ହାତୀ ମୃତ୍ୟୁ ପାଇଁ ଦୋଷୀ କିଏ?

Advertisment
ହାତୀ ମୃତ୍ୟୁ ପାଇଁ ଦୋଷୀ କିଏ?

The Indian Express

ବରଗଡ଼: ରବିବାର ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଅଲେଖପୁର ଗ୍ରାମରେ ଗୋଟିଏ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିଲା। ବିଦ୍ୟୁତ୍‌ ଆଘାତରେ ହାତୀର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ବନ ବିଭାଗ ମାମଲାର ଖୋଳତାଡ଼ କରୁଛି। ପ୍ରଶ୍ନ ଉଠୁଛି, ହାତୀ ମୃତ୍ୟୁ ପାଇଁ ଦୋଷୀ କିଏ? ବନବିଭାଗ ନା ଆଉ କେହି?

ଏହି ଇଲାକାରେ କିଛି ଦିନ ହେଲା ୫/୬ଟି ହାତୀର ଗତିବିଧି ଲକ୍ଷ୍ୟ କରାଯାଉଥିଲା। ହାତୀମାନେ ଡେବ୍ରିଗଡ଼ ଅଭୟାରଣ୍ୟରେ ବୁଲାବୁଲି କରୁଥିଲେ। ତେବେ ଏନେଇ ବନବିଭାଗ ଆଗୁଆ ପଦକ୍ଷେପ ନେଲାନି କାହିଁକି? ରାତିରେ  ଡେବ୍ରିଗଡ଼ ଅଭୟାରଣ୍ୟରୁ ଖାଦ୍ୟ ପାଇଁ ହାତୀମାନେ ଅଲେଖପୁର ଗାଁକୁ ଚାଲି ଆସିଥିଲେ। ହେଲେ ହାତୀଙ୍କ ଗତିବିଧି ବନବିଭାଗ ଠାବ କରିପାରିଲା ନାହିଁ। ଯଦି ବନ ବିଭାଗ ଅାଗତୁରା ହାତୀଙ୍କୁ ଘଉଡ଼ାଇବାକୁ ବ୍ୟବସ୍ଥା କରିଥାନ୍ତା, ତେବେ ହାତୀଟିର ଜୀବନ ବଂଚି ଯାଇଥାନ୍ତା। ଜିଲ୍ଲାରେ ଗୁଡ଼ାଏ ହାତୀ କରିଡର ରହିଛି। ଖରାମାସ ଆରମ୍ଭ ହେବା ସମୟରେ ଜଂଗଲରେ ମହୁଲ ଝଡ଼ିଥାଏ।

ଏହାକୁ ଖାଇବା ପାଇଁ ହାତୀମାନେ ବେଳେବେଳେ ଗାଁ ମୁହାଁ ହୋଇଥାନ୍ତି। ଏହି ସମୟରେ ଜିଲ୍ଲାରେ ହାତୀ ଆକ୍ରମଣରେ ପ୍ରାଣହାନୀ ଘଟୁଥିବା ନଜିର ରହିଛି। ହେଲେ ବନବିଭାଗ ଠିକଣା ସମୟରେ କିଛି ପଦକ୍ଷେପ ନେଉନାହିଁ। ଏହା ପୂର୍ବରୁ ୨୦୧୯ ମସିହାରେ ଅମ୍ବାଭୋନା ବ୍ଳକ ଭଟଲି ରେଞ୍ଜ ସମ୍ବରଦରହା ସେକ୍ସନ ଗଂଗେଇ ଗ୍ରାମରେ ବାର୍‌ହା ପାଇଁ ଲାଗିଥିବା ଫାସରେ ପଡ଼ି  ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଗୋଟିଏ ହିସାବରେ କହିବାକୁ ଗଲେ, ବନ ବିଭାଗ ହାତୀ ଗତିବିଧି ଠାବ କରିବାରେ ସଂପୂର୍ଣ୍ଣ ଫେଲ୍‌ ମାରିଛି।

ହାତୀଙ୍କ ଗତିବିଧି ଥିବାକୁ ଥିବା ଜିପିଏସ୍‌ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍‌ ରହିଛି।  ପଦ୍ମପୁର, ପାଇକମାଳ, ଅମ୍ବାଭୋନା, ଝାରବନ୍ଧ, ଗାଇସିଲାଟ୍‌ ଆଦି ଅଂଚଳରେ ହାତୀ ଚଲାପଥ ରହିଛି। ଛତିଶଗଡ଼ରୁ  ହାତୀପଲ ମହାନଦୀ ଡେଇଁ ବରଗଡ଼ ଜିଲ୍ଲାକୁ ଦାଖଲ ହୋଇଥାନ୍ତି। ଗନ୍ଧମାର୍ଦ୍ଦନ ପାହାଡ଼ ଏବଂ ଅଂଗନଦୀ ପାର କରି ମଧ୍ୟ ହାତୀ ଜିଲ୍ଲାକୁ ପଶିଥାନ୍ତି। କିନ୍ତୁ ବର୍ତମାନ ବିଭିନ୍ନ ହାତୀ ଚଲାପଥରେ ବିପଦ ରହିଛି। ଅର୍ଥାତ ସ୍ବଳ୍ପ ଉଚ୍ଚତାରେ ଉଚ୍ଚକ୍ଷମତା ସଂପନ୍ନ ବିଜଳି ତାର ଓହଳି ରହିଛି।

ଏବେ ଜଂଗଲରେ ମହୁଲ ପଡ଼ୁଥିବାରୁ ତାକୁ ଖାଇବାକୁ ହାତୀମାନେ ସକ୍ରିୟ ରହିଛନ୍ତି। ତେଣୁ  ହାତୀ ଚଲାପଥ ବ୍ୟତୀତ ଅନ୍ୟ ଜଂଗଲିଆ ରାସ୍ତାରେ ହାତୀ ଯାତାୟତ କରୁଛନ୍ତି। ଫଳରେ କମ୍‌ ଉଚ୍ଚତାରେ ଥିବା ବିଦ୍ୟୁତ ତାର ଯୋଗୁଁ ହାତୀ ମୃତ୍ୟୁ ଘଟୁଛି। ଏନେଇ କିଛି ଆପତ୍ତି ଅଭିଯୋଗ ହେଲେ ଉଭୟ ବନବିଭାଗ ଏବଂ ବିଦ୍ୟୁତ ବିଭାଗ ପରସ୍ପର ଉପରେ ଦୋଷ ଲଦି ଖସିବାକୁ ଚେଷ୍ଟା କରୁଛନ୍ତି। କୌଣସି ବିଭାଗ ଏନେଇ ତତ୍ପରତା ଦେଖାଉନଥିବାରୁ  ଗଜରାଜ ସଂକଟରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe