ପିଲା ପଢିବେ କେଉଁଠି? ସବୁ ପ୍ରଥମ ଶ୍ରେଣୀରେ ପାସ୍, ବିଜ୍ଞାନରେ ସିଟ୍ ନାହିଁ

Advertisment
ପିଲା ପଢିବେ କେଉଁଠି? ସବୁ ପ୍ରଥମ ଶ୍ରେଣୀରେ ପାସ୍, ବିଜ୍ଞାନରେ ସିଟ୍ ନାହିଁ

ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୩ ଲକ୍ଷ ୨୫ ହଜାର ୯୧୯
ମୋଟ ବିଜ୍ଞାନ ସିଟ୍ ସଂଖ୍ୟା ୧ ଲକ୍ଷ ୩୯ ହଜାର ୩୬୮

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ଆୟୋଜିତ ମାଟ୍ରିକ ପରୀକ୍ଷାରେ ଚଳିତ ବର୍ଷ ୩ ଲକ୍ଷ ୨୫ ହଜାର ୯୧୯ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଏହା ହେଉଛି ବୋର୍ଡ ଇତିହାସରେ ସର୍ବକାଳୀନ ରେକର୍ଡ। ୨୦୨୧ରେ ପରୀକ୍ଷା ନ ହୋଇ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ବି ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରି ପାରି ନଥିଲେ। ୨୦୨୧ରେ ଏହି ସଂଖ୍ୟା ଥିଲା ୧ ଲକ୍ଷ ୭୧ ହଜାର ୫୬୧। ଏବଂ ୨୦୨୦ରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୫୯ ହଜାର ୧୩୦। ବୋର୍ଡ ପକ୍ଷରୁ ଗ୍ରେଡେସନ୍ ଭିତ୍ତିରେ ପରୀକ୍ଷାଫଳ ପ୍ରକାଶ ପାଉଥିବା ବେଳେ ଏ-୧ (୯୦ ପ୍ରତିଶତ ଅଥବା ତାଠାରୁ ଅଧିକ), ଏ-୨(୮୦ ଅଥବା ୮୦ରୁ ଅଧିକ ଏବଂ ୯୦ ପ୍ରତିଶତରୁ କମ୍), ବି-୧(୭୦ ଅଥବା ୭୦ରୁ ଅଧିକ ଏବଂ ୮୦ ପ୍ରତିଶତରୁ କମ୍), ବି-୨ (୬୦ ଅଥବା ୬୦ରୁ ଅଧିକ ଏବଂ ୭୦ ପ୍ରତିଶତରୁ କମ୍) ଗ୍ରେଡ୍‌ର ଛାତ୍ରଛାତ୍ରୀଙ୍କୁ ପ୍ରଥମ ଶ୍ରେଣୀରେ ପାସ୍ କରୁଥିବା ଛାତ୍ରଛାତ୍ରୀ ଭାବେ ପରିଗଣିତ କରାଯାଉଛି। ଏହି ୪ଟି ଗ୍ରେଡରେ ପାସ୍ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୨୧ ତୁଳନାରେ ଚଳିତ ବର୍ଷ ପାଖାପାଖି ଦୁଇ ଗୁଣ ବଢି ଯାଇଥିବା ବେଳେ ୨୦୨୦ ବର୍ଷ ତୁଳନାରେ ସାଢେ ପାଞ୍ଚଗୁଣ ବଢି ଯାଇଛି। ଅର୍ଥାତ ପ୍ରଥମ ଶ୍ରେଣୀରେ ପାସ୍ କରିବା ଯେଉଁଠି ଦୁଇ ବର୍ଷ ପୂର୍ବରୁ ଏକ ବିଶେଷ ସଫଳତା ବୋଲି ପରିଗଣିତ ହେଉଥିଲା, ଚଳିତ ବର୍ଷ ଆଉ ସେହି ଅନୁଭବ ନାହିଁ।

କିନ୍ତୁ ଏହା ସହିତ ଯେଉଁ ଅନ୍ୟ ସବୁଠୁ ବଡ଼ ସମସ୍ୟା ସୃଷ୍ଟି ହେବାକୁ ଯାଉଛି, ତାହା ହେଉଛି ଛାତ୍ରଛାତ୍ରୀଙ୍କ ନିଜ ପସନ୍ଦର କଲେଜରେ ନାମ ଲେଖାର ସୁଯୋଗ ମିଳିବା। ସ୍ଥିତି ଯାହା, ସେଥିରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବି କଟକ-ଭୁବନେଶ୍ବରର ପ୍ରତିଷ୍ଠିତ କଲେଜରେ ନାମ ଲେଖାଇବାର ସୁଯୋଗ ନାହିଁ। ୮ ହଜାର ୧୧୯ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଏଭଳି ସ୍ଥିତିରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୩ଲକ୍ଷ ୨୫ ହଜାର ୯୧୯ ପିଲା ଏଥର ପାଠ ପଢିବାକୁ ହେଲେ ନିଜ ଅଞ୍ଚଳ ଅର୍ଥାତ ଅନ୍ୟ କେଉଁ ଗାଁଗହଳିର କଲେଜକୁ ବାଛିବା ଛଡ଼ା ବିକଳ୍ପ ନାହିଁ।

publive-image

ତଥ୍ୟ ଅନୁଯାୟୀ ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ସ୍ବୀକୃତିପ୍ରାପ୍ତ ୨୦୨୮ଟି ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛନ୍ତି, ଯେଉଁ ମାନେ କି ସାମ୍‌ସ ଜରିଆରେ ନାମଲେଖା ପ୍ରକ୍ରିୟାରେ ଭାଗ ନେଉଛନ୍ତି। ଏହି ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନରେ ମୋଟ ସିଟ୍ ସଂଖ୍ୟା ଗତ ବର୍ଷ ରହିଥିଲା ୪ ଲକ୍ଷ ୪୨ ହଜାର ୭୮୨। କିନ୍ତୁ ନାମ ଲେଖାଇଥିଲେ ୩ ଲକ୍ଷ ୧୭ ହଜାର ଛାତ୍ରଛାତ୍ରୀ। ଅର୍ଥାତ ୧ ଲକ୍ଷ ୨୫ ହଜାର ସିଟ୍ ଫାଙ୍କା ପଡିଥିଲା। ସେ ଦୃଷ୍ଟିରୁ ଦେଖିଲେ ଛାତ୍ରଛାତ୍ରୀଙ୍କୁ ସିଟ୍ ମିଳିବା ସମସ୍ୟା ନାହିଁ। କିନ୍ତୁ ୬୦ ପ୍ରତିଶତ ନମ୍ବର ରଖି ସହରର ବଡ କଲେଜକୁ ଆସି ବିଜ୍ଞାନ ପଢିବାକୁ ଚାହୁଁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଉ ସେ ସ୍ବପ୍ନ ପୂରଣ ହେବାର ସୁଯୋଗ ନାହିଁ। ୭୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ସବୁ ପିଲାଙ୍କ ପାଇଁ ବି ଏ ସୁଯୋଗ ଚଳିତ ବର୍ଷ ନାହିଁ। ଏହି ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନରେ ଯୁକ୍ତ ଦୁଇ ବିଜ୍ଞାନର ମୋଟ ସିଟ୍ ସଂଖ୍ୟା ରହିଛି ୧ ଲକ୍ଷ ୩୯ ହଜାର ୯୬୮। ଅର୍ଥାତ ଚଳିତ ବର୍ଷ ପ୍ରଥମ ଶ୍ରେଣୀ ପାଇଥିବା ୩ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଆର୍ଟସ ଅଥବା କମର୍ସରେ ନାମ ଲେଖାଇବାକୁ ଏକରକମ ବାଧ୍ୟ। ଯେଉଁ ଛାତ୍ରଛାତ୍ରୀ ଅଧିକ ଟଙ୍କା ଖର୍ଚ୍ଚ କରି ଘରୋଇ କଲେଜ ମାନଙ୍କରେ ପଢିବେ, ସେମାନଙ୍କ ପାଇଁ ଅବଶ୍ୟ ବିକଳ୍ପ ସୁଯୋଗ ରହିଛି।

ଏଭଳି ସ୍ଥିତିରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବିଶେଷ ଖୁସି ହୋଇ ପାରୁ ନାହାନ୍ତି। ଏବେଠୁ ସେମାନଙ୍କୁ ନାମଲେଖା ଚିନ୍ତା ଘାରିଲାଣି। ଏଭଳି ସ୍ଥିତିର ମୁକାବିଲା ପାଇଁ ସରକାର ଆଉ କି ପଦକ୍ଷେପ ନେଇ ପାରିବେ, ତାହା ଏବେ ଏକ ବିରାଟ ପ୍ରଶ୍ନ ଭାବେ ଉଭା ହୋଇଛି। ମୋଟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୭ ପ୍ରତିଶତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ହୁଏତ ସଫଳତା ଦୃଷ୍ଟିରୁ ଆତ୍ମସନ୍ତୋଷର ବିଷୟ। କିନ୍ତୁ ସେହି ସଫଳ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗର ଅଭାବ ସ୍ଥିତି ଆଗକୁ ବଡ଼ ସମସ୍ୟାକୁ ଡାକି ଆଣୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe