ଓଡ଼ିଶା ଚାଷୀଙ୍କ ରୋଜଗାର ୫ ହଜାର ଥିବାବେଳେ ପଞ୍ଜାବ ଚାଷୀଙ୍କ ଆୟ ଦେଢ଼ ଲକ୍ଷ: ଚାଷୀ ମାରଣ ନୀତି ନେଇ ବର୍ଷିଲେ ମନମୋହନ

Advertisment
ଓଡ଼ିଶା ଚାଷୀଙ୍କ ରୋଜଗାର ୫ ହଜାର  ଥିବାବେଳେ ପଞ୍ଜାବ ଚାଷୀଙ୍କ ଆୟ ଦେଢ଼ ଲକ୍ଷ: ଚାଷୀ ମାରଣ ନୀତି ନେଇ ବର୍ଷିଲେ ମନମୋହନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ନେଇ ବିଜେପି ସଭାପତି ମନମୋହନ ସାମଲ କଡ଼ା ସମାଲୋଚନା କରିଛନ୍ତି। ବିଜେଡ଼ି ସରକାର ସଙ୍କଟ ଦେଇ ଗତି କରୁଛି। ଦଳରେ ନେତୃତ୍ୱ ଅଭାବ ରହିଛି। ରାଜ୍ୟ ସରକାର ସବୁ ଦୃଷ୍ଟିରୁ ବିଫଳ ବୋଲି ମନମୋହନ କହିଛନ୍ତି ।

ଓଡ଼ିଶାର ଚାଷୀ ୫ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ରାଜ୍ୟର ମାତ୍ର ୧୭ ଭାଗ ଜମିରେ ଜଳସେଚନ ହୋଇଛି । ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଲେ ଧାନ କିଣାରେ ସ୍ୱଚ୍ଛତା ରହିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ହେବ । ଚାଷୀର ରୋଜଗାର ୩ ଗୁଣା ହେବ । ଡିବିଟି ମାଧ୍ୟମରେ ୪୮ ଘଣ୍ଟାରେ ଚାଷୀଙ୍କୁ ପଇସା ଦିଆଯିବ ବୋଲି ମନମୋହନ ସାମଲ କହିଛନ୍ତି ।

ରାଜ୍ୟ ସରକାରଙ୍କ ଆଳୁ ମିଶନ, ପିଆଜ ମିଶନ ଫେଲ ହୋଇଛି । କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ସହାୟତା ଦେବାକୁ କୁହାଯାଇଥିଲା। ହେଲେ ୪୪ ଲକ୍ଷ ଚାଷୀଙ୍କୁ ଏହି ସୁବିଧା ମିଳିଲା । ରାଜ୍ୟରେ ସବୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବନ୍ଦ ହୋଇଗଲା । ନକଲି ଚାଷୀମାନଙ୍କ ଦ୍ଵାରା କୋଟି କୋଟି ଟଙ୍କା ହେରଫେର ହେଉଛି। ଧାନ ଏବଂ ଅନ୍ୟ ଫସଲ ଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଉ ନାହାନ୍ତି। ଧାନ କିଣାରେ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି। ସିଏଜି ବାରମ୍ବାର ଧାନ କିଣାର ଅନିୟମିତତା ଧରିଛନ୍ତି । ସରକାର ଓଡ଼ିଶାରେ ସୂତା କଳ ଓ ଚିନି କଳ ବନ୍ଦ କରି ଦେଇଛନ୍ତି । ଚାଷୀମାନେ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି ।

୩ ଥର ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି ଜଳସେଚନ ନେଇ ବଡ ବଡ଼ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସେ କହିଛନ୍ତି । ୨୦୧୪ରେ ୧୦ ଲକ୍ଷ ହେକ୍ଟର ଜଳସେଚନ ହେବ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା । ସେହିପରି ୨୦୧୯ରେ ୩୫ ପ୍ରତିଶତ ଜମିରେ ଜଳ ସେଚନ ହେବ ବୋଲି କୁହାଯାଇଥିଲା । ମାତ୍ର ମହାନଦୀରେ ବ୍ୟାରେଜ ହୋଇପାରିଲା ନାହିଁ। ବିଧାନସଭାରେ ମନ୍ତ୍ରୀ କହିଥିଲେ, ବ୍ୟାରେଜ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ ।

୨୦୨୯ ସୁଦ୍ଧା ୧୦୦ ପ୍ରତିଶତ ଜମି ଜଳସେଚିତ ହେବ । ମହାନଦୀରେ ବ୍ୟାରେଜ ଏବଂ  ଚେକ୍ ଡ୍ୟାମ ତିଆରି ହେବ । ପ୍ରତି ବ୍ଲକରେ ଅତିକମରେ ଗୋଟିଏ ଶୀତଳ ଭଣ୍ଡାର ହେବ । କୃଷି ଭିତ୍ତିକ ଶିଳ୍ପ ପ୍ରତି ବ୍ଲକରେ ହେବ । ପିଏମ କିଷାନ ଯୋଜନାରେ ସବୁ ଚାଷୀଙ୍କୁ ସାମିଲ କରାଯିବ । ଫସଲ ବୀମା ୧୦୦ ପ୍ରତିଶତ ହେବ । ପ୍ରତି ବ୍ଲକରେ କୃଷି ସମୃଦ୍ଧି କେନ୍ଦ୍ର ଖୋଲାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe