ବର୍ଷବର୍ଷର ଅପେକ୍ଷା ସରୁନି: ପୁଲିସ ହେପାଜତରୁ ୪ ଆଦିବାସୀ ଗଲେ କୁଆଡ଼େ?

Advertisment
ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ଭୁବନେଶ୍ବର : ସେଦିନ ସାହି ପଡ଼ିଶାଙ୍କ ଆଖି ଆଗରେ ପୁଲିସ୍‌ ସେମାନଙ୍କୁ ଟେକି ନେଇଥିଲା। ତା’ ପରଠାରୁ ଆଉ କେହି ସେମାନଙ୍କୁ ଦେଖିନାହାନ୍ତି। ଆଶ୍ଚର୍ଯ୍ୟର କଥା ହେଲା, ନା ସେମାନଙ୍କ ନାଁରେ ଥାନାରେ କିଛି ମାମଲା ରୁଜୁ ହୋଇଛି ନା ଗିରଫ ବୋଲି ଦର୍ଶାଯାଇଛି। କୌଣସି ଜେଲ୍‌‌‌ରେ ବି ସେମାନେ ବନ୍ଦୀ ନାହାନ୍ତି। ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ ମଧ୍ୟ ସେମାନେ ଘରକୁ ଫେରୁ ନାହାନ୍ତି। ନିକଟ ଅତୀତରେ ରିଲିଜ୍‌ ହୋଇଥିବା ଚଳଚ୍ଚିତ୍ର ‘ଜୟଭୀମ’ର କାହାଣୀ ଭଳି ମାଲକାନଗିରିର ୪ ଆଦିବାସୀ ରହସ୍ୟଜନକ ଭାବେ ଦୀର୍ଘ ବର୍ଷ ହେଲା ନିଖୋଜ ହୋଇଯାଇଛନ୍ତି। ପରିବାର‌ଲୋକ ଓ ଗ୍ରାମବାସୀ ଥାନାଠାରୁ ଆରମ୍ଭ କରି ଏସ୍‌ପି, ଜାତୀୟ ମାନବାଧିକାର କମିସନ୍‌, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇସାରିଲେଣି। କିନ୍ତୁ କିଛି ଲାଭ ମିଳୁନି, କେହି ତାଙ୍କ କଥା ଶୁଣୁ ନାହାନ୍ତି। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ(ଗାସ) ଏହି ଘଟଣାକୁ ଲୋକଲୋଚନକୁ ଆଣିବା ସହ ଗରିବ ଆଦିବାସୀଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି କରିଛି।

ହାଜତ ନିର୍ଯାତନା ଓ ନ୍ୟାୟିକ ହେପାଜତରେ ମୃତ୍ୟୁ ଶୀର୍ଷକ ଆଲୋଚନାରେ ‘ଗାସ’ର ସମ୍ପାଦକ ଦେବରଞ୍ଜନ ଏବଂ ବରିଷ୍ଠ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ବିଜୟ ଉପାଧ୍ୟାୟଙ୍କ ସୂଚନାନୁଯାୟୀ, ୨୦୦୬ରେ ମାଲକାନଗିରି ଜିଲ୍ଲାର ସରପଞ୍ଚ ସଂଘ ସଭାପତି ଇନ୍ଦ୍ର ମାଢ଼ୀ, ଆକୁଳ ସରକାର, ତମାଇ ମାଡ଼କାନି ଏବଂ ୨୦୧୨ ମସିହାରେ ତ୍ରିନାଥ ସମରଥ ପୁଲିସ ହେପାଜତକୁ ନିଖୋଜ ହୋଇଯାଇଥିଲେ। କିନ୍ତୁ ଏବେ ସୁଦ୍ଧା ସେମାନଙ୍କ ପତ୍ତା ମିଳୁନାହିଁ।

publive-image indiatvnews.com

ମାଲକାନଗିରି ଭିଲେଜ୍‌-୬୯ ଅଧିବାସୀ ତଥା ଓ୍ବାର୍ଡ ସଦସ୍ୟ ଆକୁଳ ସରକାର, ତମାଇ ମାଡ଼କାନିଙ୍କୁ ୨୦୦୬ ମସିହାରେ ପୁଲିସ ଟେକି ନେଇଥିଲା। କିନ୍ତୁ ତା’ପରଠାରୁ ଦୁହିଁଙ୍କର ଆଉ ପତ୍ତା ମିଳିନଥିଲା। ପାଖାପାଖି ୨ ମାସ ପର୍ଯ୍ୟନ୍ତ ସେମାନଙ୍କ ପରିବାରଲୋକ ଏ ବାବଦରେ ପୁଲିସକୁ ପଚାରିଥିଲେ ହେଁ ପୁଲିସ୍‌ ସେମାନଙ୍କୁ ଫେରାଇ ଦେଇଥିଲା। ଏପରିକି ସେମାନଙ୍କୁ ଗିରଫ କରାଯାଇଛି କି ନାହିଁ, ସେ ନେଇ ମଧ୍ୟ ସ୍ପଷ୍ଟ ସୂଚନା ଦିଆଯାଇନଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପରେ ଆନ୍ଦୋଳନର ରୂପ ନେଇଥିଲା। ପୁଲିସର ଏହି ମନମୁଖୀ ପ୍ରତିବାଦରେ ତେନ୍ତୁଳିଗୁଡ଼ା ସରପଞ୍ଚ ଇନ୍ଦ୍ର ମାଢ଼ୀଙ୍କ ନେତୃତ୍ବରେ ସ୍ଥାନୀୟ ଅଧିବାସୀ ସେତେବେଳେ ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। କିନ୍ତୁ ଏହା ପରେ ପରେ ରହସ୍ୟଜନକ ଭାବେ ଇନ୍ଦ୍ର ମାଢ଼ୀ ମଧ୍ୟ ଗାୟବ୍‌ ହୋଇଯାଇଥିଲେ। ସେ ହାଟରୁ ଫେରୁଥିବା ବେଳେ ସିଆରପିଏଫ୍‌ ତାଙ୍କୁ ଟେକି ନେଇଥିଲା ବୋଲି ତାଙ୍କ ପରିବାର‌ଲୋକ ଅଭିଯୋଗ କରିଥିଲେ। ଏହା ପରଠାରୁ ଇନ୍ଦ୍ର ମାଢ଼ୀ ଆଜି ପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି। ଗାସର ସଦସ୍ୟମାନେ ଏ ସଂକ୍ରାନ୍ତରେ ନିଖୋଜ ତିନି ପରିବାର ସଦସ୍ୟଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ। ଇନ୍ଦ୍ର ମାଢ଼ୀଙ୍କୁ ଫେରାଇ ଆଣିବା ସଂକ୍ରାନ୍ତରେ ପଦକ୍ଷେପ ନେବା ପାଇଁ ଇନ୍ଦ୍ରଙ୍କ ପୁଅ ଚୈତନ୍ୟ ହାଇକୋର୍ଟକୁ ଚିଠି ଲେଖିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ତାହାର ଉତ୍ତର ଆସିନାହିଁ।

ଅନ୍ୟ ଏକ ଘଟଣାକ୍ରମେ, ୨୦୧୨ ମସିହାରେ ମାଲକାନଗିରି ସହରର ତ୍ରିନାଥ ସମରଥ ନାମକ ଜଣେ ଯୁବକ ସ୍ଥାନୀୟ ଜଣେ ଡାକ୍ତରଙ୍କ ଘରେ କାମ କରୁଥିଲେ। ଡାକ୍ତରଙ୍କ ଘରୁ ମୂଲ୍ୟବାନ ଅଳଙ୍କାର ଚୋରି ଅଭିଯୋଗରେ ପୁଲିସ୍‌ ତ୍ରିନାଥ ଏବଂ ତାଙ୍କ ସାଥୀ ନିରଞ୍ଜନଙ୍କୁ ଗିରଫ କରିଥିଲା। କିଛି ଦିନ ପରେ ନିରଞ୍ଜନଙ୍କୁ ପୁଲିସ ଛାଡ଼ି ଦେଇଥିଲା। କିନ୍ତୁ ତ୍ରିନାଥ କୁଆଡ଼େ ଗଲେ, ସେ ସମ୍ପର୍କରେ ନିରଞ୍ଜନ କି ପୁଲିସ କୌଣସି ତଥ୍ୟ ଦେଇ ନଥିଲେ। ଏପରିକି ସେମାନେ ଚୋରି କରିଛନ୍ତି କି ନାହିଁ, ସେନେଇ ବି ପୁଲିସ୍‌ ସ୍ପଷ୍ଟ କରିନାହିଁ। ତେବ‌େ ଏହାର କିଛି ଦିନ ପରେ ନିରଂଜନ ମୁହଁ ଖୋଲିଥିଲେ। ସେ କହିଥିଲେ ଯେ ତ୍ରିନାଥଙ୍କୁ ହାଜତରେ ମାଡ଼ ମରାଯାଇଥିଲା। କିନ୍ତୁ ତା’ ପରେ ତାଙ୍କ ସହ କ’ଣ ହେଲା, ତାହା ସେ ଜାଣିନାହାନ୍ତି ବୋଲି ‘ଗାସ’ର ସଦସ୍ୟ ଦେବରଂଜନ କହିଛନ୍ତି।

publive-image Image Courtesy of iPleaders Blog

ଅପରପକ୍ଷେ ଏନେଇ ୨୦୧୪ ମସିହାରେ ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି)ର ଏକ ଟିମ୍‌ ତ୍ରିନାଥଙ୍କ ଘରକୁ ଯାଇ ଘଟଣାର ଅନୁଧ୍ୟାନ କରି ମାମଲା ରୁଜୁ କରିଥିଲା। କିଛି ଦିନ ପରେ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ଇଂରାଜୀରେ ଏକ ଚିଠି ତ୍ରିନାଥଙ୍କ ପରିବାରକୁ ଦିଆଯାଇଥିଲା। ମାତ୍ର ପରିବାର କିମ୍ବା ସେହି ଗାଁର କେହି ଇଂରାଜୀ ପଢ଼ି ପାରିନଥିଲେ। ପରିଚିତଙ୍କୁ ଦେଖାଇ ତା’ର ଉତ୍ତର ଦେବା ବେଳକୁ ଅବଧି ଅତିକ୍ରାନ୍ତ ହୋଇସାରିଥିଲା। ତେଣୁ ଏନ୍‌ଏଚ୍‌ଆରସି ସେହି ମାମଲାକୁ ବନ୍ଦ କରିଦେଲେ। ପରେ ପରିବାରଲୋକ ଏନେଇ ଓଡ଼ିଶା ରାଜ୍ୟ ମାନବାଧିକାର କମିସନ୍‌ (ଓଏଚଆରସି)ର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଏନ୍‌ଏଚ୍‌ଆର୍‌ସି ମାମଲା ବନ୍ଦ କରିଦେଇଥିବାରୁ ଓଏଚ୍‌ଆର୍‌ସି ତାହାକୁ ଆଉ ଖୋଲିପାରିବ ନାହିଁ ବୋଲି କୁହାଯାଇଥିଲା।

ଏହି ନିଖୋଜ ୪ ବ୍ୟକ୍ତିମାନେ ଯଦି ଦୋଷୀ, ତେବେ ସେମାନେ କେଉଁ ଜେଲରେ ଅଛନ୍ତି, କେମିତି ଅଛନ୍ତି, କେତେ ଦିନ ଜେଲରେ ରହିବେ? କିମ୍ବା ଯଦି ନିଖୋଜ କି ତାଙ୍କ ସହିତ କୌଣସି ଅଘଟଣ ହୋଇଛି, ପୁଲିସ କାହିଁକି ସ୍ପଷ୍ଟ ସୂଚନା ଦେଉନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ‘ଗାସ’ ପକ୍ଷରୁ ଅଭିଯୋଗ କରାଯାଇଛି। ‘ଗାସ’ର ବରିଷ୍ଠ ସଦସ୍ୟ ବିଜୟ ଉପାଧ୍ୟାୟ କହିଛନ୍ତି, ମାଲକାନଗିରି ଜିଲ୍ଲାରେ ମାଓବାଦୀ ସଙ୍ଗଠନର ଅନେକ ସଦସ୍ୟଙ୍କୁ ପୁଲିସ ଅଟକ ରଖେ। ପରେ ସେମାନେ ରହସ୍ୟଜନକ ଭାବେ ନିଖୋଜ ହୋଇଯା’ନ୍ତି। କିନ୍ତୁ ସରପଞ୍ଚ ଅର୍ଥାତ ଜଣେ ଜନପ୍ରତିନିଧିଙ୍କ ସମେତ ୪ ସଦସ୍ୟ, ଯେଉଁମାନଙ୍କ ବିରୋଧରେ ମାଓବାଦୀ ସଙ୍ଗଠନ ସହ ସଂପୃକ୍ତି କିମ୍ବା କୌଣସି ଆପରାଧିକ ମାମଲା ନଥିଲା, ସେମାନଙ୍କୁ ପୁଲିସ କେଉଁଠି ରଖିଲା, ସେ ସମ୍ପର୍କରେ ସୂଚନା ନଦେବା ଆଶ୍ଚର୍ଯ୍ୟଜନକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe