ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି ଏବେ କେଉଁଠି? ଦୁଇ ପର୍ଯ୍ୟାୟରେ ସରକାର ଦେଇଛନ୍ତି ୧.୮୬ କୋଟି ଟଙ୍କା

ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି ଏବେ କେଉଁଠି? ଦୁଇ ପର୍ଯ୍ୟାୟରେ ସରକାର ଦେଇଛନ୍ତି ୧.୮୬ କୋଟି ଟଙ୍କା

Kalinga TV

ଯାଜପୁରସଦର : ଯାଜପୁର ସହରରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ଅନେକ ଯୋଜନା ହାତକୁ ନିଆଯାଇଛି। ଶହଶହ କୋଟିର ଅନୁଦାନ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି। ହେଲେ ଅନୁଦାନର ସଠିକ୍‌ ବିନିଯୋଗ ହୋଇପାରୁନାହିଁ। ଅନେକ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଲୋକାର୍ପଣ ହୋଇନଥିବା ବେଳେ ଆଉ କିଛି ପ୍ରକଳ୍ପର ଚିହ୍ନବର୍ଣ୍ଣ ମିଳୁନି। ଯେମିତିକି ଯାଜପୁର ସହରସାରା ଖୋଜିଲେ ଯାଯାତୀ କେଶରୀଙ୍କ ପ୍ରତିମୂର୍ତ୍ତି ମିଳୁନି। ଏହି ପ୍ରତିମୂର୍ତ୍ତି ବାବଦକୁ ଦୁଇ ପର୍ଯ୍ୟାୟରେ ସରକାର ଦେଇଛନ୍ତି ୧ କୋଟି ୮୬ ଲକ୍ଷ ୮୨ ହଜାର ଟଙ୍କା। ହେଲେ ମୂର୍ତ୍ତି ୪ ବର୍ଷ ହେଲା କେଉଁଠି ଏବଂ କିଭଳି ଅବସ୍ଥାରେ ଅଛି , ତାହାର କୌଣସି ଖୋଜଖବର ନାହିଁ।

ରାଜା ଯଯାତି କେଶରୀଙ୍କ ସମୟରେ ଉତ୍କଳର ରାଜଧାନୀ ଥିଲା ଯାଜପୁର। ଏହି ଅଞ୍ଚଳ ଥିଲା ସର୍ବଧର୍ମ ସମନ୍ବୟର ପୀଠ। ତେଣୁ ଯଯାତି କେଶରୀଙ୍କ ସ୍ମୃତିରକ୍ଷା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯାଜପୁର ସହରରେ ରାଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଯୋଜନା କରାଯାଇଥିଲା। ଯାଜପୁର ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସଂପର୍କିତ ଅନୁଦାନ ନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଯାଜପୁର ପର୍ଯ୍ୟଟନ ବିଭାଗକୁ ‌ରାଜ୍ୟ ସରକାର ଯାଯାତି କେଶରୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ୨୦୧୮ -୧୯ ଆର୍ଥିକ ବର୍ଷରେ ୧ କୋଟି ଟଙ୍କା ଅନୁଦାନ ଯୋଗାଇଥିଲେ। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ୨୦୨୧-୨୨ରେ ପୁନର୍ବାର ୮୬ ଲକ୍ଷ ୮୨ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ଇତିମଧ୍ୟରେ ୪ ବର୍ଷ ବିତିଥିଲେ ମଧ୍ୟ ଯାଜପୁର ସହରର କୌଣସି ସ୍ଥାନରେ ଏଭଳି ମୂର୍ତ୍ତି ସ୍ଥାପନ ହୋଇପାରିନି। ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି ଏବେ କେଉଁଠି ଏବଂ କେଉଁ ଅବସ୍ଥାରେ ଅଛି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ।

ଏନେଇ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହିମାଳୟା ତ୍ରିପାଠୀଙ୍କୁ ପଚାରିବାରୁ ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି ପାଇଁ ଦୁଇଟି ପର୍ଯ୍ୟାୟରେ ଅନୁଦାନ ଆସିଛି। ତେବେ ମୂର୍ତ୍ତିର ନିର୍ମାଣ ଏବଂ ସ୍ଥାପନ ଦାୟିତ୍ବ ଜିଲ୍ଲା ପ୍ରଶାସନର ବୋଲି କହିଛନ୍ତି। ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଦାୟିତ୍ବ କାହାକୁ ଦିଆଯାଇଛି ? ସଂପୃକ୍ତ ବ୍ୟକ୍ତି ବା ସଂସ୍ଥାକୁ କେତେ ଟଙ୍କା ଯୋଗାଇ ଦିଆଯାଇଛି ? ଅନୁଦାନ ୪ ବର୍ଷ ହେଲା ଖର୍ଚ୍ଚ ନହୋଇ ପଡ଼ି ରହିଛି କି ? ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନି। ଏ ସଂପର୍କରେ ଯାଜପୁର ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଯୋଗାଯୋଗ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe