RailPost.in
ଭୁବନେଶ୍ବର : ଓଡ଼ିଶା ସମେତ ସାରା ଦେଶରେ ପୁଣିଥରେ ସମ୍ପୂର୍ଣ୍ଣ ଟ୍ରେନ୍ ଚଲାଇବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ଭାରତୀୟ ରେଳପଥର ସିଇଓ ତଥା ଅଧ୍ୟକ୍ଷ ସୁନିତ୍ ଶର୍ମା କହିଛନ୍ତି। ଆଜି ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି ଯେ ଟ୍ରେନ୍ ଓ କୋଚ୍ଗୁଡ଼ିକ ଗଡ଼ିବା ଲାଗି ପ୍ରସ୍ତୁତ ହୋଇ ରହିଛି। ଲୋକ ପାଇଲଟ୍, ଗାର୍ଡ, ଷ୍ଟେସନ୍ ମାଷ୍ଟର ମଧ୍ୟ ନିଜ ନିଜ କାର୍ଯ୍ୟ ସ୍ଥଳରେ ରହିଛନ୍ତି। କିଛି ରାଜ୍ୟ ସରକାର ଟ୍ରେନ୍ ଯାତ୍ରୀଙ୍କ ଲାଗି କଟକଣା ଲଗାଇଛନ୍ତି। ଆରଟିପିସିଆର ରିପୋର୍ଟ, ଟୀକାକରଣ ସାର୍ଟିଫିକେଟ୍କୁ ବାଧ୍ୟତାମୂଳକ କରାଯାଇଛି। ତେଣୁ ଯାତ୍ରୀଙ୍କ ସଂଖ୍ୟା କମିଛି। ତା'ପରେ ବି ଆମେ ସ୍ଥିତି ଉପରେ ନଜର ରଖିଛୁ। ରାଜ୍ୟ ସରକାରଙ୍କ ସହ ନିୟମିତ ଭାବେ ଆଲୋଚନା ଚାଲିଛି। କରୋନା ସ୍ଥିତିରେ ସୁଧାର ଆସିବା କ୍ଷଣି ପୁଣିଥରେ ସମ୍ପୂର୍ଣ୍ଣ ଟ୍ରେନ୍ ଚଳାଚଳ ଦିଗରେ ପଦକ୍ଷେପ ନିଆଯିବ।
ଶ୍ରୀ ଶର୍ମା ଆହୁରି ସୂଚନା ଦେଇଛନ୍ତି ଯେ କରୋନା ଲଢ଼େଇରେ ରେଳପଥ ବଡ଼ ଭୂମିକା ଗ୍ରହଣ କରିଛି। ଅକ୍ସିଜେନ୍ ଏକ୍ସପ୍ରେସ୍ ମାଧ୍ୟମରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ପଠାଯାଉଛି। ଏବେ ସୁଦ୍ଧା ଝାଡ଼ଖଣ୍ଡରୁ ସର୍ବାଧିକ ୮୦୨୫ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଅନ୍ୟ ରାଜ୍ୟକୁ ପଠାଯାଇଥିବା ବେଳେ ଓଡ଼ିଶାରୁ ୭୦୧୮ ମେଟ୍ରିକ୍ ଟନ୍ ଓ ଗୁଜୁରାଟରୁ ୬୩୮୩ ମେଟ୍ରିକ୍ ଟନ୍ ଯାଇଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଦେଶର ୪୧୭୬ଟି କୋଚ୍ରେ କ୍ବାରେଣ୍ଟାଇନ୍ ସୁବିଧା ଉପଲବ୍ଧ କରାଯାଇଛି। ତେବେ ରାଜ୍ୟ ସରକାରଙ୍କ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଏପର୍ଯ୍ୟନ୍ତ ୮ଟି ରାଜ୍ୟ ଯଥା ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ଉତ୍ତର ପ୍ରଦେଶ, ନାଗାଲ୍ୟାଣ୍ଡ, ଆସାମ ଓ ତ୍ରିପୁରାର ୧୯ଟି ସ୍ଥାନରେ ରେଲୱେ ପକ୍ଷରୁ ୩୨୪ କୋଚ୍ରେ ୫୦୭୦ ବେଡ୍ ଯୋଗାଇ ଦିଆଯାଇଛି। ଦେଶରେ ପ୍ରତିଦିନ ୮୦୯ଟି ସ୍ବତନ୍ତ୍ର ମେଲ୍ ଏକ୍ସପ୍ରେସ୍ ଓ ୪୦୩ ପାସେଞ୍ଜର ଟ୍ରେନ୍ ଚଳାଚଳ କରୁଥିବା ସେ କହିଛନ୍ତି।
Follow Us