ଗରମ ପାଣି ପଡ଼ି ଚିନିଶିଳ୍ପରେ ଦୁଇ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?

Advertisment
ଗରମ ପାଣି ପଡ଼ି ଚିନିଶିଳ୍ପରେ ଦୁଇ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?

YouTube

ଆସିକା : ଆସିକା ସମବାୟ ଚିନିଶିଳ୍ପରେ ଗତ ୧୬ ତାରିଖ ରାତିରେ ପାଇପ୍ ଫାଟିବା ସହ ଗରମ ପାଣି ପଡ଼ି ଦୁଇଜଣ କର୍ମଚାରୀ ଫୋରମ୍ୟାନ୍ ଶ୍ୟାମନାରାୟଣ ରାଓ ଓ ଏନଏମଆର୍ ବିଘ୍ନେଶ୍ବର ବେହେରା ଗୁରୁତର ହୋଇଥିଲେ। ଗତ ୨୨ ତାରିଖରେ ବିଘ୍ନେଶ୍ବର ଓ ଗତକାଲି ଶ୍ୟାମନାରାୟଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତେବ‌େ ଏହି ସମ୍ବେଦନଶୀଳ ଘଟଣାରେ ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟଣା ଆସିକା ଚିନିଶିଳ୍ପକୁ ଆଣି କାଠଗଡ଼ାରେ ଛିଡ଼ା କରିଛି। ଏଥିପାଇଁ କିଏ ଦାୟୀ ବୋଲି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡିଷ୍ଟିଲାରିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଚିନିଶିଳ୍ପରେ କାମ ଚାଲିଛି। ଏହି ସମୟରେ ମଲଟିପୁଲ୍ ବୟଲରକୁ ଗରମ ପାଣି ଯାଉଥିବା ଏକ ପାଇପ୍ ଫାଟିଯିବାରୁ ଗରମ ପାଣି ପଡ଼ି ଉଭୟ ଗୁରୁତର ହୋଇଥିଲେ।  ଆଉ ଜୀବନ ଯୁଦ୍ଧରେ ଲଢ଼ି ହାରିଗଲେ। ତେବେ ଏହି ଘଟଣାକୁ ଚାପିଦେବାକୁ ଭିତିରିଆ ଉଦ୍ୟମ ଆରମ୍ଭ ହୋଇଯାଇଥିବା ଆଭାସ ମିଳୁଛି। ଗତ ୨୫ ବର୍ଷ ମଧ୍ୟରେ ଚିନିଶିଳ୍ପରେ ଏତେ ବଡ଼ ଘଟଣା ଘଟି ନଥିଲା।

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଗତ ୧୬ ତାରିଖରେ ଏହି ଦୁର୍ଘଟଣା ଘଟିଥିଲେ ହେଁ, ଆଜି ଯାଏ ଥାନାରେ କୌଣସି ଏତଲା ଦିଆଯାଇନି। ସେହିପରି ୨୨ ତାରିଖରେ ବିଘ୍ନେଶ୍ବରଙ୍କ ମୃତ୍ୟୁ ପରେ ‌କେଉଁ ଆଧାରରେ ଭୁବ‌ନେଶ୍ବରରେ ତାଙ୍କ ଶବକୁ ବ୍ୟବଚ୍ଛେଦ କରାଗଲାନି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଡିଷ୍ଟିଲାରି ନିର୍ମାଣରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତାକୁ ବି ଏହି ଦୁର୍ଘଟଣାର ଅନ୍ୟତମ କାରଣ ବୋଲି କୁହାଯାଉଛି।

ଘଟଣାର ୧୩ ଦିନ ପରେ ବି ଥାନାରେ ଦିଆଯାଇନି ଏତଲା

ଡିଷ୍ଟିଲାରି ନିର୍ମାଣରେ ବ୍ୟାପକ ଦୁର୍ନୀତି, ଅନିୟମିତତା

୨୦୧୮-୧୯ରେ ଡିଷ୍ଟିଲାରି ନିର୍ମାଣ ପାଇଁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଠାରୁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଠିକା ନେଇଥିବା ସଂସ୍ଥା ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଏକ ମାସ ଚଳାଇବା ପରେ ଶିଳ୍ପ ଏହାର ପରିଚାଳନା ଦାୟିତ୍ବ ନେଇଥିଲା। କିନ୍ତୁ ଫ୍ୟାକ୍ଟ୍ରି ଓ ବୟଲର୍ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଏହାର ଯାଞ୍ଚ କରିଥିଲେ କି ନାହିଁ, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଶ୍ରମିକ ସଂଘର ସଭାପତି ରାମକୃଷ୍ଣ ପଣ୍ଡା କହିଛନ୍ତି, ଡିଷ୍ଟିଲାରି ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଛି। ଏଣୁ ଏହି ଦୁର୍ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବା ଦରକାର ବୋଲି ସେ କହିଛନ୍ତି।

ଦୀର୍ଘ ୧୨ ବର୍ଷ ହେଲା  ପରିବେଶ ମଞ୍ଜୁରୀ କାରଣରୁ ବନ୍ଦ ଥିବା ଡିଷ୍ଟିଲାରି କାର୍ଯ୍ୟକ୍ଷମ ହେଲେ ଚିନିଶିଳ୍ପ ଲାଭବାନ ହେବ ଓ ବହୁ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ପାଇବେ। କିନ୍ତୁ ଏହା ଆରମ୍ଭ ହେବା ପୂର୍ବରୁ ଯେଉଁ ଦୁର୍ଘଟଣା ଘଟିଛି ତାହା ଶ୍ରମିକଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି। ଆଜି ସୁଦ୍ଧା କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ପାଇଁ ତତ୍ପରତା ନ ଦେଖାଇବା ସହ ଥାନାରେ ଏତଲା ଦେଉନାହାନ୍ତି। ଫଳରେ କାହାକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରାଯାଉଛି ବୋଲି ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ ଦୁଇ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚିନିଶିଳ୍ପରେ ସ୍ଥାୟୀ ନିଯୁକ୍ତି ଓ ୨୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ଶ୍ରମିକ ସଂଘ ଦାବି କରିଛି। ସର୍ବାନିମ୍ନ ୧୦୫ ଡିଗ୍ରି ସେଲସିୟସ ତାପମାତ୍ରାରେ ଜଳ ଓ ଜଳୀୟବାଷ୍ପ ପ୍ରବାହିତ ହେଉଥିବା ପାଇପ୍ କାମରେ ନ ଲାଗିବା ପୂର୍ବରୁ ଫାଟିଯାଇ ଏହି ଦୁର୍ଘଟଣା ଘଟିଲା। ଏହାର ଶ୍ରମିକଙ୍କ ସୁରକ୍ଷା ନେଇ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe