ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଖନନ ପରେ ରାତିଅଧିଆ ଜିପିଆର ସର୍ଭେ କାହିଁକି ?

Advertisment

ସର୍ଭେ ବେଳେ ନ ଥିଲେ ଏଏସ୍‌ଆଇ ଅଧିକାରୀ, ପିନାକୀଙ୍କ ମନ୍ତବ୍ୟକୁ ଦୃଢ଼ ସମାଲୋଚନା

ସର୍ଭେ ବେଳେ ନ ଥିଲେ ଏଏସ୍‌ଆଇ ଅଧିକାରୀ, ପିନାକୀଙ୍କ ମନ୍ତବ୍ୟକୁ ଦୃଢ଼ ସମାଲୋଚନା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଖନନ ପରେ ରାତିଅଧିଆ ଜିପିଆର ସର୍ଭେ କାହିଁକି ?

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗତକାଲି ବିଳମ୍ବିତ ରାତିରେ ଜିପିଆର ସର୍ଭେକୁ ନେଇ ବିବାଦ ଦେଖାଦେଇଛି। ଖନନ ସରିବା ପରେ ଜିପିଆର୍‌ ସର୍ଭେ କାହିଁକି କରାଯାଉଛି ବୋଲି ପ୍ରଶ୍ନ ଉଠିଛି। ଏପରିକି ଏହି ଜିପିଆର୍‌ ସର୍ଭେ ବେଳେ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର କେହି ଅଧିକାରୀ ଉପସ୍ଥିତ ନ ରହିବା ଘଟଣା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ଅପରପକ୍ଷେ ପୁରୀ ସାଂସଦ ପିନାକୀ ମିଶ୍ର କିଛିଦିନତଳେ ଟ୍ବିଟ୍‌ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ଜିପିଆର୍‌ ସର୍ଭେ କରାଯାଇଥିବା ଦର୍ଶାଇଥିଲେ। ଏ ସମ୍ପର୍କିତ କିଛି ନଥିପତ୍ର ସାମାଜିକ ଗଣମାଧ୍ୟମରେ ଉପସ୍ଥାପନ କରିଥିଲେ। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଲୁଚାଛପାରେ ଜିପିଆର୍‌ ସର୍ଭେ ଧରାପଡ଼ିବା ପରେ ପିନାକୀଙ୍କୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା ଆରମ୍ଭ ହୋଇଯାଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଆଇନ୍‌ ବୋଲି ହାଇକୋର୍ଟଙ୍କ ନିକଟରେ ପ୍ରତ୍ନତତ୍ତ୍ବ ବିଭାଗର ସତ୍ୟପାଠ ଦାଖଲ ତୁମ୍ବିତୋଫାନ ଆରମ୍ଭ ହୋଇଛି। ଏହାକୁ ନେଇ ବିତର୍କ ଚାଲିଥିବା ବେଳେ କିଛିଦିନ ତଳେ ଏମାର ମଠ ଖନନସ୍ଥଳରୁ ଗଙ୍ଗବଂଶ ରାଜତ୍ବ ସମୟର କୀର୍ତ୍ତିରାଜି ମିଳିବା ଏହି ପ୍ରସଙ୍ଗକୁ ଆହୁରି ବିବାଦୀୟ କରି ଦେଇଛି। ଏହାକୁ ନେଇ ଟଣାଓଟରା ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଲୁଚାଛପାରେ ଓବିସିସି ଚିଠିକ୍ରମେ ଗୁଜୁରାଟ ଗାନ୍ଧୀନଗର ଆଇଆଇଟି ଓ ଜିଓକାର୍ଟେ ରାଡାର ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ଜିପିଆର ସର୍ଭେ କରିବା ରାଜ୍ୟବ୍ୟାପୀ ଆଲୋ‌ଡ଼ନ ସୃଷ୍ଟି କରିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ କରି ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ସହ ମାଟି ବୋହି ନେବା ପରେ ଏ ସର୍ଭେ କାହିଁକି ବୋଲି ଭକ୍ତ, ଶ୍ରୀଜଗନ୍ନାଥପ୍ରେମୀ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଯେଉଁ ଜିପିଆର ସର୍ଭେ କରାଯାଉଛି, ତାହା ପ୍ରତ୍ନତତ୍ତ୍ବ ବିଭାଗ ଅନୁମତି ପୂର୍ବକ ହେବା କଥା। ଜିପିଆର ସର୍ଭେ ବେଳେ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବା କଥା। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀଙ୍କ ଅନୁପସ୍ଥିତିରେ ଜିପିଆର ସର୍ଭେ କରାଯାଇଥିବାରୁ ଲୋକେ ପ୍ରଶ୍ନ ଉଠାଇଛନ୍ତି।

publive-image

ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଆଜି ରାଜ୍ୟ ସରକାର, ପ୍ରଶାସନର ରାତିଅଧିଆ ଚକ୍ରାନ୍ତ ଧରାପଡ଼ିଯାଇଛି। ଏଠି ଶ୍ରୀମନ୍ଦିର ଚାରିପଟେ ରାତି ଅଧରେ ଜିପିଆର ସର୍ଭେ କରାଯିବା, ସାଂସଦ ପିନାକୀ ମିଶ୍ରଙ୍କ ମିଛ ଧରା ପକାଇ ଦେଇଛି। ପ୍ରଥମେ ସାଂସଦ କହିଲେ, ମାତ୍ର ୪ଟି ଶୌଚାଳୟ ଚାଲିଛି, କୌଣସି ଖନନ ହେଉନି। ପରେ କହିଲେ, ଆମେ ଏନ୍‌ଏମ୍‌ଏ ଓ ପ୍ରତ୍ନତତ୍ତ୍ବ ବିଭାଗ ଅନୁମତିପୂର୍ବକ କାମ କରୁଛୁ। ପରେ କହିଲେ ଜିପିଆର୍‌ ସର୍ଭେ କରାଯାଇଛି। କିନ୍ତୁ ଗତକାଲି ରାତିଅଧରେ ଏଭଳି ସର୍ଭେ ସବୁ ମିଛକୁ ଧରା ପକାଇ ଦେଇଛି। ସର୍ଭେ ରିପୋର୍ଟକୁ ପୂର୍ବ ତାରିଖରେ ଦର୍ଶାଇ ବିଭ୍ରାନ୍ତି କରିବାକୁ ଚକ୍ରାନ୍ତ ଚାଲିଛି। ଅଭ୍ୟର୍ଥନା କେନ୍ଦ୍ର ପାଇଁ ଯେଉଁ ବହୁତାଲା କୋଠା କରିବାକୁ ଚାହୁଁଛନ୍ତି, ସେଥିପାଇଁ ଏଭଳି ମିଛ ସର୍ଭେ ରିପୋର୍ଟ ଦେଇ ଡିପିଆର୍‌ ଦେବାକୁ ଯୋଜନା କରାଯାଉଛି। ଯଦି ପୂର୍ବରୁ ଜିପିଆର୍‌ ସର୍ଭେ କରାଯାଇଥିଲା, ଭଙ୍ଗା ସିଂହ ବାହାରିଲା କେମିତି। ବିକାଶକୁ ଆମେ ବିରୋଧ କରୁନୁ, କିନ୍ତୁ ଆଇନ ଭିତରେ ରହି, ସତ କହି କାମ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe