ପଶ୍ଚିମ ଓଡ଼ିଶାରେ ବେଞ୍ଚ୍‌ ନେଇ ହାଇକୋର୍ଟ ନିରବ କାହିଁକି?

Advertisment

ସଂସଦରେ ପ୍ରଶ୍ନ ଉଠାଇଲେ ସୁରେଶ ପୂଜାରୀ, ପୁଣିଥରେ ଚିଠି ଲେଖିବାକୁ ଆଇନ୍ ମନ୍ତ୍ରୀଙ୍କୁ ଅନୁରୋଧ

ସଂସଦରେ ପ୍ରଶ୍ନ ଉଠାଇଲେ ସୁରେଶ ପୂଜାରୀ, ପୁଣିଥରେ ଚିଠି ଲେଖିବାକୁ ଆଇନ୍ ମନ୍ତ୍ରୀଙ୍କୁ ଅନୁରୋଧ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

ସମ୍ବଲପୁର : କେନ୍ଦ୍ର ଆଇନ୍ ମନ୍ତ୍ରୀ ବାରମ୍ବାର ଚିଠି ‌ଲେଖୁଛନ୍ତି। ମୁଖ୍ୟମନ୍ତ୍ରୀ ବି ଚିଠି ଲେଖୁଛନ୍ତି। କିନ୍ତୁ ୧୦ ବର୍ଷ ହୋଇଗଲା ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଉତ୍ତର ମିଳୁନାହିଁ। ‘ ଯଦି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ହେବା ଉଚିତ, ତା’ହେଲେ ହଁ କୁହ ନୋହିଲେ ନା କୁହ। ଏମିତି ନିରବ କାହିଁକି? କେନ୍ଦ୍ର ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତର ଦେବାକୁ ଯଦି ହାଇକୋର୍ଟ ଜରୁରୀ ମନେ କରୁନାହାନ୍ତି, ତା’ହେଲେ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ଦେବା ସ୍ଥିତିରେ ନାହାନ୍ତି। ଆମେ ସାଧାରଣ ଲୋକଙ୍କୁ କ’ଣ ନ୍ୟାୟ ଦେବା? ’ ଲୋକସଭାରେ ଆଲୋଚନା ବେଳେ ଓଡ଼ିଶା ହାଇକୋର୍ଟଙ୍କ ଉଦ୍ଦେଶ୍ୟରେ ଏଭଳି ଶାଣିତ ପ୍ରଶ୍ନବାଣ ଛାଡ଼ିଛନ୍ତି ସାଂସଦ ସୁରେଶ ପୂଜାରୀ।

ସାଂସଦ ଶ୍ରୀ ପୂଜାରୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ନେଇ ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ, ୫୦ ବର୍ଷ ହେଲା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ଆନ୍ଦୋଳନ ଚାଲିଛି। କଟକରେ ଥିବା ଓଡ଼ିଶା ହାଇକୋର୍ଟର ୨ଟି ସ୍ଥାୟୀ ବେଞ୍ଚ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାପନ ପାଇଁ ଖୋଦ୍ ଓଡ଼ିଶା ମୁଖ୍ୟମନ୍ତ୍ରୀ ବି ଏକାଧିକ ବାର ଚିଠି ଲେଖିଛନ୍ତି। ପୂର୍ବତନ କେନ୍ଦ୍ର ଆଇନ୍ ମନ୍ତ୍ରୀ ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବେଞ୍ଚ୍‌ କେଉଁଠି ପ୍ରତିଷ୍ଠା ହେବ, ସ୍ଥାନ ଓ ସମସ୍ତ ଭିତ୍ତିଭୂମି ତଥା ଆନୁସଙ୍ଗିକ ଖର୍ଚ୍ଚ ବହନ କରିବା ନେଇ ପ୍ରତିଶ୍ରୁତି ମାଗିଥିଲେ। ଏହାପରେ ଆଉ କୌଣସି ଉତ୍ତର ଦିଆ ଯାଇ ନଥିଲା। ମୁଖ୍ୟ ବିଚାରପତିଙ୍କୁ ବି ପୂର୍ବ ଆଇନ୍ ମନ୍ତ୍ରୀ ଚିଠି ଲେଖିଥିଲେ। ଯଦି ଏହା ମୁଖ୍ୟ ବିଚାରପତିଙ୍କ ବିଚାର ପରିସରଭୁକ୍ତ, ତାହେଲେ ସେ ନିରବ କାହିଁକି? ଆଇନ୍‌ ମନ୍ତ୍ରୀ ଚିଠି ଲେଖିବା ପରେ, ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ବି ୧୦ ବର୍ଷ ହୋଇଗଲା ଉତ୍ତର ମିଳୁ ନାହିଁ ବୋଲି ଶ୍ରୀ ପୂଜାରୀ କହିଥିଲେ।

ଏଥିସହିତ ଶ୍ରୀ ପୂଜାରୀ ଆଇନ୍‌ ମନ୍ତ୍ରୀଙ୍କୁ ଅନୁରୋଧ କରି କହିଥିଲେ ଯେ ଆପଣ ଆଉଥରେ ଚିଠି ଲେଖନ୍ତୁ। ମୁଖ୍ୟମନ୍ତ୍ରୀଙ୍କୁ ବି ଲେଖନ୍ତୁ ଓ ମୁଖ୍ୟ ବିଚାରପତିଙ୍କୁ ବି ଲେଖନ୍ତୁ। ପଶ୍ଚିମ ଓଡ଼ିଶା କୌଣସି ସ୍ଥାନର ନାମ ନୁହେଁ, ଏକ ଅଞ୍ଚଳର ନାମ। ତେଣୁ କେଉଁ ସ୍ଥାନରେ କରାଯିବ, ଭିତ୍ତିଭୂମି, ଜମି ଓ ଅନ୍ୟ ଆନୁସଂଗିକ ବ୍ୟବସ୍ଥା ସଂପର୍କରେ ନିର୍ଦ୍ଦିଷ୍ଟଭାବେ ପଚାରନ୍ତୁ। ବର୍ତ୍ତମାନ ଭଲ ବିଚାରପତି ସଂପର୍କରେ ଗୃହରେ ଚର୍ଚ୍ଚା ହେଉଥିଲା। ଯେବେ ଆପଣ ଆମକୁ ସୁଯୋଗ ଦେବେ, ତା’ହେଲେ ପଶ୍ଚିମ ଓଡ଼ିଶାର ପ୍ରତିଭା ଦେଖି ପାରିବେ। ଆମ ଅଞ୍ଚଳରେ ବେଞ୍ଚ ହେଲେ ସେଠୁ ବି ପ୍ରତିଭାବାନ ଦକ୍ଷ ହାଇକୋର୍ଟ ବିଚାରପତି ବାହାରିବେ। ଯଦି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପାଇଁ ଯଶବନ୍ତ କମିସନ ରାଜି, ମୁଖ୍ୟମନ୍ତ୍ରୀ ରାଜି, କେନ୍ଦ୍ର ସରକାର ବି ରାଜି ତା’ହେଲେ କାହିଁକି ଏହା ଅଟକି ରହିଛି।’ ଆଇନ୍‌ ମନ୍ତ୍ରୀ ପୁଣିଥରେ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ନେଇ ନିଜ ଆଡ଼ୁ ପ୍ରୟାସ ଆରମ୍ଭ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe