୮ ପୀଡ଼ିତାଙ୍କୁ ନ୍ୟାୟ କେବେ?

Advertisment

୨୫ରେ ଜିଲ୍ଲାସ୍ତରରେ ବିକ୍ଷୋଭ କରିବ ସିଭିଲ୍‌ ସୋସାଇଟି

୨୫ରେ ଜିଲ୍ଲାସ୍ତରରେ ବିକ୍ଷୋଭ କରିବ ସିଭିଲ୍‌ ସୋସାଇଟି

୮ ପୀଡ଼ିତାଙ୍କୁ ନ୍ୟାୟ କେବେ?

ଭୁବନେଶ୍ୱର: କେବଳ କୁନ୍ଦୁଲି ପୀଡ଼ିତା ନୁହନ୍ତି। ରାଜ୍ୟରେ ଏଭଳି ଅନେକ ପୀଡ଼ିତା ରହିଛନ୍ତି, ଯେଉଁମାନେ ନ୍ୟାୟ ପାଇବା ଲାଗି ବାରଦୁଆର ବୁଲୁଛନ୍ତି। ଥାନାରେ ଏତଲା ଦେଉଛନ୍ତି, ଜିଲ୍ଲାପାଳ, ଏସ୍‌ପିଙ୍କ ନିକଟରେ ବି ଅଭିଯୋଗ କରୁଛନ୍ତି। ହେଲେ କେହି ଶୁଣୁନାହାନ୍ତି। ଗତ ମାସ ୨୯ ତାରିଖରେ ସିଭିଲ୍‌ ସୋସାଇଟି ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ଏକ ଜନଶୁଣାଣିରେ ଭାଗ ନେଇଥିବା ୮ ଜଣ ପୀଡ଼ିତାଙ୍କ ମଧ୍ୟରୁ ୪ ଜଣ ମରି ସାରିଲେଣି। ମାତ୍ର ସେମାନଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳି ନ ଥିବା ବେଳେ ଆଉ ୪ ଜଣ ଏବେ ନ୍ୟାୟ ପାଇବା ଅପେକ୍ଷାରେ ରହିଛନ୍ତି। ସେମାନଙ୍କୁ କେବେ ନ୍ୟାୟ ମିଳିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାର ଜଣେ ୨୪ ବର୍ଷୀୟା ଯୁବତୀ ନ୍ୟାୟ ପାଇବାକୁ ଲଢ଼େଇ କରୁଛନ୍ତି। ୨୦୧୫ରେ ଜିଲ୍ଲାର ଜଣେ ବରିଷ୍ଠ ସରକାରୀ ବାବୁ ତାଙ୍କୁ ଚାକିରି କରାଇ ଦେଇଥିଲେ। ସେଠାରେ ନିର୍ଯାତନାର ଶିକାର ହେଉଥିବା ନେଇ ସମ୍ପୃକ୍ତ ଯୁବତୀ ପ୍ରଥମେ ଅଭିଯୋଗ କରିଥିଲେ। ପରବର୍ତୀ ସମୟରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ କର୍ମଚାରୀ ତାଙ୍କୁ ନିର୍ଯାତନା ଦେଇଥିଲେ। ଏନେଇ ସେ ଥାନାରେ ଏତଲା ଦେଇଥିଲେ ମଧ୍ୟ କେହି ବି ଶୁଣି ନ ଥିଲେ। ବାରମ୍ବାର ଅଭିଯୋଗ ପରେ ବି ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ୨୦୧୬ରେ ପୁରୀ ଜିଲ୍ଲା କଣାସ ତହସିଲ କାର୍ଯ୍ୟାଳୟର ଜଣେ ଦଳିତ ଯୁବତୀଙ୍କୁ ନିର୍ଯାତନା ଦିଆଯାଇଥିଲା। ସେଠାରେ ଜଣେ ବରିଷ୍ଠ କ୍ଲର୍କ ତାଙ୍କୁ ଖରାପ ଭାଷାରେ ଗାଳିଗୁଳଜ କରିଥିଲେ। ନିର୍ଯାତନାର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଥିଲା। ଏନେଇ ସେ ତହସିଲ୍‌ଦାରଙ୍କ ନିକଟରେ ଅଭିଯୋଗ କରିବାକୁ ଯୋଗାଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ପୁରୀ ଜିଲ୍ଲାପଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବରଂ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା।

ସେହି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଜଣେ ୧୦ ବର୍ଷର ଝିଅଙ୍କୁ ନଦୀ କୂଳରେ ଏକୁଟିଆ ପାଇ ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିଲା। କାହାକୁ କହିଲେ ମାରିଦେବାକୁ ଧମକ ବି ଦେଇଥିଲା। ଏନେଇ ୨୦୧୭ ଜୁନ୍‌ ମାସରେ ଡେଲାଙ୍ଗ ଥାନାରେ ଏତଲା ଦିଆଯାଇଥିଲା। ରାଜ୍ୟ ମହିଳା କିମସନ, ଓଏସ୍‌ସିପିସିଆରରେ ଅଭିଯୋଗ କରିବା ପରେ ତଦନ୍ତ ନିର୍ଦଶ ଦିଆଯାଇଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳର ଅନୁସୂଚିତ ଜାତି ବର୍ଗର ୨୦ ବର୍ଷର ଜଣେ ଯୁବତୀ ୨୦୧୭ ନଭେମ୍ବର ୧୧ରେ ଶୌଚ ଲାଗି ଯାଇଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ସେ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ଗ୍ରହଣ କରି ନ ଥିଲା। ପରବର୍ତୀ ସମୟରେ ଏତଲା ଗ୍ରହଣ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଗଲା ନାହିଁ। ବରଂ ଅଭିଯୁକ୍ତଙ୍କୁ ଖସାଇବାରେ ପୁଲିସ ସଫଳ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ ନିର୍ଯାତନାର ଶିକାର ହୋଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଛି। ବିଦ୍ୟାଳୟର ଏକ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ରାତିରେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା। ପରବର୍ତୀ ସମୟରେ ଉକ୍ତ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଦୁଷ୍କର୍ମର ଶିକାର ହୋଇ ମୃତ୍ୟୁବରଣ କରିଥିବା ଯାଜପୁର ଜିଲ୍ଲାର ଯୁବତୀଙ୍କୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିପାରି ନାହିଁ। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଉପଯୁକ୍ତ ତଦନ୍ତ କରି ନ ଥିଲା। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ଦଳିତ ବାଳିକାଙ୍କୁ ୨୦୧୫ରେ ହତ୍ୟା କରାଯାଇଥିଲା। ଗାଧେଇବା ଲାଗି ଯାଇଥିବା ବେଳେ ଆଉ ଫେରି ନ ଥିଲେ। ଗୋଟିଏ ଦିନ ପରେ ତାଙ୍କର ଶବ ଘଞ୍ଚ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଏ ପର୍ଯ୍ୟନ୍ତ ତଦନ୍ତ କରାଯାଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

୮ ଜଣ ପୀଡ଼ିତା ଓ ତାଙ୍କ ପରିବାରଙ୍କୁ ନ୍ୟାୟ ଦେବା ଲାଗି ଏସ୍‌ଆଇଟି ଗଠନ କରାଯାଇ ତଦନ୍ତ କରିବାକୁ ଦାବି କରିଛି ସିଭିଲ୍‌ ସୋସାଇଟି। ମୃତ କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଲାଗି ସିବିଆଇ ତଦନ୍ତ ହେଉ। ଏହାର ପ୍ରତିବାଦରେ ଆସନ୍ତା ୨୫ ତାରିଖରେ ସମସ୍ତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସିଭିଲ୍‌ ସୋସାଇଟିର ମୁଖ୍ୟ ପ୍ରଦୀପ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe