ଓଡ଼ିଶା ପିଆଜ କୁଆଡ଼େ ଗଲା?

Advertisment
ଓଡ଼ିଶା ପିଆଜ କୁଆଡ଼େ ଗଲା?

ଭୁବନେଶ୍ୱର: ରାଜ୍ୟରେ ପିଆଜର ବାର୍ଷିକ ଚାହିଦା ପାଖାପାଖି ୪ ଲକ୍ଷ ମେଟ୍ରିକ୍‌ ଟନ୍‌। କୃଷି ବିଭାଗ ତଥ୍ୟ କହୁଛି, ରାଜ୍ୟରେ ଚାହିଦାଠାରୁ ଅଧିକ ଉତ୍ପାଦନ ହେଉଛି ପିଆଜ। ଗତବର୍ଷ ରାଜ୍ୟରେ ୩୫ ହଜାର ୧୫୪ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିଲା। ଉତ୍ପାଦନ ହୋଇଥିଲା ୪.୧୯ ଲକ୍ଷ ମେଟ୍ରିକ୍‌ ଟନ୍‌। ଯଦି ସ୍ଥିତି ଏୟା, ତେବେ ରାଜ୍ୟରେ ପିଆଜ ସ୍ଥିତି ଅଣାୟତ କାହିଁକି? କୁୁଆଡ଼େ ଗଲା ଓ଼ଡ଼ିଶା ଚାଷୀ ଉତ୍ପାଦନ କରିଥିବା ପିଆଜ? କାହିଁକି ପାଞ୍ଚ ମାସ ଧରି ପିଆଜ ଦର ଖସୁନାହିଁ? କେଜି ପ୍ରତି ୫୦ ଟଙ୍କା ଲେଖାଏଁ କିଣିବାକୁ ପଡୁଛି? ଏମିିତି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କୁ ବିଚଳିତ କରିଦେଲାଣି। ପିଆଜ ପ୍ରସଙ୍ଗରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଘୋଷଣା ପଛର ବାସ୍ତବତା ସଂପର୍କରେ କେହି ଟେର୍‌ ସୁଦ୍ଧା ପାଉନାହାନ୍ତି। ୨୦୧୫ରେ ପିଆଜ ମିସନ ସଂପର୍କରେ ରାଜ୍ୟବାସୀଙ୍କୁ ଶ୍ରୀ ମହାରଥୀ ସ୍ୱପ୍ନ ଦେଖାଇଥିବା ପିଆଜ ମିସନ କୁଆଡେ ଗଲା?

ଘନାଇଲାଣି ସଙ୍କଟ, ଦର ଖସୁନି
ଭୁଆଁ ବୁଲାଉଛନ୍ତି ମହାରଥୀ ଓ ସୂର୍ଯ୍ୟ
ଆଳୁ ମିସନ ଫେଲ୍‌, ପିଆଜ ମିସନ ଘୋଷଣାରେ

ଖୋଦ୍‌ କୃଷି ମନ୍ତ୍ରୀ ଅଥବା କୃଷି ବିଭାଗ ଏ ସଂପର୍କରେ କେହି ସ୍ପଷ୍ଟୀକରଣ ଦେବାକୁ ପ୍ରସ୍ତୁତ ନୁହେଁ। ପିଆଜ ଦର ଖସୁନଥିବା ପ୍ରସଙ୍ଗରେ ବି ସରକାର ବେଫିକର। ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମନକୁ ଯେତେବେଳେ ଯାହା ଆସୁଛି, ତାହା କହୁଛନ୍ତି। କେତେବେଳେ କହୁଛନ୍ତି, ସରକାର ପଦକ୍ଷେପ ନେଉଛନ୍ତି। ଖୁବ୍‌ ଶୀଘ୍ର ସ୍ଥିତି ନିୟନ୍ତ୍ରଣ ହେବ। ଆଉ କେତେବେଳେ ସେ କହୁଛନ୍ତି, ଆନ୍ଧ୍ର ପ୍ରଦେଶରୁ ପିଆଜ ଆମଦାନି ହେବ। ନିକଟରେ ପୁଣି କହିଛନ୍ତି, ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ପିଆଜ ଦର ବୃଦ୍ଧି ଘଟିଛି। ହେଲେ ସତଟା କିନ୍ତୁ ଭିନ୍ନ। ଓ଼ଡ଼ିଶାରେ ଉତ୍ପାଦିତ ପିଆଜକୁ ସଂରକ୍ଷଣ କରି ରଖିବାରେ ସରକାର ବିଫଳ ହୋଇଛନ୍ତି। ଏ ନେଇ ସରକାରୀ ପ୍ରୟାସ ପ୍ରଭାବୀ ହୋଇପାରୁନାହିଁ। ପରିଣାମ ହେଲା, ଓ଼ଡ଼ିଶାର ପିଆଜ ଶାଗ ମାଛ ଦରରେ ବିକ୍ରି ହେଉଛି ଓ ଚାଷୀ କ୍ଷତି ସହୁଛି। ଓଡ଼ିଶାର ପିଆଜକୁ ନେଇ ବାହାରର ବ୍ୟବସାୟୀ ବେଶ୍‌ ମୁନାଫା ଗୋଟାଉଛନ୍ତି। ବିଶେଷକରି ଛତିଶଗଡ଼ର ବ୍ୟବସାୟୀ ପିଆଜ କିଣି ନେବାର ନଜିର କିଛି କମ୍‌ ନାହିଁ।କେବିକେ ଜିଲ୍ଲାର ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ାରେ ଅଧିକ ପରିମାଣର ପିଆଜ ଉତ୍ପାଦନ ହୋଇଥାଏ। ଅଧିକ ପରିମାଣର ପିଆଜ ଚାଷ କରି ସୁଦ୍ଧା ସେଠାକାର ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ଏପଟେ ମହାରାଷ୍ଟ୍ରର ନାସିକ୍‌ର ଲସଲ୍‌ଗାଓଁ, କର୍ଣ୍ଣାଟକର ବେଙ୍ଗାଲୁରୁ ଆଖପାଖ, ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ, ପଡ଼େପଲ୍ଲୀଗୁଡୁମ୍‌ରୁ ପିଆଜ ଗୋଟାଉଛି ଆମ ରାଜ୍ୟ। ସ୍ୱାଭାବିକ ଭାବେ ସେ ସବୁ ସ୍ଥାନରେ ପିଆଜ ଦର ବଢ଼ିଲେ, ଓଡ଼ିଶାରେ ଦର ବଢ଼ୁଛି। ଖାସ୍‌ ଏହି କାରଣରୁ ବର୍ତମାନ ରାଜ୍ୟରେ ପିଆଜ ବଜାରରେ ନିଆଁ ଲାଗିଛି। ଗତ ଅଗଷ୍ଟ ମାସଠାରୁ ପିଆଜ ଦର ଖୋଲା ବଜାରରେ ୫୦ ଟଙ୍କାରୁ ତଳକୁ ଖସୁନାହିଁ। ଗତବର୍ଷ ଏହି ସମୟରେ ପିଆଜ ମୂଲ୍ୟ ଥିଲା ୧୬ ଟଙ୍କା, ଗତ ମାସରେ ଥିଲା ୪୫ ଟଙ୍କା। ମହଙ୍ଗା ମାଡ଼ରେ ଲୋକେ ନୟାନ୍ତ।

ଏଠାରେ ଉଲ୍ଲେଖଥାଉକି, ୨୦୧୫ରେ କୃଷି ମନ୍ତ୍ରୀ ଥିଲେ ପ୍ରଦୀପ ମହାରଥୀ। ସେତେବେଳେ ପିଆଜ ଯୋଗାଣ ସଙ୍କଟ ଉତ୍କଟ ହୋଇପଡ଼ିଥିଲା। ଆଳୁ ଭଳି ପିଆଜ ସଙ୍କଟକୁ ଉପଲବ୍ଧ କରି ମନ୍ତ୍ରୀ ଶ୍ରୀ ମହାରଥୀ ପିଆଜ ମିସନ କରାଯିବ ବୋଲି ଘୋଷଣା କରିଥିଲେ। ଆଳୁ ମିସନ ଫେଲ୍‌ ମାରିଛି। ସରକାରଙ୍କ ଅପାରଗତା କାରଣରୁ ଏହି ମିସନର ଫଳାଫଳ ଶୂନ। କେବଳ ବର୍ଷକ ପାଇଁ ଆଳୁର ବଫର ଷ୍ଟକ୍‌ କରି ସରକାର ଏମିତି କ୍ଷତି ସହିଛନ୍ତି ଯେ ଆଉ ସାହସ ଜୁଟାଉନାହାନ୍ତି। ଏବେ ଅନ୍ତତଃ ପିଆଜ ମିସନ କରିବାର ବେଳ ଆସିଛି। ମନ୍ତ୍ରୀ ତାଙ୍କ ଘୋଷଣା କାର୍ଯ୍ୟକାରୀ କରିବାରେ ପଛଘୁଞ୍ଚା କାହିଁକି ଦେଉଛନ୍ତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe