ଅନାଥଙ୍କ ପ୍ରତି ଦରଦ ଏମିତି! ‘ସବୁଜ ମାର୍ଗ’ରେ କଣ୍ଟା କିଏ?

Advertisment
ଅନାଥଙ୍କ ପ୍ରତି ଦରଦ ଏମିତି! ‘ସବୁଜ ମାର୍ଗ’ରେ କଣ୍ଟା କିଏ?

ଭୁବନେଶ୍ବର: ବାପ-ମା’ ଛେଉଣ୍ତ ତଥା ବେସାହାରା ଛାତ୍ରଛାତ୍ରୀଙ୍କୁ ମାଗଣାରେ ଉଚ୍ଚ ଶିକ୍ଷା ସୁଯୋଗ ଦେବା ସହ ସେମାନଙ୍କୁ ଉନ୍ନତ ଜୀବିକା-ଜୀବନ ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୨୦୧୫ ଅକ୍ଟୋବରରେ ଘୋଷଣା କରିଥିଲେ ସ୍ବତନ୍ତ୍ର ଯୋଜନା ‘ସବୁଜ ମାର୍ଗ’ (ଗ୍ରୀନ୍‌ ପାସେଜ୍‌)। ରାଜ୍ୟର ୨୭୨ ଅନୁଷ୍ଠାନରେ ଅଧୢୟନରତ ୧୬,୩୮୨ ଅନାଥ ଛାତ୍ରଛାତ୍ରୀ ସବୁଜ ମାର୍ଗ ଯୋଜନାରେ ଉପକୃତ ହେବେ ବୋଲି ୨୦୧୬ ମେ’ରେ ଯୋଜନା ଆରମ୍ଭ ବେଳେ ସରକାର ଆକଳନ କରିଥିଲେ। ଯୋଜନା ଅନୁଯାୟୀ ମାଟ୍ରିକ୍‌ ପରେ ଅନାଥ ଛାତ୍ରଛାତ୍ରୀଙ୍କୁ +୨ରୁ ସ୍ନାତକୋତ୍ତର ସମେତ ବୈଷୟିକ ଶିକ୍ଷା ପ୍ରଦାନ ନିମନ୍ତେ ଆବଶ୍ୟକ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି କୁହାଯାଇଥିଲା। ଯୋଜନା କାର୍ଯ୍ୟକାରୀ ନିମନ୍ତେ ୨୦୧୬-୧୭ ଆର୍ଥିକ ବର୍ଷରେ ୨୦ ଲକ୍ଷ ଟଙ୍କା ବଜେଟ୍‌ ବ୍ୟବସ୍ଥା ହୋଇଥିଲା। ତେବେ ୨୦୧୬-୧୭ରୁ ୨୦୧୯-୨୦ ଦୀର୍ଘ ୪ ବର୍ଷ ମଧୢରେ ଏହି ଯୋଜନାରେ କେବଳ ଜଣେ ମାତ୍ର ଛାତ୍ରୀଙ୍କୁ ୬୧ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ଘଟଣା ଆକାଉଣ୍ଟାଣ୍ଟ ଜେନେରାଲ୍‌ (ଏଜି)ଙ୍କୁ ବିସ୍ମିତ କରିଛି। ପରିଣାମସ୍ବରୂପ ଯୋଜନାର ବିଫଳତା ତଥା ତ୍ରୁଟିବିଚ୍ୟୁତି ସମ୍ପର୍କରେ ଏଜି ଉଚ୍ଚ ଶିକ୍ଷା ବିଭାଗରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି।

ସମୀକ୍ଷା ବେଳେ ଏଜିଙ୍କ ଦୃଷ୍ଟିଗୋଚର ହୋଇଥିବା ତଥ୍ୟ ଅନୁଯାୟୀ ୨୦୧୬-୨୦୨୦ ମଧୢରେ ସବୁଜ ମାର୍ଗ ଯୋଜନାରେ ସହାୟତା ନିମନ୍ତେ ମାତ୍ର ୭ଟି ଆବେଦନ ପାଇଥିଲା ଉଚ୍ଚ ଶିକ୍ଷା ବିଭାଗ। ସେଥିରୁ ଏକମାତ୍ର ଛାତ୍ରୀ ରଞ୍ଜିତା ମିଶ୍ର ପ୍ରାୟ ବର୍ଷେ କାଳ ଜିଲ୍ଲାପାଳଙ୍କ ଅଫିସ୍‌ରୁ ଆରମ୍ଭ କରି ବିଭିନ୍ନ ଦପ୍ତର ଦେଇ ଶେଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ର ଦ୍ବାରସ୍ଥ ହେବା ପରେ ୬୧ ହଜାର ଟଙ୍କା ସହାୟତା ଲାଭ କରିଥିଲେ। ସହାୟତା ପାଇଁ ତାଙ୍କ ସ˚ଘର୍ଷ କାହାଣୀ ଏମିତି- ଏସ୍‌ଓଏସ୍‌ ଭିଲେଜ୍‌ର ଅନ୍ତେବାସୀ ରଞ୍ଜିତା କଟକ ଜିଲ୍ଲା ଅଡ଼ଶପୁରସ୍ଥିତ ଅଟୋନୋମସ୍‌ କଲେଜରେ ନାମ ଲେଖାଇବା ପରେ ସବୁଜ ମାର୍ଗ ଯୋଜନାରୁ ସହାୟତା ପାଇବାକୁ ଜିଲ୍ଲାପାଳଙ୍କ ଅଫିସ୍‌କୁ ୨୦୧୬ ଜୁନ୍‌ ୨୫ରେ ଆବେଦନ କରିଥିଲେ। କୌଣସି ଆଶ୍ବାସନା ନପାଇ ସେ ଅଗଷ୍ଟ ୧୨ରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଗୁହାରୀ କରିଥିଲେ। ଏହାପରେ ସେ ସେ ଡିସେମ୍ବର ୫ରେ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ଓଏସ୍‌ଡ଼ିଙ୍କୁ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ଡିସେମ୍ବର ୨୮ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରୀ କରିବା ପରେ ୨୦୧୭ ଫେବ୍ରୁଆରିରେ ସହାୟତା ମଞ୍ଜୁରୀ ହୋଇଥିଲା। ରଞ୍ଜିତାଙ୍କ ଭଳି ଆଉ ଜଣେ ଛାତ୍ରୀ ଗଙ୍ଗାଧର ମେହର ବିଶ୍ବବିଦ୍ୟାଳୟରେ ଅଧୢୟନରତ ଭାଗ୍ୟବତୀ ଛୁରିଆ। ବିଶ୍ବବିଦ୍ୟାଳୟର ଫି ଛାଡ଼ ଲାଗି ଝାରସୁଗୁଡ଼ା ଜିଲ୍ଲାପାଳ ଭାଗ୍ୟବତୀଙ୍କ ଅନାଥ ପ୍ରମାଣପତ୍ର ସହ ଉଚ୍ଚ ଶିକ୍ଷା ବିଭାଗକୁ ୨୦୧୭ ଫେବ୍ରୁଆରି ୧୫ରେ ସୁପାରିସ୍‌ କରିଥିଲେ। ଉଚ୍ଚ ଶିକ୍ଷା ବିଭାଗ ଫେବ୍ରୁଆରି ୨୩ରେ ବିଶ୍ବବିଦ୍ୟାଳୟ କତ୍ତୃର୍ପକ୍ଷଙ୍କ ଠାରୁ ଆବଶ୍ୟକ ତଥ୍ୟ ଓ ଦଲିଲ୍‌ ମାଗିଥିଲେ ମଧୢ ଏ ପର୍ଯ୍ୟନ୍ତ ତାହା ପହଞ୍ଚି ନଥିବା ଅଡ଼ିଟ୍‌ ବେଳେ ଜଣାପଡ଼ିଛି। ସର୍ତ୍ତ ପୂରଣ କରୁନଥିବା ଅଭିଯୋଗରେ ଅନ୍ୟ ୪ ଜଣ ଛାତ୍ରଛାତ୍ରୀଙ୍କ ଆବେଦନକୁ କତ୍ତୃର୍ପକ୍ଷ ଖାରଜ କରିଛନ୍ତି। ମୋଟାମୋଟି ଭାବେ ଅନାଥ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ସବୁଜ ମାର୍ଗ ଯୋଜନାର ଗତି ଏମିତି!

ଉଲ୍ଲେଖଯୋଗ୍ୟ, ୨୦୧୬ରେ ୧୬,୩୮୨ ଅନାଥ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଆରମ୍ଭ କରିଥିଲେ ସବୁଜ ମାର୍ଗ ଯୋଜନା। ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ସହାୟତାରେ ଜିଲ୍ଲାରେ ଥିବା ଅନାଥାଶ୍ରମ ଗୁଡ଼ିକର ତଥ୍ୟ ସ˚ଗ୍ରହ ସହ ଜିଲ୍ଲାପାଳ/ଉପଜିଲ୍ଲାପାଳଙ୍କ ପ୍ରମାଣପତ୍ରରେ ଅନାଥ ପିଲାମାନଙ୍କୁ ଚିହ୍ନଟ ଏବ˚ ସେମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ (ଡାଟା ବେସ୍‌) ପ୍ରସ୍ତୁତି ଲାଗି ନିଷ୍ପତ୍ତି ହୋଇଥିଲା। ନାମଲେଖା ଶେଷ ହେବା ମାତ୍ରେ ସରକାରୀ ଓ ବେସରକାରୀ କଲେଜ/ ବିଶ୍ବବିଦ୍ୟାଳୟ କତ୍ତୃର୍ପକ୍ଷ ଅନାଥ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଉଚ୍ଚ ଶିକ୍ଷା ବିଭାଗରେ ଦାଖଲ କରିବାକୁ ନିର୍ଦ୍ଦେଶ ଥିଲା। ସବୁଜ ମାର୍ଗ ଯୋଜନାର ପ୍ରଚାର ଓ ପ୍ରସାର ନିମନ୍ତେ ମହିଳା, ଶିଶୁ ବିକାଶ ଓ ମିଶନ୍‌ ଶକ୍ତି ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ସେଲ୍‌କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଲିଖିତ ଅନୁରୋଧ କରାଯାଇଥିଲା। ଏସବୁ ସତ୍ତ୍ବେ ଗତ ୪ ବର୍ଷରେ ଉଚ୍ଚ ଶିକ୍ଷାରେ ଅଧୢୟନରତ ମାତ୍ର ଜଣେ ଛାତ୍ରୀ ବର୍ଷେ କାଳ ଉଦ୍ୟମ ପରେ ସହାୟତା ପାଇବାକୁ ସକ୍ଷମ ହେବା ଓ ଅନ୍ୟ କୌଣସି ଅନାଥ ଛାତ୍ରଛାତ୍ରୀ ଉପକୃତ ନହେବା ବିସ୍ମୟଜନକ ନୁହେଁ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe