ଅଳିଆ ସଂଗ୍ରହ ପାଣ୍ଠି କାହା ସ୍ବାର୍ଥରେ, ୭୦ ହଜାର ଘରୁ ଆଦାୟ ହେଉଛି ଫି

Advertisment

ମାସକୁ ଆୟ ୪୦ ଲକ୍ଷରୁ ଅଧିକ, ନିଯୁକ୍ତି ହୋଇଛନ୍ତି ୮୮ ସ୍ବଚ୍ଛସାଥୀ, ୨୫ ସୁପରଭାଇଜର

ମାସକୁ ଆୟ ୪୦ ଲକ୍ଷରୁ ଅଧିକ, ନିଯୁକ୍ତି ହୋଇଛନ୍ତି ୮୮ ସ୍ବଚ୍ଛସାଥୀ, ୨୫ ସୁପରଭାଇଜର

ଅଳିଆ ସଂଗ୍ରହ ପାଣ୍ଠି କାହା ସ୍ବାର୍ଥରେ, ୭୦ ହଜାର ଘରୁ ଆଦାୟ ହେଉଛି ଫି

nitter tweet view

ରାଉରାକେଲା : ରାଜ୍ୟର ଭୁବନେଶ୍ବର, ସମ୍ବଲପୁର ଆଦି ମହାନଗର ଅନ୍ତର୍ଗତ କଲୋନି ଓ ବସ୍ତିବାସିନ୍ଦାଙ୍କଠୁ ଆଦାୟ ହେଉନି ଅଳିଆ ସଂଗ୍ରହ ଫି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ହୋଲ୍‌ଡିଂ ଟିକସ୍‌ ପରେ ଅଳିଆ ସଂଗ୍ରହ ଫି’ ଆଦାୟକୁ ନେଇ ଉଭୟ କଲୋନି ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି। ରାଜନୈତିକ ଦଳଗୁଡ଼ିକ ଅଳିଆ ଆବର୍ଜନା ସଂଗ୍ରହ ଫି’ ଆଦାୟକୁ କଡା ବିରୋଧ କରିଛନ୍ତି। କଥା, ଏତିକିରେ ସରିନି କଲୋନିବାସିନ୍ଦା ୫ଟି ସଚିବଙ୍କ ଜରିଆରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବିପତ୍ର ମଧ୍ୟ ଦେଇଛନ୍ତି। ଏହା ସତ୍ବେ ଆର୍‌ଏମ୍‌ସି ବିଭାଗୀୟ ଅଧିକାରୀମାନେ ଫି’ ଆଦାୟକୁ ବନ୍ଦ କରୁନାହାନ୍ତି। ବରଂ ଫି’ ଆଦାୟ ପାଇଁ ଆର୍‌ଏମ୍‌ସି ୪୦ଟି ୱାର୍ଡରେ ୮୮ ସ୍ବଚ୍ଛ ସାଥୀ ଓ ୨୫ ସୁପରଭାଇଜରଙ୍କୁ ନିଯୁକ୍ତି କରିଛନ୍ତି। ଏମାନଙ୍କ ବାବଦରେ ମାସକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି।

ଆର୍‌ଏମ୍‌ସିରେ ମୋଟ ୭୦ ହଜାର ଘରୁ ଅଳିଆ ସଂଗ୍ରହ ଫି’ ଆଦାୟ ହେଉଛି। ବସ୍ତିର ୪୦ ହଜାର ଓ କଲୋନିର ୩୦ ହଜାର ଏମିତି ମୋଟ ୭୦ ହଜାର ଘରୁ ମାସକୁ ପାଖାପାଖି ୪୦ ଲକ୍ଷରୁ ଅଧିକ ଟଙ୍କା ଆଦାୟ ହେଉଛି। ଅଳିଆ ଆବର୍ଜନା ଫି’ ଆଦାୟକୁ ନେଇ ଛେଣ୍ଡ କଲୋନି, ବାସନ୍ତୀ କଲୋନି, କଳିଙ୍ଗ ବିହାର ସମେତ ଅଧିକାଂଶ ବସ୍ତିରେ କଡା ବିରୋଧ କରୁଛନ୍ତି। କିଛି ଲୋକ ଆଦୌ ଅଳିଆ ସଂଗ୍ରହ ଫି’ ଦେଉ ନାହାନ୍ତି। ଫି’ ଆଦାୟ ବାବଦରେ ଯେଉଁ ରସିଦ୍‌ ଦିଆଯାଉଛି, ସେଥିରେ ଅଳିଆ ସଂଗ୍ରହ ସମ୍ପର୍କିତ କିଛି ଲେଖା ନଥିବାରୁ ଲୋକମାନଙ୍କ ପ୍ରଶ୍ନବାଣରେ ସ୍ବଚ୍ଛସାଥୀମାନେ ଶିକାର ହେଉଛନ୍ତି। ବିଭାଗୀୟ ଅଧିକାରୀ କହୁଛନ୍ତି, ୨୦୧୭ ବାଇ-ଲ ଓ ୨୦୧୬ ସଲିଡ୍‌ ୱେଷ୍ଟ ମ୍ୟାନେଜମେଣ୍ଟ ନିୟମ ଅନୁଯାୟୀ ଉଭୟ ବସ୍ତି ଓ କଲୋନିବାସିନ୍ଦାଙ୍କଠୁ ଅଳିଆ ସଂଗ୍ରହ ଫି’ ଆଦାୟ କରାଯାଉଛି।

publive-image Odisha Bytes

କେବଳ ଆର୍‌ଏମ୍‌ସି ନୁହେଁ ରାଜ୍ୟର ୧୧୪ଟି ୟୁଏଲ୍‌ବିରେ ଏହି ନିୟମ ଲାଗୁ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଏଭଳି ନିୟମକୁ କିନ୍ତୁ ରାଜନୈତିକ ଦଳଗୁଡ଼ିକୁ ମାନିବାକୁ ନାରାଜ। ପୂର୍ବତନ ନଗରପାଳ ତଥା ବିଜେପିର ବରିଷ୍ଠ ନେତା ନିହାର ରାୟ କଟକ, ଭୁବନେଶ୍ବର, ସମ୍ବଲପୁର ଆଦି ମହାନଗର ନିଗମ ଅଞ୍ଚଳରେ ଅଳିଆ ସଂଗ୍ରହ ଫି’ ଆଦାୟ କରାଯାଉ ନାହିଁ। ହୋଲ୍‌ଡିଂ ଟିକସ ୧୦ ଗୁଣା ବଢ଼ିଛି। କିଛି ଘରୋଇ ଠିକା ସଂସ୍ଥାଙ୍କୁ ପୋଷିବାକୁ ଏଭଳି ଫି’ ଆଦାୟ କରାଯାଉଛି। ରାଉରକେଲା ଜନପ୍ରତିନିଧି ବିରୋଧ ନ କରି କାହିଁକି ଚୁପ୍‌ ବସିଛନ୍ତି ବୋଲି ଶ୍ରୀ ରାୟ ପ୍ରଶ୍ନ କରିଛନ୍ତି। ଆଗାମୀ ଦିନରେ ଏ ବେଆଇନ ଫି’ ବନ୍ଦ ନ ହେଲେ ବିଜେପି ଆନ୍ଦୋଳନକୁ ଜୋରଦାର କରିବ। ଏଥିପାଇଁ‌ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ।

ବିଜେଡିର ମୁଖପାତ୍ର ଜୟନ୍ତ ମିଶ୍ର କହିଛନ୍ତି, ଅଳିଆ ଆବର୍ଜନା ସଂଗ୍ରହ ଫି’ ବନ୍ଦ କରିବାକୁ ୫ଟି ସଚିବଙ୍କ ଜରିଆରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଓଡ଼ିଶାରେ କେଉଁଠି ଆଦାୟ ହେଉ ନଥିଲାବେଳେ ଏଠି ଜୋରଜବରଦସ୍ତ ଆଦାୟ କରାଯାଉଛି। ଯେ ପର୍ଯ୍ୟନ୍ତ ଆର୍‌ଏମ୍‌ସିର ନିର୍ବାଚନ ନ ହୋଇଛି। ନିର୍ବାଚିତ ପ୍ରତିନିଧିଙ୍କ ବୈଠକରେ ନିଷ୍ପତ୍ତି ନିଆ ନ ଯାଇଛି, ସେ ପର୍ଯ୍ୟନ୍ତ ଫି ଆଦାୟ ବନ୍ଦ ରହିବା ଦରକାର। କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ରବି ରାୟ ସହରକୁ ସବୁଜ ସୁନ୍ଦର କରିବା ଆର୍‌ଏମ୍‌ସିର ଦାୟିତ୍ବ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ରରୁ ପର୍ଯ୍ୟାପ୍ତ ଅର୍ଥ ଆସୁଛି। ଯେଉଁ ପାଣ୍ଠି ଆସୁଛି,ତାହା ସାଧାରଣ ଲୋକଙ୍କର। ତେଣୁ ଆର୍‌ଏମ୍‌ସି ଆବର୍ଜନା ସଂଗ୍ରହ ଆଦାୟ କରିବାର କୌଣସି ଆବଶ୍ୟକତା ନାହିଁ। ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିରେନ ସେନାପତି କହିଛନ୍ତି, ଆର୍‌ଏମ୍‌ସି ହୋଲ୍‌ଡିଂ ଟିକସ୍‌ ଆଦାୟ କରୁଛି। ପୁଣି ଆବର୍ଜନା ସଂଗ୍ରହ ଫି’ ଆଦାୟ କରିବାର କ’ଣ ଆବଶ୍ୟକତା ରହିଛି। କେବଳ ଠିକାଦାର ଓ କିଛି ଦଳୀୟ କର୍ମୀଙ୍କୁ ପୋଷିବାକୁ ଏଭଳି ସୁଚିନ୍ତିତ ଯୋଜନା କରାଯାଇଛି। ରାଉରକେଲା ଜନପ୍ରତିନିଧି କ’ଣ ପାଇଁ ମୁହଁ ଖୋଲୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe