ଫାଇଲେରିଆ ଇନ୍ସପେକ୍ଟରଙ୍କୁ କାହିଁକି କରାଯାଉନି ରିଲିଭ୍?

Advertisment

୧୦ ଦିନ ଭିତରେ ରିପୋର୍ଟ ପ୍ରଦାନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

୧୦ ଦିନ ଭିତରେ ରିପୋର୍ଟ ପ୍ରଦାନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଫାଇଲେରିଆ ଇନ୍ସପେକ୍ଟରଙ୍କୁ କାହିଁକି କରାଯାଉନି ରିଲିଭ୍?

Kalinga TV

ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ଫାଇଲେରିଆ ଇନ୍ସପେକ୍ଟରଙ୍କ ବଦଳିକୁ ନେଇ ଟଣାଓଟରା ଚାଲିଛି। ଚଳିତମାସ ୧୩ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୬ଜଣ ଫାଇଲେରିଆ ଇନ୍ସପେକ୍ଟରଙ୍କ ବଦଳି କରାଯାଇଥିଲା। ୭ଦିନ ଭିତରେ ସେମାନଙ୍କୁ ନିଜ ନିଜ ସ୍ଥାନରେ ଯୋଗଦେବାକୁ କୁହାଯାଇଥିଲା। ଏହା ଭିତରେ ୧୫ଦିନି ବିତିଲାଣି। ମାତ୍ର ସେମାନଙ୍କୁ ରିଲିଭ୍ କରାଯାଉନାହିଁ କି ସେମାନେ ନିଜ ବଦଳି ସ୍ଥାନରେ ଯୋଗ ଦେଉନାହାନ୍ତି। ତେଣୁ ଆସନ୍ତା ୩୦ ତାରିଖ ସୁଦ୍ଧା ସେମାନଙ୍କୁ ରିଲିଭ୍ କରିବା ଲାଗି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ କୌଣସି ଫାଇଲେରିଆ ଇନ୍ସପେକ୍ଟର ଯେପରି ନିଜର ପୂର୍ବ କାର୍ଯ୍ୟସ୍ଥଳୀରେ ଦରମା ଗ୍ରହଣ କରିପାରି‌ବେ ନାହିଁ ତାହାକୁ ସିଡିଏମ୍‌ଓମାନେ ସୁନିଶ୍ଚିତ କରିବେ। ଏହାସହ ସିଡିଏମ୍‌ଓମାନେ ୧୦ଦିନ ଭିତରେ ଏ ସଂପର୍କିତ ଏକ ରିପୋର୍ଟ ବିଭାଗକୁ ପ୍ରଦାନ କରିବାକୁ କୁହାଯାଇଛି। ଦୀର୍ଘବର୍ଷ ପରେ ଫାଇଲେରିଆ ଇନ୍ସପେକ୍ଟରଙ୍କ ବଦଳି ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ‌ବିଶେଷକରି ଭୁବନେଶ୍ବର ଓ କଟକରେ କାର୍ଯ୍ୟରତ ଏହି କର୍ମଚାରୀମାନେ ନିଜ ବଦଳି ସ୍ଥାନରେ ଯୋଗ ନ ଦେଇପାରନ୍ତି ବୋଲି ଆଶଙ୍କା ଉପୁଜିଥିଲା। ଏବେ ତାହା ଏକପ୍ରକାର ସତରେ ପରିଣତ ହୋଇଛି। ବଦଳି ସଂପର୍କିତ ନିର୍ଦେଶନାମା ରାଜ୍ୟ ସଚିବଙ୍କଠାରୁ ଆରମ୍ଭ କରି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ଅଦୃଶ୍ୟ ଚାପରେ ସେମାନଙ୍କୁ କାର୍ଯ୍ୟରୁ ରିଲିଭ୍ କରାଯାଉନାହିଁ। ତେବେ ୩୦ ତାରିଖ ସୁଦ୍ଧା ସେମାନେ କାର୍ଯ୍ୟରେ ଯୋଗ ନ ଦେଲେ ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେବ ନା କେବଳ ଏଭଳି ଚିଠି ଲେଖୁଥିବା ତାହା ଏବେ ଚର୍ଚ୍ଚାରେ ରହିଛି।

ରାଜ୍ୟରେ ଏବେ ପୁଣିଥରେ ଡେଙ୍ଗୁ ମୁଣ୍ଡ ଟେକିବାକୁ ଆରମ୍ଭ କଲାଣି। ରାଜଧାନୀରେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ବର୍ଷ ବର୍ଷ ଧରି ରାଜଧାନୀରେ ଏଭଳି ସ୍ଥିତି ଲାଗି ରହିଥିବାରୁ ଫାଇଲେରିଆ ଇନ୍ସପେକ୍ଟରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଥିଲା। ଏପରିକି ଫାଇଲେରିଆ ଇନ୍‌ସପେକ୍ଟରମାନେ ମନମୁଖୀ କାର୍ଯ୍ୟ କରୁଥିବା ନେଇ ବିଧାୟକ ମନୋହର ରାନ୍ଧାରୀ ଗତ ବିଧାନସଭାରେ ପ୍ରଶ୍ନ କରିଥିଲେ। ତେବେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଫାଇଲେରିଆ ଇନ୍‌ସପେକ୍ଟରଙ୍କ ସଂପର୍କରେ କିଛି ନିର୍ଦ୍ଦିଷ୍ଟ ଉତ୍ତର ଦେଇ ନ ଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ବାତଜ୍ବର ପରିଦର୍ଶକ(ଫାଇଲେରିଆ ଇନ୍‌ସପେକ୍ଟର) ଓ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକ(ପୁରୁଷ)ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥାପିତ। ସେମାନଙ୍କ ଆବେଦନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୁପାରିସ ଆଧାରରେ ବଦଳି କରାଯାଇଥାଏ। ରାଜଧାନୀରେ ଏହି ପଦବିଗୁଡ଼ିକରେ କାର୍ଯ୍ୟ କରୁଥିବା ପରିଦର୍ଶକମାନେ ବହୁଦିନ ଧରି ମନମୁଖୀ କାର୍ଯ୍ୟ କରୁଥିବା ସମ୍ବନ୍ଧୀୟ ତଥ୍ୟ ରାଜ୍ୟ ସରକାରଙ୍କ ନଜରକୁ ଆସିନାହିଁ। ଯଦି ଏପରି କିଛି ତଥ୍ୟ ନଜରକୁ ଆସେ ତାହାଲେ ନିୟମ ଅନୁଯାୟୀ ବଦଳି କରିବା ପାଇଁ ବିଚାରକୁ ନିଆଯିବ ବୋଲି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe