌ସିଏଲ୍‌) ଅଧୀନସ୍ଥ କୁଲ୍‌ଡା/ଗର୍ଜନବାହାଲ ଖଣିରୁ ଆସିବ। ଏହା ସଡ଼କ ପଥ ଓ ରେଳପଥରେ ପରିବହନ ହୋଇ କୁଆରମୁଣ୍ଡା ଓ ଲଇକେରା ରେଲୱେ ସାଇଡିଂରେ ଅନ୍‌ଲୋଡ୍‌ ହେବ। ପରେ ସଡ଼କପଥରେ ଏନ୍‌ଏସ୍‌ପିସିଏଲ ଭିତରକୁ ଅଣାଯିବ।

ପରିବହନ ବାବଦକୁ ଠିକାସଂସ୍ଥାକୁ ୩.୮୨ କୋଟି ଟଙ୍କା ପ୍ରଦାନ କରାଯିବା ସହ ଦୁଇ ମାସ ମଧ୍ୟରେ ପ୍ରକ୍ରିୟା ସଂପନ୍ନ ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିଲା। ଏହା ପରେ ଏନ୍‌ଏସ୍‌ପିସିଏଲ୍‌ ପକ୍ଷରୁ ୭୦ ହଜାର ଟନ୍‌ କୋଇଲା କିଣିବାକୁ ଏମ୍‌ସିଏଲ୍‌କୁ ଅର୍ଡର (ଅର୍ଡର୍‌ ନମ୍ବର: ୪୫୦୦୦୦୫୩୧୦/୧୧୪୦), ତାରିଖ: ଡିସେମ୍ବର ୨୭, ୨୦୨୨) ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଠିକାସଂସ୍ଥା ପାଖାପାଖି ୫୦,୮୦୦ ଟନ୍‌ କୋଇଲା ଆଣି ରେଲୱେ ସାଇଡିଂରେ ଗଚ୍ଛିତ ରଖିଥିଲା। ତେବେ ୨୦୨୩ ଫେବ୍ରୁଆରିରେ ପରିବହନ ଅବଧି ଶେଷ ହେବା ସତ୍ତ୍ବେ ଅବଶିଷ୍ଟ ୧୯,୨୦୦ ଟନ୍‌ କୋଇଲା ପହଞ୍ଚି ନ ଥିଲା। ପରେ ୨୦୨୩ ମସିହା ଜୁନ ୧୩ ତାରିଖରେ ଏନ୍‌ଏସ୍‌ପିସିଏଲ୍‌ ପକ୍ଷରୁ ଠିକାସଂସ୍ଥାକୁ ନୋଟିସ୍‌ ଦିଆଯାଇଥିଲା। ପ୍ରଥମେ ଠିକାସଂସ୍ଥା ଅର୍ଡର ମୁତାବକ କୋଇଲା ପରିବହନ ହୋଇଥିବା କହିଥିଲା। ପରେ ଏନ୍‌ଏସ୍‌ପିସିଏଲ୍‌ ପକ୍ଷରୁ ବକେୟା ଟଙ୍କା ଦିଆଯାଉନଥିବାରୁ ପରିବହନରେ ସମସ୍ୟା ଉପୁଜିଥିବା ମାନିବା ସହ ୨୦୨୩ ଜୁନ ସୁଦ୍ଧା ଅବଶିଷ୍ଟ ପରିମାଣର କୋଇଲା ସାଇଡିଂରେ ଅନଲୋଡ୍‌ କରିବାକୁ ରାଜି ହୋଇଥିଲା। ତେବେ ଠିକାସଂସ୍ଥା ପରବର୍ତ୍ତୀ ସମୟରେ ଆଉ କୋଇଲା ଅନଲୋଡ୍‌ କରିନଥିଲା। ଏହାଦ୍ବାରା ଏନ୍‌ଏସ୍‌ପିସିଏଲ୍‌ର ପାଖାପାଖି ୪.୪୧ କୋଟି ଟଙ୍କା କ୍ଷତି ହୋଇଛି। ମୂଳ ଅର୍ଡର ଦିଆଯିବାର ପ୍ରାୟ ୨ ବର୍ଷପରେ, ଅର୍ଥାତ୍‌ ୨୦୨୪ ନଭେମ୍ବର ମାସରେ ଏନ୍‌ଏସ୍‌ପିସିଏଲ୍‌ ପକ୍ଷରୁ ଏ ନେଇ ଟାଙ୍ଗରପାଲି ଥାନାରେ ଏତଲା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe