ବାରଙ୍ଗ : ମାତ୍ର ସାଢ଼େ ୩ ବର୍ଷ ବୟସରେ ମା’ ହୋଇଛି ନନ୍ଦନକାନନର ଧଳା ବାଘୁଣୀ ରୁପା। ସେ ୩ଟି ଛୁଆ ଜନ୍ମ ଦେଇଛି। ଦୁଇଟି ଅଣ୍ଡିରା ଓ ଗୋଟିଏ ମାଈ ଛୁଆ ଜନ୍ମ ନେଇଛନ୍ତି। କମ୍ ବୟସ ଓ ପ୍ରଥମ ଥର ମା’ ହୋଇଥିବାରୁ ସେ ନବଜାତ ଶିଶୁମାନଙ୍କୁ ସ୍ତନ୍ୟପାନ କରାଉନାହିଁ। ଫଳରେ ଛୁଆମାନଙ୍କ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି। କିନ୍ତୁ ନନ୍ଦନକାନନ କର୍ମଚାରୀମାନେ ଛୁଆମାନଙ୍କୁ ମା’ଠାରୁ ଅଲଗା କରି ସ୍ବତନ୍ତ୍ର ବ୍ୟବସ୍ଥାରେ ଖାଦ୍ୟ ଖାଇବାକୁ ଦେଉଛନ୍ତି। ବୋତଲରେ ତରଳ ଦୁଗ୍ଧଗୁଣ୍ଡ ପିଇବାକୁ ଦିଆଯାଉଛି ଓ ନିୟମିତ ବ୍ୟବଧାନରେ ଡାକ୍ତରମାନେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରୁଛନ୍ତି। ଛୁଆମାନେ ସୁସ୍ଥ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନାନୁସାରେ ୨୦୧୮ ସେପ୍ଟେମ୍ବର ୨୩ରେ ଉଭୟ ରୁପା ଓ ରାଜେଶ ଜନ୍ମ ହୋଇଥିଲେ। ସାଧାରଣ ନାଲିରଙ୍ଗର ମହାବଳ ବାଘ ରୋଷନ ଓ ଧଳାବାଘୁଣୀ ବିଜୟାଙ୍କ ମିଳନରୁ ସେମାନଙ୍କ ଜନ୍ମ ହୋଇଥିଲା। ଗତ କିଛି ମାସ ପୂର୍ବେ ରୁପା ଓ ତା’ର ଭାଇ ରାଜେଶକୁ ବାଘ ସଫାରିରେ ଛଡ଼ାଯାଇଥିଲା। ଏହି ସଫାରିରେ ଚଳପ୍ରଚଳ ହେବା ଭିତରେ ନନ୍ଦନକାନନ କର୍ମଚାରୀଙ୍କ ଅଗୋଚରରେ ସେମାନଙ୍କ ମିଳନ ହୋଇଯାଇଥିଲା। କିଛି ଦିନ ପରେ ରୁପା ଗର୍ଭଧାରଣ କରିଥିବା ଜଣାପଡ଼ିଥିଲା। ତେଣୁ ସେହିଦିନଠାରୁ ତାକୁ ୨୮ ନମ୍ବର ଖୁଆଡ଼କୁ ଆଣି ଅଲଗା ରଖାଯାଇଥିଲା। ଗତକାଲି ସକାଳେ ସେ ଛୁଆ ଜନ୍ମ ଦେଇଥିଲା। ସିସିଟିଭି ଫୁଟେଜ୍ରୁ କର୍ମଚାରୀମାନେ ଏହା ଜାଣିବା ପରେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିଲା। ସିସି ଫୁଟେଜ୍ରୁ ଜଣାପଡ଼ିଥିଲା ଯେ ରୁପା ଛୁଆମାନଙ୍କୁ ସ୍ତନ୍ୟପାନ କରାଉନାହିଁ। ଏମିତିକି ଛୁଆମାନଙ୍କୁ ଚାଟିବା ଭଳି ପ୍ରାଥମିକ ଯତ୍ନ ବି ନେଉନାହିଁ। ତେଣୁ ତୁରନ୍ତ ମା’ଠାରୁ ଛୁଆମାନଙ୍କୁ ଅଲଗା କରିବାକୁ ପଦକ୍ଷେପ ନିଆଯାଇଥିଲା। ଛୁଆମାନଙ୍କୁ ଆଣି କାଗଜପେଟିରେ ରଖାଯାଇଥିଲା। ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡାକ୍ତରମାନେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ରୟାଲ୍ କ୍ୟାନିନ ଦୁଗ୍ଧଗୁଣ୍ଡକୁ ପାଣିରେ ମିଶାଇ ବୋତଲରେ ପିଆଯାଇଥିଲା। ଏହି ଦୁଇ ଧଳା ଓ ଗୋଟିଏ ନାଲିରଙ୍ଗର ଛୁଆମାନେ ବେଶ୍ ହୃଷ୍ଟପୁଷ୍ଟ ହୋଇଛନ୍ତି ଓ ସେମାନଙ୍କ ଓଜନ ପ୍ରାୟ ଏକ କେଜି ଲେଖାଏଁ ବୋଲି ସୂଚନା ମିଳିଛି।
Follow Us