ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣା: ପୁଲିସ ଡିଜି ଚୁପ୍ କାହିଁକି?

Advertisment
ଆଇନଶୃଙ୍ଖଳା ଓ ମାଓ ଅପରେସନ୍‌ ନେଇ ଡିଜିଙ୍କ ବୈଠକ

Times of India

କଟକ : ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ପୁଲିସ ପୋଷାକ ପିନ୍ଧି ଡ୍ୟୁଟିରେ ଥିବା ବେଳେ ଗୁଳି କରି ହତ୍ୟା କଲେ। ଏଭଳି ଘଟଣା ରାଜ୍ୟରେ ତ ପ୍ରଥମ, ଦେଶରେ ବି ଖୁବ୍ କମ ଘଟଣା ଘଟିଛି। ଓଡ଼ିଶାରେ ଏଭଳି ଘଟଣାକୁ ନେଇ ରାଜ୍ୟବାସୀ ହତଚକିତ ହୋଇ ପଡ଼ିଥିବା ବେଳେ ପୁଲିସ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି। କିନ୍ତୁ ଏଭଳି ଘଟଣାରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଅସ୍ବାଭାବିକ ନିରବତା ବି ସମସ୍ତଙ୍କୁ ଚକିତ କରିଛି।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଯେଉଁ ଭଳି ଢଙ୍ଗରେ ପୁଲିସ ଏଏସଆଇ ଗୋପାଳକୃଷ୍ଣ ଦାସ ନିଜ ସର୍ଭିସ ରିଭଲଭରରୁ ଗୁଳି କରି ହତ୍ୟା କଲା, ତାହା ସଂପୂର୍ଣ୍ଣ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ସଂପୃକ୍ତ ଏଏସଆଇଙ୍କୁ ସର୍ଭିସ ରିଭଲଭର ଜାରି କରାଯିବା, ପୁଲିସ ଗୁଇନ୍ଦା ବ୍ୟବସ୍ଥା, ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା.... ସବୁ କିଛି ଏବେ ସନ୍ଦେହ ଘେରକୁ ଆସି ଯାଇଛି। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟାର ଅନୁଧ୍ୟାନ କରୁଛନ୍ତି। କିନ୍ତୁ ଘଟଣାର ଦିନକ ପରେ ବି ରାଜ୍ୟ ପୁଲିସ ବିଭାଗର ମୁଖ୍ୟ ( ଡିଜି) ସୁନିଲ ବଂଶଲ ସଂପୂର୍ଣ୍ଣ ନିରବ ରହିଛି। ଘଟଣାକୁ ନେଇ ପୁଲିସ ଡିଜିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ବି ଜାରି କରାଯାଇ ନାହିଁ। ଏଭଳି ଅଦ୍ଭୂତପୂର୍ବ କାଣ୍ଡ ପରେ ବି ଡିଜି ଘଟଣାସ୍ଥଳକୁ ଯାଇ ନାହାନ୍ତି। ଡିଜିଙ୍କ ଉପସ୍ଥିତି ହୁଏତ ତଦନ୍ତ ପ୍ରକ୍ରିୟାକୁ ଅଧିକ ବଳ ଦେଇଥାନ୍ତା। ଆଉ କିଭଳି ଘଟଣାରେ ଡିଜି ତତ୍ପରତା ଦେଖାଇ ଥାନ୍ତେ ବୋଲି ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। କ୍ୟାବିନେଟ୍ ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ଜଣେ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ କ‌ାହିଁକି ଦାୟିତ୍ବ ଦିଆଯାଉନାହିଁ? ଏଏସଆଇଙ୍କୁ ସର୍ଭିସ ପିସ୍ତଲ କାହିଁକି ପ୍ରଦାନ କରାଗଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe