କେଉଁଠି ହତ୍ୟା ତ ଆଉ କେଉଁଠି ଆତ୍ମହତ୍ୟା: ବିଗୁଡ଼ୁଛି ପାରିବାରିକ ସମ୍ପର୍କ, ବଢୁଛି ହିଂସା

Advertisment

ସକ୍ରିୟ ହେଲେଣି ଅପରାଧୀ, ଆଗକୁ ଆହୁରି ଚିନ୍ତାଜନକ

ସକ୍ରିୟ ହେଲେଣି ଅପରାଧୀ, ଆଗକୁ ଆହୁରି ଚିନ୍ତାଜନକ

ମହାମାରୀ ସମୟରେ ମହିଳା ହିଂସା ବଢ଼ିଛି

Hurriyet Daily News

ଭୁବନେଶ୍ବର: ଦୀର୍ଘ ୭୦ ଦିନ ଧରି ଜାରି ରହିଥିବା ଲକ୍‌ଡାଉନ୍‌ର ବଢ଼ି ଚାଲିଛି ଘରୋଇ ହିଂସା। ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ, ଗରିବ ପରିବାରରେ ବୋଝ ବଢ଼ିବାରେ ଲାଗିଛି। ଯାହାକୁ ନେଇ ପାରିବାରିକ ସମ୍ପର୍କ ବିଗିଡ଼ି ଗଲାଣି। ପରିବାରରେ ବଢୁଛି ମାନସିକ ଅବସାଦ। ସମ୍ପର୍କରେ ଲାଗିଛି ରକ୍ତର ଛିଟା। କେଉଁଠି ବାପା ପୁଅକୁ ହତ୍ୟା କରୁଛି ତ ଆଉ କେଉଁଠି ସ୍ବାମୀ ସ୍ତ୍ରୀକୁ ମାରିବାକୁ ପଛାଉ ନାହିଁ। କିଛି ପରିବାରରେ ଲୋକେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଗତ କିଛିଦିନର ପରିସଂଖ୍ୟାନରୁ ଏହା ପ୍ରମାଣିତ ହେବାରେ ଲାଗିଛି। ପାରିବାରିକ କଳହରୁ ଦୁଇ ଦୁଇଟି ସ୍ଥାନରେ ବାପା ପୁଅକୁ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିବାବେଳେ ରାଜଧାନୀରେ ଜଣେ ନବବିବାହିତ ଯୁବକ ତାଙ୍କ ପତ୍ନୀଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହାବ୍ୟତୀତ ଏକାଧିକ ଆତ୍ମହତ୍ୟା, ସ୍ବାମୀ ସ୍ତ୍ରୀକୁ ଆକ୍ରମଣ, ମାରପିଟ୍, ହିଂସା ଘଟଣା ଚିନ୍ତାର ବିଷୟ ପାଲଟିଛି। ଏହା ପଛରେ ମାନସିକ ଦୁଶ୍ଚିନ୍ତା, ଚାପ, ଅନିଶ୍ଚିତତା ଓ ବେକାରୀ ପ୍ରମୁଖ କାରଣ ବୋଲି କୁହାଯାଉଛି।

ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ କୁମୁଲି ଗ୍ରାମର ଅମଲ ବାସୁ ତା ମଝିଆ ପୁଅ ଅସିତକୁ ଶାବଳରେ ପିଟି ପିଟି ହତ୍ୟା କରିଥିଲେ। ବେରୋଜଗାରି ଯୋଗୁଁ ନିଶାସକ୍ତ ହୋଇ ଘରେ ଅଶାନ୍ତି ସୃଷ୍ଟି କରୁଥିବା ପୁଅକୁ ହତ୍ୟା କରିଥିବା ନେଇ ବାପା ସ୍ବୀକାର କରିଛି। ଠିକ୍ ଏହାର ୫ ଦିନ ତ‌େଳ‌ ଆଉ ଏକ ଲୋମଟାଙ୍କୁରା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଗୋବରାଗ୍ରାମ ନୂଆ ଶିଆଳ ସାହିରେ ପୁଅ ପୁନିଆକୁ ବାପା ନରେନ୍ଦ୍ର ଦେହୁରି ପିଟିପିଟି ହତ୍ୟା କରିବା ପରେ ଘର ପଛ ପଟେ ପୋତି ଦେବା ଘଟଣା ସାମ୍ନାକୁ ଆସିଥିଲା। ଏହା ପଛରେ ମଧ୍ୟ ପାରିବାରିକ କଳହ ରହିଥିବା ବାପା ପୁଲିସ ଆଗରେ କହିଥିଲା। ଗତ ୨୯ ତାରିଖରେ ରାଜଧାନୀରେ ଘଟିଥିଲା ଜଘନ୍ୟ କାଣ୍ଡ। ପୁରୁଣା ଭୁବନେଶ୍ବର କପିଳେଶ୍ବର କୁମ୍ଭାର ସାହି କେନାଲ ନିକଟରେ ରହୁଥିବା ରାକେଶ ରାଉତ ସ୍ତ୍ରୀ ମୀନାକ୍ଷୀକୁ ଗଳା ଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ଗତ ମେ ୧୪ ତାରିଖରେ ବଡ଼ଗଡ଼ ଥାନା ଅନ୍ତର୍ଗତ ଗୌତମନଗର ଅଞ୍ଚଳରେ ଜଣେ ହୋଟେଲ ରୋଷେୟା ବାବୁଲା ବହିରାଙ୍କ ପତ୍ନୀ ମିନିଲତା ଆତ୍ମହତ୍ୟା କରିଥିଲେ। ବାବୁଲାଙ୍କର ପ୍ରାୟ ଦୁଇ ମାସ ହେଲା ରୋଜଗାର ନ ଥିବାରୁ ଆର୍ଥିକ ସମସ୍ୟାରେ ଉବୁଟୁବୁ ହୋଇ ଶେଷରେ ମିନିଲତା ଆତ୍ମହତ୍ୟା କରିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ସୋମବାର ରାତିରେ ଝାରସୁଗୁଡ଼ାରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି। ୨ ବର୍ଷ ହେଲା କୋମାରେ ଥିବା ସାନପୁଅର ମୃତ୍ୟୁ ହୋଇଯିବା ପରେ ମାନିସିକ ଭାରସାମ୍ୟ ହରାଇ ପରିବାରର ୪ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ତେବେ ଇଏ କିଛି ଉଦାହରଣ ମାତ୍ର, କିନ୍ତୁ ଲକଡାଉନରେ ପାରିବାରିକ ହିଂସା ବଢି ଚାଲିଥିବା ଏକପ୍ରକାର ସ୍ପଷ୍ଟ ହେବାରେ ଲାଗିଛି। କେବଳ ସମ୍ପର୍କ ଭିତରେ ହତ୍ୟା କି ଆତ୍ମହତ୍ୟା ନୁହେଁ ଅପରାଧୀ ସକ୍ରିୟ ହେବାରେ ଲାଗିଲେଣି। ଚୋରି, ଲୁଟ୍, ରାହାଜାନି ସଂଖ୍ୟା ବଢିବାରେ ଲାଗିଛି। କେବଳ ରାଜଧାନୀ ଭୁବନେଶ୍ବରରେ ଦୁଇ ମାସ ଭିତରେ ଶହେରୁ ଅଧିକ ଘଟଣା ଏହାର ଜ୍ବଳନ୍ତ ଉଦାହରଣ। ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକଙ୍କ ମତରେ, ଦିନକୁ ଦିନ ବେରୋଜଗାର ବଢି ଚାଲିଛି। ଲକ୍ଷାଧିକ ପ୍ରବାସୀ ରାଜ୍ୟକୁ ଫେରିଲେଣି। ଆୟର ସୂତ୍ର ବନ୍ଦ ହୋଇ ଗଲାଣି। ରାଜ୍ୟକୁ ଫେରିଥିବା ଲକ୍ଷାଧିକ ପ୍ରବାସୀଙ୍କ ପାଇଁ ଯଦି ରୋଜଗାର ବାଟ ନ ଫିଟେ ତାହାଲେ ଅପରାଧର ହାର ଆଗକୁ ଆହୁରି ତୀବ୍ର ଗତିରେ ବଢ଼ିବ। ଯାହାକି ଆଗକୁ ଆହୁରି ଚିନ୍ତାଜନକ ରହିବ। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସହ ଅନ୍ୟ ରୋଜଗାର ବ୍ୟବସ୍ଥା କଲେ ଅପରାଧ ନିୟନ୍ତ୍ରଣରେ ରହିବ। ଅନ୍ୟପକ୍ଷରେ ମନସ୍ତତ୍ତ୍ବବିତ ପ୍ରତାପ ରଥ କହିଛନ୍ତି, ପାଖାପାଖି ୭୦ ଦିନର ଲକଡାଉନରେ ଲୋକ ଘରେ ବସି ରହିଥିବାରୁ ମାନସିକ ଦୁଶ୍ଚିନ୍ତା ବଢ଼ିଛି। ଲୋକଙ୍କର ମାନସିକ ଚାପ ବଢୁଛି। ଯେଉଁମାନେ ରୋଜଗାର ହରାଇଛନ୍ତି କିମ୍ବା ଆୟର ସୂତ୍ର ବନ୍ଦ ହୋଇଯାଇଛି ସେଠାରେ ହତ୍ୟା ଓ ଆତ୍ମହତ୍ୟା ଭଳି ଘଟଣା ଘଟୁଛି। କିଛି ସ୍ଥାନରେ ପାରିବାରିକ ହିଂସା ଉଗ୍ରରୂପ ନେଉଛି। ଏଭଳି ସ୍ଥିତିରେ ସରକାର ମନସ୍ତତ୍ତ୍ବବିତଙ୍କ ସହାୟତା ନେବା ଜରୁରି ହୋଇ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe