ବନ୍ଧକୁ ନେଇ ଦ୍ୱନ୍ଦ: ମାଲିକାନା କାହାର, ପୌର ପରିଷଦ ନା ନିଜର

Advertisment
ବନ୍ଧକୁ ନେଇ ଦ୍ୱନ୍ଦ: ମାଲିକାନା କାହାର, ପୌର ପରିଷଦ ନା ନିଜର

ଜୟପୁର: ଜୟପୁର ରାଜବ˚ଶ ପ୍ରତିଷ୍ଠା ସମୟରୁ ଜୟପୁର ସହରରେ ରହିଛି ଏକାଧିକ ଐତିହ୍ୟ ସମ୍ପନ୍ନ ପୋଖରୀ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ପୋଖରୀ ଗୁଡିକ ନିଜର ସ୍ଥିତି ହରାଇବା ସହ ଇତିହାସ ପାଲିଟିବାକୁ ବସିଥିଲେ। ସହରବାସୀଙ୍କ ପାନୀୟ ଜଳ ଠାରୁ ଆରମ୍ଭ କରି ଗାଧୁଆପାଧୁଆ ପାଇଁ ରାଜରାଜୁଡ଼ା ଅମଳରେ ସହରରେ ପୋଖରୀ ଖୋଲାଯାଇଥିବା ବେଳେ ଏବେ ପାନୀୟ ଜଳ ପାଇଁ ବ୍ୟବହାର କରିବା ଦୂରର କଥା ସ୍ନାନ ଶୌଚ ପାଇଁ ବି ଅନୁପଯୁକ୍ତ ହୋଇପଡିଛି । ଏପରିକି ଏବେ ଏହି ବନ୍ଧ ମଧ୍ୟରୁ ବନ୍ଧଘାଟର ମାଲିକାନାକୁ ନେଇବି ଦ୍ବନ୍ଦ ଉପୁଜିଛି। ଯଦିଓ ପୌରପାଳିକା ଅଧିନରେ ରହିଥିଲେ ହେଁ ମାଲିକାନା ଦ୍ବନ୍ଦ ଦେଖା ଦେବା ପରେ ପୌରପାଳିକା ଏହାର ପୁନଃରୁଦ୍ଦାର କରି ନାହିଁ। ଫଳରେ ଏହା ପୋତି ହୋଇ ଗଲାଣି। ଏହାର ହୁଡା ଚାରିପାର୍ଶ୍ବ ବି ଜବରଦଖଲକାରୀଙ୍କ କବଜାରେ।

ସୂଚନାଯୋଗ୍ୟ, ହାଟପଦାରେ ଥିବା ବନ୍ଧଘାଟ ଅବସ୍ଥା ଏଭଳି ହୋଇଛି ଯେ ଏହା ପୋଖରୀ ବଦଳରେ ଖେଳ ପଡିଆର ଭ୍ରମ ସୃଷ୍ଟି କରୁଛି । ଅନାବନା ଲତାରେ ସଂପୂର୍ଣ୍ଣ ପୋଖରୀ ପରିପୂର୍ଣ୍ଣ ରହିଛି । ପୋଖରୀ ପାଣିର ଅବସ୍ଥା ଏଭଳି ଯେ ଏଠାରେ ସ୍ନାନ କଲେ ଚର୍ମ ରୋଗ ହେଉଥିବା ବି ଲୋକେ ଅଭିଯୋଗ କରିଛନ୍ତି । ପୌରପାଳିକା ଅଧିନରେ ଏହି ପୋଖରୀ ଗୁଡିକ ରହିଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ରାଜ୍ୟ ସରକାରଙ୍କ ଜଳାଶୟ ଉଦ୍ଧାରୀକରଣ(ଵାଟର ବଡି ପିଜରଭେସନ)ରେ ସାମିଲ ହୋଇପାରିନି।

ଏ ନେଇ ଗତ ୯ ବର୍ଷ ତଳେ ଜଳାଶୟ ଉଦ୍ଧାର କାର୍ଯ୍ୟ ପାଇଁ ପୌରପାଳିକାକୁ ଏକ ଚିଠି ଓ ସବିଶେଷ ତଥ୍ୟ ସମ୍ପନ୍ନ ଗାଇଡ୍ ଲାଇନ୍ ଆସିଥିଲା। କିନ୍ତୁ ସେହି ସମୟରେ ଦାୟିତ୍ବରେ ଥିବା ପୌର ପରିଷଦ ଓ ନିର୍ବାହୀ ଅଧିକାରୀଙ୍କ ଅବହେଳା ଯୋଗୁଁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହୋଇପାରିଲା ନାହିଁ। ଗତ ମାର୍ଚ୍ଚ ମାସରେ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ବିନ୍ଦୁ ସାଗରର ପୁନଃରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ସହରର ପୋଖରୀ ଗୁଡିକର ଉନ୍ନତିକରଣ ପାଇଁ ସ୍ଥାନୀୟ ପୌରପାଳିକାକୁ ଚିଠି ଆସିଥିଲା। ପୌର କର୍ତ୍ତୃପକ୍ଷ ଏଥିରେ ବି ଅଣଦେଖା କରିବାରୁ ଏହି ପୋଖରୀର ପୁନରୁଦ୍ଧାର ପାଇଁ ଆସିବାକୁ ଥିବା ଅର୍ଥ ପାଇବାରୁ ବଞ୍ଚିତ ହୋଇଥିଲା । ଅପରପକ୍ଷରେ ରାଜରାଜୁଡା ଅମଳରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହା ଦାନସୁତ୍ରରେ ଦେଇଥିଲା ରାଜବଂଶ ପରିବାର। କାଳକ୍ରମେ ସରକାର ୟୁନିୟନ ବୋର୍ଡ ବା ବର୍ତ୍ତମାନର ପୌରପାଳିକା ନିଜ ଅଧିନକୁ ନେଇ ଦେଖାରଖା କରୁଥିଲା। ଏପରିକି ପ୍ରତିବର୍ଷ ଏହାର ନିଲାମ ବି କରାଯାଉଥିଲା। ନିଲାମରେ ନେଇ କିଛି ବ୍ୟକ୍ତି ଏଠାରେ ମାଛ ଚାଷ କରି ଆସୁଥିଲେ। କାଳକ୍ରମେ ଏହାର ଦେଖାରଖା ନ କରିବା ଫଳରେ ଏହାର ହୁଡା ଚାରି ପାର୍ଶ୍ବରେ ଲୋକେ ଜବରଦଖଲ କରି ଘର ନିର୍ମାଣ କରି ରହି ଆସୁଛନ୍ତି। ଧିରେ ଧିରେ ଏହି ବନ୍ଧଘାଟୁର ଅବସ୍ଥା ଶୋଚନୀୟ ହେବା ସହ ପୋତି ହୋଇଗଲାଣି। ଏହାର ମାଲିକାନା ପୌରପାଳିକାର ରହିଛି ନା ନାହିଁ ତାହାର ଯାଂଚ ତହସିଲଦାରଙ୍କ ଦ୍ବାରା କରାଯିବ। ଯଦି ପୌରପାଳିକାର ନାଁରେ ଜମିର ମାଲିକାନା ବାହାରେ ତେବେ ଆମ ପୋଖରୀ ଯୋଜନାରେ ଏହାର ପୁନଃରୁଦ୍ଧାର କରାଯିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe