ବରଗଡ଼ କ୍ୟାନସର୍‌ ହସ୍ପିଟାଲର ଗତି କୁଆଡ଼େ?

Advertisment
ବରଗଡ଼ କ୍ୟାନସର୍‌ ହସ୍ପିଟାଲର ଗତି କୁଆଡ଼େ?

YouTube

ବରଗଡ଼ : କ୍ୟାନସର ପ୍ରବଣ ବରଗଡ଼ ଜିଲ୍ଲା ଅତ୍ୟାଧୁନିକ ହସ୍ପିଟାଲ ପାଇଁ ଦୀର୍ଘ ଦିନ ହେଲା ଦାବି କରୁଛି। ଆଗରୁ ଏହି ଦାବି ଏକ ଜନଆନ୍ଦୋଳନର ରୂପ ନେଇ ସାରିଥିଲା। ସ୍ଥାନୀୟ ଜନ ପ୍ରତିନିଧି ମଧୢ ଏହାକୁ ଖୋଲା ହୃଦୟରେ ସମର୍ଥନ ଜଣାଇଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ନିଷ୍ପତ୍ତି ହୋଇଥିଲା। ପରେ ମୁଖ୍ୟମନ୍ତ୍ରୀ ବରଗଡ଼ ଆସି କ୍ୟାନସର୍‌ ହସ୍ପିଟାଲ ପ୍ରତିଷ୍ଠା ନିଶ୍ଚିତ ବୋଲି ଘୋଷଣା କରିଥିଲେ। ଚଳିତ ବର୍ଷ ଫେବ୍ରୁଆରି ୬ ତାରିଖ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଂଗୀଙ୍କ ନେତୃତ୍ବରେ ଡା. ଏଲ୍‌ ଷଡ଼ଂଗୀ ଏବଂ ଡା. ଦିନେଶ ପେନ୍ଧାରକର୍‌ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ଟିମ୍‌ କ୍ୟାନ୍‌ସର୍‌ ହସ୍ପିଟାଲ ପାଇଁ ଭିତ୍ତିଭୂମି ସମୀକ୍ଷା କରିଥିଲା। ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନସର୍‌ ହସ୍ପିଟାଲ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ପ୍ରଥମ ପର୍ଯ୍ୟାୟରେ ୫୦ଟି ରୋଗୀଙ୍କ ଶଯ୍ୟା ଉପଲବ୍ଧ ରହିବ। ଏଠାରେ ରେଡିଓଥେରାପି ଏବଂ କେମୋଥେରାପି କାର୍ଯ୍ୟ କରିବ। ଏଥିପାଇଁ ଡାକ୍ତରଖାନା ପରିସରରେ ହିଁ ରେଡିଓଥୋପି ପାଇଁ ବଙ୍କର୍‌ ନିର୍ମାଣ ହେବ। ପ୍ରାଥମିକ ସ୍ତରରେ ୨ଜଣ ଲେଖାଏଁ ଅଙ୍କୋଲୋଜିଷ୍ଟ ଓ ବିଶେଷଜ୍ଞଙ୍କ ସମେତ ଅନ୍ୟ କର୍ମଚାରୀ ନିୟୋଜିତ ହେବେ। ରୋଗୀ ସଂଖ୍ୟା ବଢ଼ିଲେ ଡାକ୍ତର ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ଟାଟା ଟ୍ରଷ୍ଟ କେବଳ ବୈଷୟିକ ସହାୟତା ଯୋଗାଇବ। ଏହି ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ତତ୍ବାବଧାନରେ ହିଁ ଚାଲିବ। ଏଥିପାଇଁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଶୀଘ୍ର ଡିପିଆର୍‌ ସରକାରଙ୍କୁ ଦିଆଯିବ ବୋଲି ଟିମ୍‌ ସେତେବେଳେ ସୂଚନା ଦେଇଥିଲା।

କିନ୍ତୁ ଏସବୁ ପ୍ରକ୍ରିୟା ଆରମ୍ଭ ପୂର୍ବରୁ କରୋନା କାୟା ବିସ୍ତାର କଲା। ସବୁ ସରକାରୀ ପ୍ରକ୍ରିୟା ଲକ୍‌ଡାଉନ୍‌ ଯୋଗୁଁ ଲଟକି ଯାଇଥିବା ସୂଚନା ମିଳିଛି। ଏଣେ ସ୍ଥାନୀୟ କର୍କଟ ରୋଗୀମାନେ ଠିକଣା ଉପଚାର ପାଇବାରୁ ବଂଚିତ ରହିଛନ୍ତି। ଏବେ ପୁନର୍ବାର କ୍ୟାନସର ହସ୍ପିଟାଲ ଦାବି ଜୋର୍‌ ଧରିଲାଣି। ଉଭୟ ବିଜେପି ଏବଂ କଂଗ୍ରେସ ଏହି ଦାବି ଉଠାଇଛନ୍ତି। ଜିଲ୍ଲାରେ କ୍ରମାଗତ କ୍ୟାନସର ରୋଗୀ ବଢ଼ୁଥିଲେ ହେଁ ଉପଚାର ପାଇଁ କିଛି ବ୍ୟବସ୍ଥା ନାହିଁ। କର୍କଟ ରୋଗୀ ସ˚ଖ୍ୟା କେତେ ରହିଛି, ସେନେଇ ସରକାରୀ ଖାତାରେ କୌଣସି ପରିସ˚ଖ୍ୟାନ ନାହିଁ। ବିଭିନ୍ନ ଜିଲ୍ଲାରେ କ୍ୟାନସର ରୋଗୀଙ୍କୁ ମାଗଣା କେମୋଥେରାପି ଦେବା ପାଇଁ ବ୍ୟବସ୍ଥା ରହିଛି। କେବଳ ଥେରାପି ନେଉଥିବା ବ୍ୟକ୍ତିଙ୍କ ନାମ ଦରଜ ରହୁଛି। ତେବେ ହଜାର ହଜାର କ୍ୟାନସର ରୋଗୀ ଏଯାଏଁ ଚିହ୍ନଟ ହୋଇନାହାନ୍ତି। ଆଉ ହାତପାହାନ୍ତାରେ ଚିକିତ୍ସା ସୁବିଧା ନ ଥିବା ଯୋଗୁଁ ମୃତ୍ୟୁ ସହ ସ˚ଗ୍ରାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe