କିଏ ହେବ ପରବର୍ତ୍ତୀ ମହିଳା କମିସନ୍‌ ଅଧ୍ୟକ୍ଷା

Advertisment
କିଏ ହେବ ପରବର୍ତ୍ତୀ ମହିଳା କମିସନ୍‌ ଅଧ୍ୟକ୍ଷା

ଭୁବନେଶ୍ବର : ମହିଳା କମିସନ୍‌ର ପରବର୍ତ୍ତୀ ଅଧ୍ୟକ୍ଷା କିଏ ହେବ, ସେ ନେଇ ବିଜେଡିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦୀର୍ଘ ୬ ବର୍ଷ କାଳ ଦୁଇଟି ପାଳିରେ ଲୋପାମୁଦ୍ରା ବକ୍ସିପାତ୍ର ଅଧ୍ୟକ୍ଷା ଦାୟିତ୍ବ ତୁଲାଉଥିଲେ। ସେ ଇସ୍ତଫା ଦେଇ ଦଳୀୟ ସଂଗଠନରେ ସାମିଲ୍ ହେଲା ପରେ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହାକୁ ବସାଇବେ, ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ସେହିପରି ଭିନ୍ନକ୍ଷମ କମିସନ୍‌ ଅଧ୍ୟକ୍ଷା ପଦବି ମଧ୍ୟ ଖାଲି ହୋଇଛି। ଏହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦବି। ଏଥିରେ କାହାକୁ ନିଯୁକ୍ତି ଦିଆଯିବ, ତାହା ବି ଦଳୀୟ ନେତାମାନେ ଆକଳନ କରିପାରୁ ନାହାନ୍ତି।

ବିଜେଡିର ଅଧିକାଂଶ ଆଗଧାଡ଼ିର ନାରୀ ନେତ୍ରୀଙ୍କୁ ବିଭିନ୍ନ ଦଳୀୟ ପଦପଦବିରେ ଆଜି ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ଏବେ ଦିଆଯାଇଥିବାରୁ ଆଉ ଏମାନଙ୍କ ମଧ୍ୟରୁ କାହାକୁ ନିର୍ବାଚନ ପୂର୍ବରୁ ସାମ୍ବିଧାନିକ ପଦପଦବି ଦେବାର ସମ୍ଭାବନା ନାହିଁ କହିଲେ ଚଳେ। ଲୋପାମୁଦ୍ରାଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବର ମାସରେ ଶେଷ ହେଉଥିଲା। ସେ ଆଗୁଆ ଇସ୍ତଫା ଦେବା ନେଇ ଜଣାପଡ଼ି ନ ଥିଲେ ବି ପରବର୍ତ୍ତୀ ଅଧ୍ୟକ୍ଷା ପଦବି ପାଇଁ ଲବି କିଛି ଦିନ ହେଲା ଆରମ୍ଭ ହୋଇଯାଇଥିଲା। ସୁଲୋଚନା ଦାସ, ସୁଲତା ଦେଓ, ଶ୍ରୀମୟୀ ମିଶ୍ପ ଓ ଏଲିନା ଦାଶ ପ୍ରମୁଖଙ୍କ ନାମ ଚର୍ଚ୍ଚାର ଆଗରେ ରହିଥିଲା। କିନ୍ତୁ ଦଳର ସୁପ୍ରିମୋ ଆଜି ସମସ୍ତଙ୍କୁ ଦଳୀୟ ସଂଗଠନରେ ଗୁରୁତ୍ବପୂର୍ଣ୍ଣ ପଦବିରେ ବସାଇ ଦେଇଛନ୍ତି। ନିର୍ବାଚନ ଆଗକୁ ଥିବାରୁ ସେମାନଙ୍କୁ ଦଳ ପାଇଁ ପୂରା ଦମ୍‌ରେ କାମ କରିବାକୁ କୁହାଯାଇଛି।

ନବୀନ ନିଶ୍ଚିତ ଭାବେ ମହିଳା କମିସନ୍‌ ଅଧ୍ୟକ୍ଷା ପଦବି ପାଇଁ କାହାକୁ ଆଖି ଆଗରେ ରଖି ଗୋଟି ଚାଳନା କରୁଛନ୍ତି ବୋଲି ଦଳ ଭିତରେ ଚର୍ଚ୍ଚା ଚାଲିଛି। କିନ୍ତୁ କିଏ ସୁପ୍ରିମୋଙ୍କ ପସନ୍ଦ, ତାହାର ସୁରାକ ଦଳୀୟ ନେତାମାନେ ପାଇ ପାରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe